IPL 2021: ଅଷ୍ଟ୍ରେଲିଆର ଶ୍ରେଷ୍ଠ ୧୦ ଖେଳାଳି ଯଦି ନଖେଳିବେ, କ୍ଷତି ସହିବେ ୪୧ କୋଟି

ନୂଆଦିଲ୍ଲୀ: କରୋନା ମାମଲା ଆସିବା ପରେ IPL ୨୦୨୧କୁ ୪ ମେ’ଠାରୁ ସ୍ଥଗିତ କରାଯାଇଥିଲା । କିନ୍ତୁ ସେପ୍ଟେମ୍ବର-ଅକ୍ଟୋବରରେ ଅବଶିଷ୍ଟ ୩୧ଟି ମ୍ୟାଚ୍ ଆୟୋଜନ କରିବାକୁ ବିସିସିଆଇ ଘୋଷଣା କରିସାରିଛି । ଅବଶିଷ୍ଟ ମ୍ୟାଚ୍ ଭାରତ ପରିବର୍ତ୍ତେ ୟୁଏଇରେ ଖେଳାଯିବ । ତେବେ ଏଭଳି ପରିସ୍ଥିତିରେ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ପ୍ୟାଟ୍ କମିନ୍ସ ଅବଶିଷ୍ଟ ଟି-୨୦ ଲିଗ୍ ମ୍ୟାଚ୍ ଖେଳିବେ ନାହିଁ ବୋଲି ଘୋଷଣା କରିଛନ୍ତି । ତେବେ କେବଳ ସେ ନୁହଁନ୍ତି ଅନ୍ୟ ଖେଳାଳିଙ୍କ ଉପରେ ମଧ୍ୟ ଖେଳିବା ନେଇ ସନ୍ଦେହ ରହିଛି ।

ତେବେ ଏଭଳି ସ୍ଥିତିରେ ଯଦି ଅଷ୍ଟ୍ରେଲିଆର ଶ୍ରେଷ୍ଠ ୧୦ ଜଣ ଖେଳାଳି (ନିଲାମ ଅନୁଯାୟୀ) ନଖେଳିବେ, ତେବେ ସେମାନେ ପ୍ରାୟ ୪୧ କୋଟି ଟଙ୍କା ପାଇବେ ନାହିଁ । ଖେଳାଳିମାନେ ପ୍ରାୟ ଅଧା ଆଇପିଏଲ ମ୍ୟାଚ୍ ଖେଳିଛନ୍ତି । ତେଣୁ ସେମାନଙ୍କୁ ଆଇପିଏଲ୍ ବେତନ ନିୟମ ଅନୁଯାୟୀ ଅଧା ପରିମାଣର ବେତନ ଦିଆଯିବ ।

ପ୍ୟାଟ୍ କମିନ୍ସ: ଦ୍ରୁତ ବୋଲର ପ୍ୟାଟ୍ କମିନ୍ସ କେକେଆର୍ ପାଇଁ ଖେଳୁଛନ୍ତି । ଫ୍ରାଞ୍ଚାଇଜ୍ ତାଙ୍କୁ ୧୫.୫୦ କୋଟି ଟଙ୍କାରେ ଦଳରେ ସାମିଲ କରିଛି । ସେ ଆଇପିଏଲ ଇତିହାସରେ ୩୭ଟି ମ୍ୟାଚରେ ୩୮ ୱିକେଟ୍ ନେଇଛନ୍ତି । ଏଭଳି ପରିସ୍ଥିତିରେ, ଯଦି ସେ ଚଳିତ ସିଜନରେ ଏଣିକି ନ ଖେଳନ୍ତି, ତେବେ ତାଙ୍କୁ ଅଧା ବେତନ ଅର୍ଥାତ୍ ୭.୭୫ କୋଟି ଟଙ୍କା ମିଳିବ ।

ଗ୍ଲେନ୍ ମ୍ୟାକ୍ସୱେଲ: ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲଙ୍କୁ ଚଳିତ ସିଜନରେ ବିରାଟ କୋହଲିଙ୍କ ଆରସିବି ୧୪.୨୫ କୋଟି ଟଙ୍କାରେ କିଣିଛି । ଏପର୍ଯ୍ୟନ୍ତ ଆଇପିଏଲରେ ମ୍ୟାକ୍ସୱେଲ ୮୯ଟି ମ୍ୟାଚରେ ୧୭୨୮ ରନ୍ ସଂଗ୍ରହ କରି ୧୯ଟି ୱିକେଟ୍ ନେଇଛନ୍ତି । ତାଙ୍କୁ ଏବେ ୭.୧୨ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ିବ ।

ଝାୟ ରିଚାର୍ଡସନ: ଚଳିତ ସିଜନରେ ପଞ୍ଜାବ କିଙ୍ଗ୍ସ ଅଷ୍ଟ୍ରେଲୀୟ ପେସ୍ ବୋଲର ଝାୟ ରିଚର୍ଡସନଙ୍କୁ ୧୪ କୋଟି ଟଙ୍କାରେ କିଣିଥିଲା । ସେ ତିନୋଟି ମ୍ୟାଚରେ ତିନୋଟି ୱିକେଟ୍ ନେଇଛନ୍ତି । ଏପରି ପରିସ୍ଥିତିରେ, ଯଦି ସେ ଆଗକୁ ନଖେଳନ୍ତି ତେବେ ତାଙ୍କୁ ମାତ୍ର ୭ କୋଟି ଟଙ୍କା ହିଁ ମିଳିବ ।

ନାଥାନ୍ କୁଲଟର ନାଇଲ୍: ମୁମ୍ବାଇ ଇଣ୍ଡିଆନ୍ସର ଏହି ଦ୍ରୁତ ବୋଲର ଗତ ସିଜନରେ ଦଳକୁ ଜିତିବାରେ ପ୍ରମୂଖ ଭୂମିକା ଗ୍ରହଣ କରିଥିଲେ । ତାଙ୍କୁ ଫ୍ରାଞ୍ଚାଇଜ୍ ୫ କୋଟି ଟଙ୍କାରେ ଦଳରେ ସାମିଲ କରିଥିଲା । ସେ ଏପର୍ଯ୍ୟନ୍ତ ଆଇପିଏଲରେ ୩୪ଟି ମ୍ୟାଚରୁ ୪୧ଟି ୱିକେଟ୍ ନେଇ ସାରିଛନ୍ତି । ଯଦି ସେ ଏଥର ଆଉ ନ ଖେଳନ୍ତି, ତେବେ ତାଙ୍କୁ ମାତ୍ର ୨.୫ କୋଟି ଟଙ୍କା ମିଳିବ ।

ମାର୍କସ୍ ଷ୍ଟେନିସ୍: ଦିଲ୍ଲୀ କ୍ୟାପିଟାଲ୍ସର ଅଲରାଉଣ୍ଡର ମାର୍କସ୍ ଷ୍ଟେନିସ୍ ଉଭୟ ବୋଲିଂ ଏବଂ ବ୍ୟାଟିଂରେ ଭଲ ଭଲ ପ୍ରଦର୍ଶନ କରନ୍ତି । ସେ ଟି-୨୦ ଲିଗର ୫୪ଟି ମ୍ୟାଚରେ ୮୯୬ ରନ୍ ସଂଗ୍ରହ କରିଛନ୍ତି । ଏହାସହ  ୩୦ଟି ୱିକେଟ୍ ମଧ୍ୟ ନେଇଛନ୍ତି । ଯଦି ସେ ଏଥର ଆଉ ନଖେଳନ୍ତି ତେବେ, ତାଙ୍କୁ ମାତ୍ର ୨.୪ କୋଟି ଟଙ୍କା ମିଳିବ ।

ଡେନ ଖ୍ରୀଷ୍ଟିଆନ: ଆରସିବି ଚଳିତ ସିଜନରେ ୪.୮କୋଟି ଟଙ୍କାରେ ଅଲରାଉଣ୍ଡର ଡେନ ଖ୍ରୀଷ୍ଟିଆନଙ୍କୁ କିଣିଥିଲା । ସେ ଏପର୍ଯ୍ୟନ୍ତ ଆଇପିଏଲରେ ୪୩ ଟି ମ୍ୟାଚରେ ୩୪ଟି ୱିକେଟ୍ ନେଇଛନ୍ତି । ସେ ୪୪୯ ରନ୍ ମଧ୍ୟ ସଂଗ୍ରହ କରିଛନ୍ତି । ଯଦି ସେ ଅବଶିଷ୍ଟ ମ୍ୟାଚ୍ ଖେଳନ୍ତି ନାହିଁ, ତେବେ ସେମାନଙ୍କୁ ମାତ୍ର ୨.୪ କୋଟି ଟଙ୍କା ମିଳିବ ।

 ହେନ୍ରିକ୍ସ, ରିଚାର୍ଡସନ ଏବଂ ସ୍ମିଥଙ୍କୁ ମଧ୍ୟ କୋଟି କୋଟି ଟଙ୍କାର କ୍ଷତି ହେବ: ମୋଇଜେଜ୍ ହେନରିକ୍ସଙ୍କୁ ପଞ୍ଜାବ ୪.୨ କୋଟି, କେନ୍ ରିଚାର୍ଡସନ ଆରସିବି ୪ କୋଟି ଏବଂ ଷ୍ଟିଭ ସ୍ମିଥଙ୍କୁ ଦିଲ୍ଲୀ ୨.୨ କୋଟି ଟଙ୍କାରେ କିଣିଛି । ଏଭଳି ପରିସ୍ଥିତିରେ ଏହି ତିନି ଖେଳାଳିଙ୍କୁ ଯଥାକ୍ରମେ ୨.୧ କୋଟି, ୨ କୋଟି ଏବଂ ୧.୧ କୋଟି ଟଙ୍କା ହିଁ ମିଳିବ ।

You might also like