ଅଷ୍ଟ୍ରେଲିଆକୁ ହରାଇବା ପରେ ଟିମ୍ ଇଣ୍ଡିଆ ଉପରେ ବର୍ଷିଲା ଟଙ୍କା
ନୂଆଦିଲ୍ଲୀ: ବ୍ରିସ୍ବେନ୍ ଟେଷ୍ଟ ମ୍ୟାଚ୍ ଜିତି ଇତିହାସ ରଚିଲା ଟିମ୍ ଇଣ୍ଡିଆ। ଚତୁର୍ଥ ଟେଷ୍ଟ ମ୍ୟାଚ୍ରେ ଭାରତ ଅଷ୍ଟ୍ରେଲିଆକୁ ୩ ୱିକେଟ୍ରେ ହରାଇ ଦେଇଛି। ଋଷବ ପନ୍ତ ଓ ଶୁଭମନ ଗିଲ ଏହି ଐତିହାସିକ ବିଜୟର ହିରୋ ହୋଇଛନ୍ତି। ପନ୍ତ ୧୩୮ ବଲ ଖେଳି ୯ ଚୌକା ଓ ୧ ଛକା ସହ ୮୯ ରନ୍ କରି ଅପରାଜିତ ରହିଥିବା ବେଳେ ଗିଲ୍ ୧୪୬ ବଲରେ ୯୧ କରିଛନ୍ତି। ସେହିପରି ପୂଜାରା ୫୬ ରନର ଜବରଦସ୍ତ ପାଳି ଖେଳି ଭାରତକୁ ଏହି ଐତିହାସିକ ବିଜୟ ଦେଇଛନ୍ତି।
ଅଜିଙ୍କ୍ୟା ରାହଣେଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆକୁ ଦ୍ୱିତୀୟ ଥର ପାଇଁ ତା’ ଘରେ ପରାଜିତ କରି ଅର୍ଡର ଗାଭାସ୍କର ଟ୍ରଫି ନିଜ କବ୍ଜାକୁ ନେଇଛି। ଏଥିସହିତ ଗାବା ମୈଦାନରେ ଅଷ୍ଟ୍ରେଲିଆ ଚଳାଇ ଆସିଥିବା ବିଜୟଧାରାକୁ ଭାଙ୍ଗି ଦେଇଥିଲା ଟିମ୍ ଇଣ୍ଡିଆ।୧୯୮୮ ରେ ଅଷ୍ଟ୍ରେଲିଆ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଖେଳି ପରାଜିତ ହୋଇଥିଲା। ଏହା ପରେ ଏହି ପଡ଼ିଆରେ ଅଷ୍ଟ୍ରେଲିଆ କେବେ ହାରି ନ ଥିଲା ।
ମଙ୍ଗଳବାର ଏହି ଐତିହାସିକ ବିଜୟ ପରେ ଟିମ୍ ଇଣ୍ଡିଆ ଉପରେ ଯେମିତି ଟଙ୍କା ବର୍ଷୁଛି। ଏବେ ଟିମ୍ ଇଣ୍ଡିଆକୁ ୫ କୋଟିର ବୋନସ ମିଳିଛି। ବିସିସିଆଇର ସମ୍ପାଦକ ଜୟ ଶାହ ଭାରତୀୟ ଟିମ୍ର ଏପରି ପ୍ରଦର୍ଶନକୁ ପ୍ରଶଂସା କରିବା ସହ ଏହି ବୋନସ ସମ୍ପର୍କରେ ଘୋଷଣା କରିଛନ୍ତି।
ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି, “ଏହା ଏକ ସ୍ମରଣୀୟ ବିଜୟ। ଅଷ୍ଟ୍ରେଲିଆକୁ ଯାଇ ସେଠାରେ ଏଭଳି ସ୍ଥିତିରେ ମ୍ୟାଚ୍ ସହ ସିରିଜ୍ ଜିତିବା ଭାରତୀୟ କ୍ରିକେଟ ଇତିହାସରେ ସବୁଦିନ ପାଇଁ ଲିପିବଦ୍ଧ ହୋଇ ରହିବ। ବିସିସିଆଇ ଟିମ୍ ଇଣ୍ଡିଆ ପାଇଁ ୫ କୋଟିର ଟଙ୍କାର ବୋନସ ଘୋଷଣା କରୁଛି। ସିରିଜ୍ ଜିତିବାର ମୂଲ୍ୟ ଏହି ସଂଖ୍ୟା ଠାରୁ ଯଥେଷ୍ଟ ଅଧିକ।”
ସେହିପରି ଜୟ ଶାହ ଟ୍ୱିଟ କରି କହିଛନ୍ତି, ‘ବିସିସିଆଇ ଟିମ ଇଣ୍ଡିଆ ପାଇଁ ୫ କୋଟି ଟଙ୍କାର ବୋନସ ଘୋଷଣା କରିଛି। ଏହା ଟିମ୍ ଇଣ୍ଡିଆ ପାଇଁ ସ୍ୱତନ୍ତ୍ର ମୁହୂର୍ତ୍ତ। ଦକ୍ଷତାର ଏକ ଅନନ୍ୟ କୌଶଳ ଦେଖିବାକୁ ମିଳିଛି’ ବୋଲି ସେ କହିଛନ୍ତି। ଶ୍ରୀ ଶାହ ଟିମ୍ ଇଣ୍ଡିଆର ଯୁବ ବ୍ରିଗେଡଙ୍କ ପ୍ରଦର୍ଶନକୁ ମଧ୍ୟ ପ୍ରଶଂସା କରିଛନ୍ତି।
Just a remarkable win…To go to Australia and win a test series in this way ..will be remembered in the history of indian cricket forever ..Bcci announces a 5 cr bonus for the team ..The value of this win is beyond any number ..well done to every member of the touring party..
— Sourav Ganguly (@SGanguly99) January 19, 2021