ଭୁବନେଶ୍ୱର କୁମାର ହେବେ ଭାରତୀୟ ଦଳର ଅଧିନାୟକ..!

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ଜୁଲାଇରେ ଶ୍ରୀଲଙ୍କା ଗସ୍ତ କରିବ । ସେଠାରେ ଦଳ ୩ଟି ଦିନିକିଆ ଓ ୩ଟି ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳିବ । ତେବେ ସବୁଠୁ ବଡ଼ କଥା ହେଉଛି ଏହି ଗସ୍ତରେ ଭାରତର ବି ଟିମ୍‌ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ସୁଯୋଗ ପାଇବ । କାରଣ ଠିକ୍‌ ଏହି ସମୟରେ ଭାରତୀୟ କ୍ରିକେଟ ଦଳ ଇଂଲଣ୍ଡ ଗସ୍ତରେ ଥିବ । ବିରାଟ କୋହଲି, ରୋହିତ ଶର୍ମା, ଜସପ୍ରୀତ ବୁମ୍‌ରାହଙ୍କ ସମେତ ଅନେକ ଖେଳାଳି ଜୁଲାଇରେ ଇଂଲଣ୍ଡ ଗସ୍ତରେ ଥିବେ । ତେଣୁ ବିସିସିଆଇ, ଶ୍ରୀଲଙ୍କା ଗସ୍ତରେ ବି ଟିମ୍‌ର ଶକ୍ତିକୁ ପରୀକ୍ଷା କରିବ ।

ଏବେ ପ୍ରଶ୍ନ ଉଠୁଛି ଯେ, ଶ୍ରୀଲଙ୍କା ଗସ୍ତରେ ଏହି ବି ଟିମ୍‌ର ନେତୃତ୍ୱ କିଏ ନେବ ? ପୂର୍ବତନ ଟିମ୍ ଇଣ୍ଡିଆ ୱିକେଟ୍ କିପର ଦୀପ ଦାସଗୁପ୍ତାଙ୍କ କହିବାନୁଯାୟୀ, ଶ୍ରୀଲଙ୍କା ଗସ୍ତରେ ଭାରତୀୟ ଟିମ୍‌ର ନେତୃତ୍ୱ ନେବା ପାଇଁ ଶିଖର ଧାୱନ ରେସ୍‌ରେ ଅଛନ୍ତି । ଏହାସହ ଭୁବନେଶ୍ୱର କୁମାର ମଧ୍ୟ ଏହି ରେସ୍‌ରେ ଆଗରେ ଥିବା ଦୀପ ଦାସଗୁପ୍ତା ସୂଚନା ଦେଇଛନ୍ତି ।

ଦୀପ ଦାସଗୁପ୍ତ ଏକ ସାକ୍ଷାତକାରରେ କହିଛନ୍ତି ଯେ, ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଶିଖର ଧାୱନ ହିଁ ଦଳର ବରିଷ୍ଠ ଖେଳାଳି । ତେଣୁ ସେ ଦଳର ନେତୃତ୍ୱ ନେବା ଉଚିତ୍ । ତେବେ ଦାସଗୁପ୍ତ ଏହା ମଧ୍ୟ କହିଛନ୍ତି ଯେ ଯଦି ଭୁବନେଶ୍ୱର କୁମାର ଫିଟ୍ ହୋଇଯାଆନ୍ତି, ତେବେ ସେ ମଧ୍ୟ ଦଳର ମଧ୍ୟ ନେତୃତ୍ୱ ନେବାର ଶକ୍ତି ରଖିଛନ୍ତି ।

ଭୁବନେଶ୍ୱର କୁମାର ଧରିବେ କି ନେତୃତ୍ୱ ଭାର ?

ସ୍ପୋର୍ଟସ ଟୁଡେ ସହିତ ଏକ ବିଶେଷ ବାର୍ତ୍ତାଳାପରେ ଦୀପ ଦାସଗୁପ୍ତ ସମ୍ଭାବ୍ୟ ଅଧିନାୟକଙ୍କ ବିଷୟରେ ନିଜର ମତ ରଖିଛନ୍ତି । ସେ କହିଛନ୍ତି, ‘ବିରାଟ କୋହଲି ଏବଂ ରୋହିତ ଶର୍ମା ଉପସ୍ଥିତ ନାହାନ୍ତି । କେ.ଏଲ୍ ରାହୁଲ ମଧ୍ୟ ରହିବେନି, ଏହି ସମୟରେ ଜଣେ ସିନିୟର ଖେଳାଳିଙ୍କୁ ଦଳର ନେତୃତ୍ୱ ନେବାକୁ ହେବ । ସେହି ସିନିୟର ଖେଳାଳି ହେଉଛନ୍ତି ଶିଖର ଧାୱନ । କିନ୍ତୁ ଭୁବନେଶ୍ୱର କୁମାର ଯଦି ଫିଟ୍ ଅଛନ୍ତି ତେବେ ସେ ମଧ୍ୟ ଏହି ରେସ୍‌ରେ ଆଗରେ ରହିଛନ୍ତି ।’

ଭବନେଶ୍ୱର କୁମାରଙ୍କୁ ଇଂଲଣ୍ଡ ଗସ୍ତରେ ସାମିଲ କରାନଯିବା ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଦୀପ ଦାସଗୁପ୍ତା । ସେ କହିଛନ୍ତି ଭୁବନେଶ୍ୱରଙ୍କୁ ଦଳରେ ସାମିଲ କରାଗଲା ନାହିଁ, ଏଥିରେ ମୁଁ ଆଦୌ ଆଶ୍ଚର୍ଯ୍ୟ ନୁହେଁ । କାରଣ ଦଳରେ ଆଗରୁ ୬ଜଣ ବୋଲର ରହିଛନ୍ତି । ଇଂଲଣ୍ଡ ପାଇଁ ଭୁବନେଶ୍ୱର କୁମାର କ୍ଷତିକାରକ ସାବ୍ୟସ୍ତ ହୋଇପାରିଥାନ୍ତେ କିନ୍ତୁ ସେ ଗତ ଅଢ଼େଇ ବର୍ଷ ହେବ ଟେଷ୍ଟ କ୍ରିକେଟ ଖେଳି ନାହାନ୍ତି । ଅନ୍ୟପଟେ ସେ ଏବେ ବି ଆହତ ଅଛନ୍ତି । ତାଙ୍କ ଶରୀର ଟେଷ୍ଟ କ୍ରିକେଟ୍ ପାଇଁ ଫିଟ୍‌ କି ନାହିଁ ତାହା ଆମେ ଜାଣିନାହୁଁ । ତେଣୁ ଭାରତୀୟ ଟିମ୍‌ ଭୁବନେଶ୍ୱରଙ୍କୁ ନେଇ ରିସ୍କ ନେବାକୁ ଚାହିଁଲା ନାହିଁ ।

You might also like