ରାଜ୍ୟଗୋଷ୍ଠୀ କ୍ରୀଡ଼ା: ମହିଳା ଟେବୁଲ ଟେନିସ ଦଳ ପ୍ରଥମ ଥର ପାଇଁ ହାତେଇଲା ସ୍ୱର୍ଣ୍ଣ ପଦକ
ଗୋଲ୍ଡକୋଷ୍ଟ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଇତିହାସ ରଚିଲା ଭାରତ। ପ୍ରଥମ ଥର ପାଇଁ ଭାରତୀୟ ମହିଳା ଟେବୁଲ୍ ଟେନିସ ଦଳ ସ୍ୱର୍ଣ୍ଣ ପଦକ ହାତେଇଛି। ଦଳଗତ ମୁକାବିଲାରେ ଭାରତ ସିଙ୍ଗାପୁରକୁ ୩-୧ରେ ହରାଇ ସ୍ୱର୍ଣ୍ଣ ପଦକ ହାତେଇଛି। ଏହାକୁ ଲଗାଇ ଭାରତ ସ୍ୱର୍ଣ୍ଣ ପଦକ ସଂଖ୍ୟା ୭ରେ ପହଞ୍ଚିଛି। ରବିବାର ଅକ୍ସେନ୍ଫୋର୍ଡ ଷ୍ଟୁଡିଓସରେ ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍ରେ ଭାରତ ସିଙ୍ଗାପୁରକୁ ହରାଇ ଏହି ଗୌରବ ହାସଲ କରିଛି।
ଫାଇନାଲ୍ର ପ୍ରଥମ ସିଙ୍ଗଲ୍ସ ମୁକାବିଲାରେ ଦେଶର ଷ୍ଟାର ଖେଳାଳି ମାନିକା ବାତ୍ରା ତିଆନ୍ୱେଇ ଫେଙ୍ଗ୍ଙ୍କୁ ହରାଇ ଭାରତକୁ ୧-୦ରେ ଆଗୁଆ କରିଥିଲେ। କିନ୍ତୁ ଦ୍ୱିତୀୟ ସିଙ୍ଗଲ ମୁକାବିଲାରେ ଭାରତର ମଧୁରିକା ପାଟକରଙ୍କୁ ସିଙ୍ଗାପୁରର ମେନ୍ଗ୍ୟୁ ୟୁ ହରାଇ ମ୍ୟାଚ୍ ବରାବର କରିଦେଲେ। ତୃତୀୟ ମ୍ୟାଚ୍ରେ ଡବଲ୍ସ ମୁକାବିଲାରେ ଭାରତ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲା। ଭାରତର ମୌମା ଦାଶ ଓ ମଧୁରିକାଙ୍କ ଯୋଡ଼ି ସିଙ୍ଗାପୁରର ୟିହାନ୍ ଝୌ ଓ ମେନ୍ଗ୍ୟୁ ୟୁଙ୍କ ଯୋଡ଼ିକୁ ହରାଇ ପୁଣିଥରେ ଦେଶର ସ୍କୋର ବଢ଼ାଇ ଥିଲେ। ଶେଷ ମୁକାବିଲାରେ ସିଙ୍ଗଲ୍ ବର୍ଗରେ ମାନିକା ୟିହାନ ଝୌଙ୍କୁ ହରାଇ ଭାରତକୁ ସ୍ୱର୍ଣ୍ଣ ପଦକ ଜିତାଇଥିଲେ। ପୂର୍ବରୁ ଆଜି ଭାରତ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଛି। ମହିଳା ଭାରୋତ୍ତୋଳନ ୬୯ କେଜି ବର୍ଗରେ ପୁନମ ଯାଦବ ଓ ୧୦ ମିଟର ମହିଳା ବନ୍ଧୁକ ଚାଳନାରେ ମାନୁ ଭାକର ସ୍ୱର୍ଣ୍ଣ ପଦକ ଜିତିଛନ୍ତି।