ଦର୍ଶକଙ୍କୁ ଅଭଦ୍ର ଶବ୍ଦ କହି ଦଣ୍ଡିତ ହେଲେ ବେନ୍‌ ଷ୍ଟୋକ୍ସ

ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକା ବିପକ୍ଷ ୪ର୍ଥ ଟେଷ୍ଟର ପ୍ରଥମ ଦିନରେ ଇଂଲଣ୍ଡ ଅଲରାଉଣ୍ଡର ବେନ ଷ୍ଟୋକ୍ସ ଦର୍ଶକଙ୍କ ପ୍ରତି ଅଭଦ୍ର ଶବ୍ଦ ପ୍ରୟୋଗ କରିଥିବାରୁ ଆଇସିସି ଆଜି ତାଙ୍କୁ ଦଣ୍ଡିତ କରିଛି। ତାଙ୍କ ମ୍ୟାଚ୍‌ର ୧୫% ଫି’ କାଟିବା ସହିତ ତାଙ୍କୁ ଗୋଟିଏ ଡିମେରିଟ୍‌ ପଏଣ୍ଟ ମିଳିଛି।

୪ର୍ଥ ଟେଷ୍ଟରେ ଷ୍ଟୋକ୍ସ ମାତ୍ର ୨ ରନ୍‌ କରି ଆଉଟ୍‌ ହୋଇଥିଲେ। ତେବେ ପ୍ୟାଭିଲିୟନ ଫେରିବା ବେଳେ ସେ ଦର୍ଶକଙ୍କ ପ୍ରତି ଅପଶବ୍ଦ ପ୍ରୟୋଗ କରୁଥିବା କ୍ୟାମେରାରେ କଏଦ ହୋଇଥିଲା। ଏହାପରେ ଆଇସିସି ଏହାକୁ ଗୁରୁତ୍ୱର ସହ ନେଇଥିଲା। ଆଇସିସିର ଦଣ୍ଡାଦେଶକୁ ଷ୍ଟୋକ୍ସ ଗ୍ରହଣ କରିବା ସହ ନିଜର ଭୁଲ ସ୍ୱୀକାର କରିଛନ୍ତି।

ସେ କହିଛନ୍ତି, “ମୁ ବ୍ୟବହାର କରିଥିବା ଖରାପ ଶବ୍ଦ ଟିଭିରେ ରେକର୍ଡିଂ ହୋଇଛି। ଏଥିପାଇଁ ମୁଁ କ୍ଷମା ମାଗିଛି। ଆଗକୁ ଏଭଳି କେବେ କରିବି ନାହିଁ। ତେବେ ମୁଁ ଆଉଟ ହୋଇ ପ୍ୟାଭିଲିୟନ ଫେରୁଥିବା ବେଳେ ଦର୍ଶକମାନେ ମୋ ପ୍ରତି ଅପମାନ ସୂଚକ ମନ୍ତବ୍ୟ ବାରମ୍ବାର ଦେଇଥିଲେ। ଏଥିରେ ରାଗିଯାଇ ମୁଁ ଖରାପ ଶବ୍ଦର ପ୍ରୟୋଗ କରିଥିଲି। ମୁଁ ମାନୁଛି ମୋ ଶବ୍ଦ ଅନପ୍ରଫେସନାଲ ଥିଲା। ମୁଁ ମୋର ଶବ୍ଦ ପାଇଁ କ୍ଷମା ମାଗୁଛି।

You might also like