ବିଶ୍ୱକପ୍ ହକିରେ ଅାଜି ବେଲ୍‌ଜିୟମ୍‌କୁ ଭେଟିବ ଭାରତ

ବିଜୟଧାରା ବଜାୟ ଲକ୍ଷ୍ୟରେ ଉଭୟ ଟିମ୍

ଭୁବନେଶ୍ୱର : ବିଶ୍ୱକପ୍ ହକିରେ ଅାଜି ଭାରତ ଖେଳିବ ଦ୍ୱିତୀୟ ମ୍ୟାଚ୍‌। ବିପକ୍ଷରେ ଶକ୍ତିଶାଳୀ ବେଲଜିୟମ୍। ଓ୍ୱାର୍ଲଡ ରାଙ୍କିଙ୍ଗ୍‌ରେ ନମ୍ବର ଥ୍ରୀରେ ଥିବା ୟୁରୋପିୟନ୍ ପାଓ୍ୱାର ହାଉସ୍ ବେଲଜିୟମ ଗତ କିଛି ବର୍ଷ ହେବ ଲଗାତାର ଭଲ ପ୍ରଦର୍ଶନ କରି ଅାସୁଛି। ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିଲା ବେଲଜିୟମ। ଅଲିମ୍ପିକ୍ସରେ ସ୍ଥାନ ପାଇଥିବା ଅଧିକାଂଶ ଖେଳାଳି ଏଥର ବିଶ୍ୱକପ୍ ଖେଳୁଛନ୍ତି। ତେଣୁ ଅାୟୋଜକ ଭାରତକୁ ତାର ଘରୋଇ ଗ୍ରାଉଣ୍ଡରେ ମାତ୍ ଦେବାକୁ ଚେଷ୍ଟା କରିବ ବେଲଜିୟମ୍।

ଏପଟେ ଭାରତୀୟ ଫରଓ୍ୱାର୍ଡ ଲାଇନ୍ ପ୍ରଥମ ମ୍ୟାଚ ଭଳି ଅାଟାକିଂ ହକି ଖେଳି ବେଲଜିୟମକୁ ଚକ୍‌ମା ଦେବାକୁ ଚେଷ୍ଟା କରିବ। ଦକ୍ଷିଣ ଅାଫ୍ରିକା ବିପକ୍ଷରେ ଟିମ୍ ଇଣ୍ଡିଅା ଅାକର୍ଷଣୀୟ ପ୍ରଦର୍ଶନ କରିଥିଲେ ମଧ୍ୟ ପେନାଲ୍‌ଟି କର୍ଣ୍ଣରକୁ ଗୋଲ୍‌ରେ ପରିଣତ କରିବାରେ ସେତେଟା ସଫଳ ହୋଇ ନଥିଲା।

ଏପରିକି ମ୍ୟାଚର ଶେଷ କେଇ ମିନିଟ୍ ଭାରତ ଅଧିକ ରକ୍ଷଣାତ୍ମକ ଖେଳିଥିଲା। ତେବେ ଉଭୟ ଟିମ୍ ନିଜ ନିଜର ପ୍ରଥମ ମ୍ୟାଚ ଜିତିଥିବାରୁ ବିଜୟଧାରା ବଜାୟ ରଖିବାକୁ ଚେଷ୍ଟା କରିବେ।

You might also like