ହିଟମ୍ୟାନଙ୍କୁ ଜନ୍ମ ଦିନରେ ନିଆରା ଢ଼ଙ୍ଗରେ ଶୁଭେଚ୍ଛା ଜଣାଇଲା ICC-BCCI

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଓପନିଂ ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଆଜି (ଏପ୍ରିଲ ୩୦) ୩୪ ତମ ଜନ୍ମଦିନ। ଏହି ଅବସରରେ ଦିନିକିଆ କ୍ରିକେଟରେ ତିନୋଟି ଦ୍ୱିଶତକ ହାସଲ କରିଥିବା ଏହି ଦୁର୍ଦଶ ବ୍ୟାଟ୍ସମ୍ୟାନଙ୍କୁ ବିଶ୍ୱର ବିଭିନ୍ନ କୋଣ ଅନୁକୋଣରୁ ତାଙ୍କ ଫ୍ୟାନ ଓ କ୍ରିକେଟ ପ୍ରେମୀମାନେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଏମିତିକି ଅନ୍ତର୍ଜାତୀୟ କ୍ରିକେଟ୍ କାଉନସିଲ୍ (ଆଇସିସି) ମଧ୍ୟ ରୋହିତ ଶର୍ମାଙ୍କୁ ଏକ ନିଆରା ଢ଼ଙ୍ଗରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛି। ଆଇସିସି ପକ୍ଷରୁ ରୋହିତ ଶର୍ମାଙ୍କ ଏକ ପୁଲ ସଟ୍ ଖେଳୁଥିବା ଭିଡିଓ ସେୟାର କରି ଶୁଭେଚ୍ଛା ଦିଆଯାଇଛି। ଏହି ଭିଡିଓ ପୋଷ୍ଟ କରି ଆଇସିସି ପକ୍ଷରୁ ଲେଖାଯାଇଛି ଯେ, ଦିନ ସାରା ବସି ଏହି ଭିଡିଓ ଦେଖିହେବ। ଜନ୍ମ ଦିନର ଅନେକ ଅଭିନନ୍ଦନ ‘ମାଷ୍ଟର ଅଫ୍ ପୁଲ ସଟ୍’।

ଆଇସିସି ବ୍ୟତୀତ ବିସିସିଆଇ ମଧ୍ୟ ଟିମ୍ ଇଣ୍ଡିଆର ଏହି ହିଟମ୍ୟାନ୍’ଙ୍କ ସ୍ମରଣୀୟ ଇନିଂସ ଗୁଡ଼ିକର କିଛି ମୂହୁର୍ତ୍ତକୁ ଏକାଠି କରି ଏକ ଭିଡିଓ ପୋଷ୍ଟ କରିଛି। ଆଉ ରୋହିତଙ୍କୁ ଶୁଭେଚ୍ଛା ଜଣାଇଛି। ବିସିସିଆଇ ଭିଡିଓ ପୋଷ୍ଟ କରି ଲେଖିଛି ଯେ, ଦିନିକିଆରେ ତିନୋଟି ଦ୍ୱିଶତକ ହାସଲ କରିଥିବା ଏକମାତ୍ର ଖେଳାଳି, ୨୦୦୭ରେ ଟି-୨୦ ବିଶ୍ୱକପ୍ ଏବଂ ୨୦୧୩ରେ ଚାମ୍ପିଅନ୍ସ ଟ୍ରଫି ଜିତିଥିବା ଭାରତୀୟ କ୍ରିକେଟ ଦଳର ସଦସ୍ୟ, ୧୪ ହଜାର ୬୮୪ ରନ ସଂଗ୍ରହ କରିଥିବା ବ୍ୟାଟ୍ସମ୍ୟାନଙ୍କୁ ଜନ୍ମଦିନର ଶୁଭେଚ୍ଛା। ଭିଡିଓ ସେୟାର କରି ଆହୁରି ଲେଖାଯାଇଛି ଯେ, ଘରେ ବସନ୍ତୁ ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ହିଟମ୍ୟାନଙ୍କ ଏହି ସ୍ମରଣୀୟ ଇନିଂସକୁ ଉପଭୋଗ କରନ୍ତୁ।

ମୁମ୍ବାଇ ଇଣ୍ଡିଆନ୍ସ ଜଣାଇଲା ଅଭିନନ୍ଦନ

ଭାରତୀୟ ଦ୍ରୁତ ବୋଲର ଖାଲିଲ ଅହମ୍ମଦ ମଧ୍ୟ ଟ୍ୱିଟ କରି ରୋହିତଙ୍କୁ ୩୪ତମ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି। ସେ ଲେଖିଛନ୍ତି ଯେ, ‘ଆପଣଙ୍କ ବ୍ୟାଟ୍ ଏବଂ ବଲ୍ ମଧ୍ୟରେ ଥିବା ଅସାଧାରଣ ସମ୍ପର୍କକୁ ସମସ୍ତେ ପସନ୍ଦ କରନ୍ତି। ଆପଣଙ୍କୁ ବ୍ୟାଟିଂ କରୁଥିବା ଦେଖିବାକୁ ଭଲ ଲାଗେ। ମୁଁ ଆଶା କରୁଛି ଆପଣ ଦେଶ ପାଇଁ ଆହୁରି ଶତକ ହାସଲ କରିବେ। ଜନ୍ମଦିନର ଶୁଭେଚ୍ଛା ଭାଇ।

ସେହିଭଳି ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ସେମାନଙ୍କ ଅଧିନାୟକଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଅନ୍ୟପଟେ ମୁମ୍ବାଇ ଇଣ୍ଡିଆନ୍ସ ବୋଲିଂ କୋଚ୍ ସେନ ବଣ୍ଡ ମଧ୍ୟ କହିଛନ୍ତି ଯେ ରୋହିତ ତାଙ୍କର ପ୍ରିୟ ଖେଳାଳି।

ରୋହିତ ୨୯ଟି ଶତକ ହାସଲ କରିଛନ୍ତି

ରୋହିତ ଏପର୍ଯ୍ୟନ୍ତ ୩୮ଟି ଟେଷ୍ଟ, ୨୨୭ଟି ଦିନିକିଆ ଏବଂ ୧୧୧ ଟି-୨୦ ଖେଳିଛନ୍ତି। ସେ ଟେଷ୍ଟରେ ୭ଟି ଶତକ ହାସଲ କରିଥିବା ବେଳେ ମୋଟ ୨୬୧୫ ରନ୍ ସଂଗ୍ରହ କରିଛନ୍ତି। ଦିନିକିଆରେ ଏହି ବ୍ୟାଟ୍ସମ୍ୟାନ ୨୯ଟି ଶତକ ହାସଲ କରିଥିବା ବେଳେ ୯ ହଜାରରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି। ୨୦୦୭ରେ ପ୍ରଥମ ଟି-୨୦ ବିଶ୍ୱକପ ଜିତିଥିବା ଭାରତୀୟ ଦଳର ସଦସ୍ୟ ଥିଲେ ରୋହିତ । ସେ ଏବେ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଦାୟିତ୍ୱ ତୁଲାଉଛନ୍ତି।

You might also like