ମହଙ୍ଗା ପଡିଲା ବଲ୍ ଟାମ୍ପରିଂ : ଅଷ୍ଟ୍ରେଲିଆ କ୍ରିକେଟ୍ ଟିମ୍ ଅଧିନାୟକ ପଦରୁ ହଟିଲେ ଷ୍ଟିଭ୍ ସ୍ମିଥ୍

କେପଟାଉନ୍: ମହଙ୍ଗା ପଡିଲା ବଲ୍ ଟାମ୍ପରିଂ।  ଅଷ୍ଟ୍ରେଲିଆର କ୍ରିକେଟ୍ ଟିମ୍ ଅଧିନାୟକ ପଦରୁ ହଟିଲେ ଷ୍ଟିଭ୍ ସ୍ମିଥ୍। ସେହିପରି ଉପ-ଅଧିନାୟକ ପଦରୁ ମଧ୍ୟ ହଟିଛନ୍ତି ଡେଭିଡ୍ ୱାର୍ଣ୍ଣର।

ଏନେଇ ଅଷ୍ଟ୍ରେଲିଆନ କ୍ରିକେଟ୍ ବୋର୍ଡ଼ ଆଜି କନଫର୍ମ କରିଛି। କାର୍ଯ୍ୟାନୁଷ୍ଠାନ ପାଇଁ ଅଷ୍ଟ୍ରେଲିଆ ସରକାର ନିର୍ଦ୍ଦେଶ ଥିଲେ।

ଅନ୍ୟପକ୍ଷରେ, କାମଚଳା ଅଧିନାୟକ ଭାବେ ଟିମ୍ ପେନ୍ ଙ୍କ ନାମ ଘୋଷଣା କରାଯାଇଛି।

ଦକ୍ଷିଣ ଆଫ୍ରିକା ବିପକ୍ଷ କେପଟାଉନରେ ଖେଳାଯାଇଥିବା ତୃତୀୟ ଟେଷ୍ଟର ତୃତୀୟ ଦିନରେ ବାନ୍‌କ୍ରଫଟ୍‌ ଏକ ହଳଦିଆ ରଙ୍ଗର ବସ୍ତୁ ଧରି ବଲ୍ ଟାମ୍ପରିଂ କରୁଥବା କ୍ୟାମେରାରେ କଏଦ୍ ହୋଇଥିଲା।

ଅମ୍ପାୟାର୍ ନିଗେଲ୍ ଲଙ୍ଗ୍ ଓ ରିଚାର୍ଡ ଇଲିଙ୍ଗ ଓ୍ୱର୍ଥ ଏନେଇ ବାନ୍‌କ୍ରଫଟ୍‌ଙ୍କ ସହ ଆଲୋଚନା କରିଥିଲେ। ଏହାପରେ ବାନ୍‌କ୍ରଫଟ୍‌ ପକେଟରୁ ଏକ ଚଷମା ଖୋଳ ବାହାର କରି ଦେଖାଇଥିଲେ। ଫଳରେ ସେହି ସମୟରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା।

ତେବେ ଅଷ୍ଟ୍ରେଲିଆ ଓପ୍ନର୍ କାମେରନ୍ ବାନ୍‌କ୍ରଫଟ୍‌ ଓ ଅଧିନାୟକ ଷ୍ଟିଭ୍ ସ୍ମିଥ୍ ଏହି ବଲ୍ ଟାମ୍ପରିଂ ଅଭିଯୋଗକୁ ସ୍ୱୀକାର କରିଛନ୍ତି।

ସୁଯୋଗ ପାଇ ସେ ଏହି କାମରେ ସଂଶ୍ଲିଷ୍ଟ ହୋଇଥିଲେ ବୋଲି ବାନ୍‌କ୍ରଫଟ୍‌ କହିଛନ୍ତି। ତେବେ ଏନେଇ ସେ ବାସନ୍ଦର ସମ୍ମୁଖୀନ ହୋଇପାରନ୍ତି।

You might also like