ଶ୍ରୀଲଙ୍କା ଅଧିନାୟକ ଦିନେଶ ଚାଣ୍ଡିମଲଙ୍କ ନାଁରେ ବଲ୍ ଟାମ୍ପରିଂ ଅଭିଯୋଗ
ନୂଆଦିଲ୍ଲୀ: ବଲ୍ ଟାମ୍ପରିଂ କେସ୍ରେ ଦୋଷୀ ସାବ୍ୟସ୍ତ ହେଲେ ଶ୍ରୀଲଙ୍କା କ୍ରିକେଟ୍ର ଅଧିନାୟକ ଦିନେଶ ଚାଣ୍ଡିମଲ। ୱେଷ୍ଟଇଣ୍ଡିଜ୍ ବିରୋଧରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ବଲ୍ ଖରାପ କରିବା ଅଭିଯୋଗ ତାଙ୍କ ନାଁରେ ରହିଥିଲା। ତେବେ ଏ ନେଇ ରବିବାର ଆଇସିସି ଚାଣ୍ଡିମଲଙ୍କ ଉପରେ କ୍ରିକେଟ ଆଚରଣବିଧୀ ୨.୨.୯ର ଉଲ୍ଲଙ୍ଘନ କରିଥିବା ଅଭିଯୋଗ ଲଗାଇଛି। ଏ ନେଇ ଆଜି ଆଇସିସି ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛି।
ଶ୍ରୀଲଙ୍କା ୱେଷ୍ଟଇଣ୍ଡିଜ୍ ମଧ୍ୟରେ ସେଣ୍ଟ ଲୁସିଆରେ ଖେଳାଯାଉଥିବା ଟେଷ୍ଟମ୍ୟାଚ୍ରେ ଦ୍ୱିତୀୟ ଓ ତୃତୀୟ ଦିନରେ ଶ୍ରୀଲଙ୍କା ଖେଳାଳିମାନେ ବଲ୍କୁ ଖରାପ ଢଙ୍ଗରେ ଘସିଥିଲେ। ଏଥିପାଇଁ ଦଣ୍ଡସ୍ୱରୁପ ଶୁକ୍ରବାର ଅମ୍ପାୟାର ପାଞ୍ଚ ରନ୍ ପେନାଲ୍ଟି ଦେବା ସହିତ ବଲ୍ ବଦଳାଇବାକୁ ନିଷ୍ପତ୍ତି ନେଇଥିଲେ। ଯାହାକୁ ବିରୋଧ କରି ଶ୍ରୀଲଙ୍କା ଖେଳାଳିମାନେ ପଡ଼ିଆକୁ ଓହ୍ଲାଇ ନଥିଲେ।
ଏଥିପାଇଁ ଶନିବାର ଦୁଇଘଣ୍ଟା ବିଳମ୍ବରେ ଖେଳ ଆରମ୍ଭ ହୋଇଥିଲା। ଖେଳରେ ଅଧିନାୟକ ଚାଣ୍ଡିମଲ ଅମ୍ପାୟାରଙ୍କ ସହିତ ବହୁତ ସମୟଧରି ଯୁକ୍ତିତର୍କ କରୁଥିବାର ମଧ୍ୟ ଦେଖାଯାଇଥିଲା।
ପ୍ରକାଶ ଥାଉକି, କ୍ରିକେଟ୍ରେ ଆଚରଣବିଧୀ ୨.୨.୯ର ବଲ୍ ଖରାପ କରିବା ପ୍ରସଙ୍ଗରେ ଲଗାଯାଇଥାଏ। ନିକଟରେ ଅଷ୍ଟ୍ରେଲିଆ ଖେଳାଳି କ୍ୟାମରନ ବନକ୍ରାଫ୍ଟଙ୍କ ଉପରେ ମଧ୍ୟ ଏହି ଅଭିଯୋଗ ଲାଗିଥିଲା। ସାଉଥ୍ ଆଫ୍ରିକା ସହିତ ମ୍ୟାଚ୍ ଖେଳୁଥିବା ସମୟରେ ଅଷ୍ଟ୍ରେଲିଆ ଖେଳାଳିଙ୍କ ନାଁରେ ବଲ୍ ଟାମ୍ପରିଂ ଅଭିଯୋଗ ଆସିଥିଲା। ଏଥିପାଇଁ ଷ୍ଟିଭି ସ୍ମିଥ୍, ଡେଭିଡ୍ ୱାର୍ଣ୍ଣର ଓ ବନକ୍ରାଫ୍ଟଙ୍କୁ ବାସନ୍ଦ କରାଯାଇଥିଲା।