ବବିତାଙ୍କ ଟ୍ୱିଟ୍‌କୁ ନେଇ ହଙ୍ଗାମା: ଜବାବରେ କହିଲେ, ମୁଁ ଅସଲି ବବିତା ଫୋଗାଟ୍, ଧମକରେ ଡରିବିନି

ନୂଆଦିଲ୍ଲୀ: ଦେଶ କରୋନା ମହାମାରୀ ସହିତ ଲଢ଼ୁଥିବା ବେଳେ ବେପରୁଆପଣ ଯୋଗୁ କରୋନା ବ୍ୟାପିବା ନେଇ ସାରା ଦେଶରେ ସମାଲୋଚିତ ହୋଇଥିଲା ଇସ୍ଲାମୀୟ ଧାର୍ମିକ ସଂଗଠନ ତବଲିଗୀ ଜମାତ। ଏହାକୁ ନେଇ ବିଭିନ୍ନ ବର୍ଗରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

ନିକଟରେ ଭାରତର ଷ୍ଟାର୍ ରେସଲର୍ ବବିତା ଫୋଗାଟ୍ ମଧ୍ୟ ତବଲିଗି ଜମାତକୁ ନେଇ ଏକ ଟ୍ୱିଟ୍ କରିଥିଲେ। ପରେ ଏହି ଟ୍ୱିଟ୍‌କୁ ନେଇ ବିବାଦ ଉପୁଜିଥିଲା। କିଛି ଲୋକ ତାଙ୍କୁ ପେସ୍‌ବୁକ୍‌, ହ୍ୱାଟ୍‌ସଆପ୍‌ରେ ମେସେଜ୍‌ କରି ନାନା କଥା କହିବା ସହିତ ଫୋନ୍‌ କରି ଧମକ୍‌ ମଧ୍ୟ ଦେଇଛନ୍ତି। ତେବେ ଏଥିରେ ପ୍ରତିକ୍ରିୟା ରଖି ଏକ ଭିଡିଓ ଜାରି କଡ଼ା ଜବାବ ରଖିଛନ୍ତି ରେସଲ୍‌ର ବବିତା ଫୋଗାଟ୍।

ଭିଡିଓରେ ପ୍ରଥମେ ଦେଶବାସୀଙ୍କୁ ନମସ୍କାର କରିବା ପରେ ସେହି ଅସାମାଜିକ ବ୍ୟକ୍ତିମାନଙ୍କ ବିରୋଧରେ ବର୍ଷିଛନ୍ତି ବବିତା।

ଟ୍ୱିଟର୍‌ରେ ଅପ୍‌ଲୋଡ କରିଥିବା ଭିଡିଓରେ ସେ କହିଛନ୍ତି, ଗତ କିଛିଦିନ ତଳେ ମୁଁ ଗୋଟିଏ ଦୁଇଟି ଟ୍ୱିଟ୍‌ କରିଥିଲି। ଏହାପରେ ମୋତେ କିଛିଲୋକ ଫେସ୍‌ବୁକ୍‌ ମେସେଞ୍ଜର୍‌, ଟ୍ୱିଟର୍‌ ଓ ହ୍ୱାଟ୍ସଆପ୍‌ରେ ମେସେଜ୍‌ କରି ଅଭଦ୍ର ଗାଳି ଦେଉଛନ୍ତି। ଆଉ କିଛି ଲୋକ ଫୋନ୍ କରି ଧମକ ଦେଉଛନ୍ତି। ସେମାନେ ସମସ୍ତେ କାନ ଖୋଲି ଶୁଣନ୍ତୁ, ମୁଁ ଜାଏରା ୱାସିମ୍ ନୁହେଁ ଯେ ତୁମମାନଙ୍କ ଧମକ୍‌ରେ ଡରି ଘରେ ବସିଯିବି। ମୁଁ ଅସଲ ବବିତା ଫୋଗାଟ୍। ତୁମ ଧମକ୍‌ରେ ଡରିଯିବିନି। ନିଜ ଦେଶ ପାଇଁ ସବୁବେଳେ ଲଢ଼ିଛି ଆଉ ଏମିତି ସବୁବେଳେ ଲଢୁଥିବି ଓ କହୁଥିବି। ମୁଁ ଯେଉଁ ଟ୍ୱିଟ୍‌ କରିଛି ସେଥିରେ କୌଣସି ଭୁଲ୍‌ କଥା ଲେଖିନି। ମୁଁ ମୋ ଟ୍ୱିଟ୍‌ରେ ଏବେବି କାଏମ୍‌ ରହିଛି ଓ ରହିବି ମଧ୍ୟ।

ବବିତା ଗୁରୁବାର ତବଲିଗି ଜମାତ୍ ଉପରେ ଜୋରଦାର ଆକ୍ରମଣ କରିଥିଲେ। ନିଜ ଟ୍ୱିଟରେ ଯେ ଯେଉଁ ହ୍ୟାଶଟ୍ୟାଗ୍ ବ୍ୟବହାର କରିଥିଲେ, ତାହା ଖୁବ୍ ଭାଇରାଲ୍ ହୋଇଥିଲା। ଏହି ଟ୍ୱିଟ୍ ପରେ ତାଙ୍କୁ କିଛି ବିରୋଧ କରିଥିବା ବେଳେ ଅନେକ ମଧ୍ୟ ତାଙ୍କୁ ସମର୍ଥନ କରିଥିଲେ। ଦୁଇଟି ଯାକ ହ୍ୟାଶଟ୍ୟାଗ୍ ଶୁକ୍ରବାର ଟପ୍ ଟ୍ରେଣ୍ଡରେ ରହିଛି।

ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ ଯେଉଁଲୋକମାଙ୍କୁ ସତ ଶୁଣିବାକୁ ପସନ୍ଦ କରିନ୍ତି ନାହିଁ ସେମାନେ ସତ ଶୁଣିବାର ଆଦତ କରି ନିଅନ୍ତୁ। ମୁଁ ଏମିତି ସବୁବେଳେ ସତ କହିବି ଓ ଲେଖିବି ମଧ୍ୟ।

ସୂଚନାଯୋଗ୍ୟ, ଅର୍ଜୁନ ପୁରସ୍କାର ବିଜେତା ୩୦ ବର୍ଷୀୟା ବବିତା ନିଜ ଟ୍ୱିଟର୍ ଆକାଉଣ୍ଟରେ ପୋଷ୍ଟ କରିଥିଲେ, କରୋନାଭାଇରସ୍ ଭାରତର ଦ୍ୱିତୀୟ ବଡ଼ ସମସ୍ୟା। ଜମାତ୍ ଏବେବି ପ୍ରଥମ ସ୍ଥାନରେ କାଏମ ରହିଛି। ବବିତାଙ୍କ ଏହି ଟ୍ୱିଟ୍ ପରେ ସୋଶାଲ ମିଡିଆରେ ହଇଚଇ ସୃଷ୍ଟି ହୋଇଥିଲା। ବବିତାଙ୍କ ଏହି ଟ୍ୱିଟକୁ ଭାରତର ଅନେକ କ୍ରୀଡ଼ାବିତ୍ ସମର୍ଥନ କରିଥିଲେ। ଭାରତର ଷ୍ଟାର୍ ରେସଲର୍ ବଜରଙ୍ଗ ପୁନିଆ, ଯୋଗେଶ୍ୱର ଦତ୍ତ, ଯୁବ ଶୁଟର୍ ମନୁ ଭାକର, ବବିତାଙ୍କ ବଡ଼ ଭଉଣୀ ଗୀତା ଫୋଗାଟ୍ ସମର୍ଥନ କରିଛନ୍ତି।

କିଏ ଜାଏରା ୱାସିମ୍‌?: କଶ୍ମୀରର ବାସିନ୍ଦା ଜାଏରା ୱାସିମ୍ ୨୦୧୬ରେ ଆମୀର ଖାନ୍ ଫିଲ୍ମ ଦଙ୍ଗଲରେ ଗୀତା ଫୋଗାଟଙ୍କ ପିଲାଦିନର ଚରିତ୍ରରେ ଅଭିନୟ କରିଥିଲେ। ତେବେ ସେ ହଠାତ୍ ଅଭିନୟ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ସେ କହିଥିଲେ, “ଅଭିନୟ କ୍ଷେତ୍ରକୁ ଆସିବାର ନିଷ୍ପତ୍ତି ମୋ ଜୀବନକୁ ବଦଳାଇ ଦେଲା। ମୋତେ ଏଥିପାଇଁ ବହୁତ ସାରା ଭଲପାଇବା ଏବଂ ଖ୍ୟାତି ମିଳିଲା। ତେବେ ମୋତେ ଏସବୁ ମିଳିବାର ଆବଶ୍ୟକ ନଥିଲା। ହୁଏତ ମୁଁ ଫିଟ୍ ଅଛି, କିନ୍ତୁ ମୁଁ ଏଠାକାର ନୁହେଁ। ଏହା ମୋତେ ମୋ ଧର୍ମଠାରୁ ଦୂରେଇ ଦେଉଛି।” ଜାଏରା ଧାର୍ମିକ ଚାପରେ ଆସି ଆକ୍ଟିଂ ଛାଡ଼ିବାକୁ ନିଷ୍ପତ୍ତି ନେଇଥିବା କୁହାଯାଇଥିଲା। କିଛି ଲୋକେ ମଧ୍ୟ ଏଥିପାଇଁ ଜାଏରାଙ୍କୁ ଖୁବ୍ ବିରୋଧ ମଧ୍ୟ କରିଥିଲେ।

 

You might also like