ଟିମ୍‌ ଇଣ୍ଡିଆର ବୋଲରଙ୍କୁ କହୁଣୀ ମାରି ଦଣ୍ଡିତ ହେଲେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ଚାଲିଥିବା ଆଇସିସି ଅଣ୍ଡର-୧୯ କ୍ରିକେଟ୍ ବିଶ୍ୱକପରେ ଟିମ୍ ଇଣ୍ଡିଆର ଜବରଦସ୍ତ ପ୍ରଦର୍ଶନ ଜାରି ରଖି ସେମିଫାଇନାଲରେ ସ୍ଥାନ ପକ୍କା କରିଛି। କ୍ୱାର୍ଟରଫାଇନାଲରେ ଭାରତ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୭୨ ରନରେ ହରାଇଥିଲା। ଏହି ମ୍ୟାଚରେ ଅଷ୍ଟ୍ରେଲିଆର ଓପନିଂ ବ୍ୟାଟ୍ସମ୍ୟାନ୍ ସାମ୍ ଫେନିଙ୍ଗ୍ ଭାରତୀୟ ପେସ୍ ବୋଲର ଆକାଶ ସିଂଙ୍କୁ କହୁଣୀ ମାରିଥିଲେ ଏବଂ ଏହି କାରଣରୁ ଆଇସିସି ଦଣ୍ଡସ୍ୱରୂପ ତାଙ୍କ (ଫେନିଙ୍ଗ) ଖାତାରେ ଦୁଇ ଡିମେରିଟ୍ ପଏଣ୍ଟ ଯୋଡ଼ିଛି।

ଏ ନେଇ ଆଇସିସି ପକ୍ଷରୁ କୁହାଯାଇଛି, ଫେନିଙ୍ଗ୍ ଖେଳାଳି ଏବଂ ଖେଳାଳିଙ୍କ ସହଯୋଗୀ ଷ୍ଟାଫଙ୍କ ସହ ଜଡ଼ିତ ଆଚାର ସଂହିତା ଧାରା-୧ର ଅନୁଯାୟୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହି ଘଟଣା ଘଟିଥିଲା ଅଷ୍ଟ୍ରେଲିଆ ଇନିଂସର ୩୧ତମ ଓଭରରେ। ଆକାଶ ସିଂଙ୍କ ବଲରେ ଏକ ରନ୍ ନେବା ସମୟରେ ଫେନିଙ୍ଗ୍ ଜାଣିଶୁଣି ନିଜ କହୁଣୀରେ ତାଙ୍କୁ (ଆକାଶ) ଧକ୍କା ମାରିଥିଲେ। ଯାହା ପରେ ଆକାଶ ସିଂ ଅମ୍ପାୟାରଙ୍କ ନିକଟରେ ଏହାର ଅଭିଯୋଗ କରିଥିଲେ।

ଏହି ଘଟଣାର ଭିଡିଓ ମଧଧ୍ୟ ଅଣ୍ଡର୍‌-୧୯ କ୍ରିକେଟ୍ ବିଶ୍ୱକପର ଅଫିସିଆଲ୍ ଟ୍ୱିଟର୍ ହ୍ୟାଣ୍ଡଲରେ ଶେଆର୍ କରାଯାଇଛି। ଫେନିଙ୍ଗଙ୍କୁ ମ୍ୟାଚ୍ ରେଫରୀ ଆଇସିସି କୋଡ୍ ଅଫ୍ କଣ୍ଡକ୍ଟର ଦାରା ୨.୧୨ର ଉଲ୍ଲଙ୍ଘନ କରିଥିବା ନେଇ ଦୋଷୀ ସାବ୍ୟସ୍ତ କରିଛନ୍ତି। ସୂଚନାଯୋଗ୍ୟ, କ୍ୱାର୍ଟରଫାଇନାଲରେ ହାରିବା ସହ ଅଷ୍ଟ୍ରେଲିଆର ବିଶ୍ୱକପ୍ ଅଭିଯାନ ଶେଷ ହୋଇଛି। ଏବେ ଅଷ୍ଟ୍ରେଲିଆ କେବଳ ପ୍ଲେ ଅଫ୍ ମ୍ୟାଚ୍ ଖେଳିବ।

 

You might also like