ବାଂଲାଦେଶକୁ ହରାଇ ୭ମ ଥର ପାଇଁ ଟାଇଟଲ୍‌ ଜିତିଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଶେଷ ବଲ୍‌ରେ ବାଂଲାଦେଶଠୁ ମ୍ୟାଚ୍‌କୁ ଛଡ଼ାଇ ଆଣିଲା ଟିମ୍ ଇଣ୍ଡିଆ। ସପ୍ତମ ଥର ପାଇଁ ଏସିଆ କପ୍‌କୁ ନିଜ ନାଁରେ କରିଛି ଭାରତ। ବାଂଲାଦେଶ ବିପକ୍ଷ ଏସିଆ କପ୍‌ ଫାଇନାଲ୍ ମ୍ୟାଚ୍‌ରେ ରୋହିତ ଶର୍ମାଙ୍କ ଟିମ୍‌ ଇଣ୍ଡିଆ ବାଂଲାଦେଶକୁ ରୋମାଞ୍ଚକର ମ୍ୟାଚ୍‌ରେ ୩ ୱିକେଟ୍‌ରେ ହରାଇ ଚମ୍ପିଅନ୍‌ ହୋଇଛି।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ଓପନର୍‌ ଲିଟନ୍‌ ଦାସଙ୍କ ବିସ୍ଫୋରକ ଶତକୁ ଆଧାର କରି ୨୨୨ ରନ୍‌ କରିଥିଲା।

୨୨୩ ରନ୍‌ର ଟାର୍ଗେଟ ପାଇଥିବା ଟିମ୍‌ ଇଣ୍ଡିଆ ଏହାକୁ ଶେଷ ବଲ୍‌ରେ ହିଁ ୭ ୱିକେଟ୍‌ ହରାଇ ହାସଲ କରି ନେଇଥିଲା। ପୁରା ସିରିଜ୍‌ରେ ଚମତ୍କାର ପ୍ରଦର୍ଶନ ପାଇଁ ଶିଖର ଧୱନ୍‌ଙ୍କୁ ମିଳିଛି ମ୍ୟାନ୍ ଅଫ୍ ଦ ସିରିଜ୍। ସେହିପରି  ଜବରଦସ୍ତ ଇନିଂସ ପାଇଁ ବାଂଲାଦେଶର ବ୍ୟାଟ୍ସମ୍ୟାନ୍ ଲିଟନ୍ ଦାସଙ୍କୁ ମିଳିଛି ମ୍ୟାନ୍ ଅଫ୍ ଦ ମ୍ୟାଚ୍ ପୁରସ୍କାର।

କେଦାର ଯାଦବ ଶେଷ ବଲ୍‌ରେ  ୧ ରନ୍‌ ନେଇ ଭାରତ ପାଇଁ ବିଜୟ ମୁଣ୍ଡି ମାରିଥିଲେ। ସେ ୨୭ ବଲ୍‌ରେ ୨୩ ରନ୍‌ର ଇନିଂସ୍‌ ଖେଳିଥିଲେ।

୨୨୩ ରନ୍‌ର ଟାର୍ଗେଟ ପାଇଥିବା ଟିମ୍‌ ଇଣ୍ଡିଆର ଦୁଇ ଓପନର୍‌ ରୋହିତ ଶର୍ମା ଓ ଶିଖର ଧୱନ୍‌ ଜବରଦସ୍ତ ଆରମ୍ଭ କରିଥିଲେ।

ତେବେ ଦଳୀୟ ସ୍କୋର୍‌ ୩୫ ଥିବା ବେଳେ ବଡ଼ ଶଟ୍‌ ଖେଳିବାକୁ ଯାଇ ଶିଖର ଧୱନ୍‌ ଆଉଟ୍‌ ହୋଇଯାଇଥିଲେ। ସେ ମାତ୍ର ୧୫ ରନ୍‌ କରି ଆଉଟ୍ ହୋଇଥିଲେ। ଏହାପରେ ଦଳୀୟ ସ୍କୋର ୪୬ ଥିବା ବେଳେ ରାୟିଡୁ(୨) ଆଉଟ୍‌ ହୋଇଯାଇଥିଲେ।

ତେବେ ତୃତୀୟ ୱିକେଟ୍‌ ପାଇଁ ରୋହିତ ଶର୍ମା ଓ ଦିନେଶ କାର୍ତ୍ତିକଙ୍କ ମଧ୍ୟରେ ୩୭ ରନ୍‌ର ଭାଗିଦାରୀ ହୋଇଥିଲା।  ରୋହିତ ୪୮ ରନ୍ କରି ରୁବେଲଙ୍କ ବଲ୍‌ରେ ଆଉଟ୍ ହୋଇଥିଲେ।

ଏହାପରେ ଦୀନେଶ କାର୍ତ୍ତିକଙ୍କ ସହ ମିଶି ଧୋନି ଟିମ୍ ଇଣ୍ଡିଆର ସ୍କୋରକୁ ଆଗକୁ ନେଇଥିଲେ। ଦଳୀୟ ସ୍କୋର ୧୩୭ ରନ୍‌ ହେଇଥିବା ବେଳେ କାର୍ତ୍ତିକ ୩୭ ରନ୍ କରି ଆଉଟ୍ ହେଇଥିଲେ। ତାଙ୍କୁ ମହାମୁଦୁଲ୍ଲା ଆଉଟ୍‌ କରିଥିଲେ।

ଧୋନି ୩୬ ରନ୍ କରିଥିବାବେଳେ ମୁସ୍ତାଫିଜୁରଙ୍କ ବଲ୍‌ରେ ଆଉଟ୍ ହେଇଥିଲେ। ୧୬୭ ରନ୍‌ରେ ୫ଟି ୱିକେଟ୍‌ ହରାଇ ଅଡୁଆରେ ପଡ଼ିଥିବା ଟିମ୍ ଇଣ୍ଡିଆକୁ ରବୀନ୍ଦ୍ର ଜାଡେଜା ଓ କେଦାର ଯାଦବ କିଛି ବାଟ ନେଇଥିଲେ। କିନ୍ତୁ କେଦାର ଆହତ ହୋଇ ପଡ଼ିଆ ବାହାରକୁ ଚାଲିଯିବାରୁ ଟିମ୍ ଇଣ୍ଡିଆର ଚିନ୍ତା ବଢ଼ି ଯାଇଥିଲା।

ଏହି ସମୟରେ ଜାଡ଼େଜାଙ୍କ ସହ ମିଶି ଭୁବନେଶ୍ୱର କୁମାର ଦଳୀୟ ସ୍ଥିତି ସମ୍ଭାଳି ଥିଲେ। ଉଭୟ ଷଷ୍ଠ ୱିକେଟ୍ ପାଇଁ ୪୫ ରନ୍‌ର  ଭାଗିଦାରୀ କରି ଦଳୀୟ ସ୍କୋରକୁ ୨୧୨ରେ ପହଞ୍ଚାଇଥିଲେ। ମାତ୍ର ଦୁଇ ରନ୍ ମଧ୍ୟରେ ଟିମ୍ ଇଣ୍ଡିଆ ଉଭୟ ଜାଡେଜା ଓ ଭୁବନେଶ୍ୱରଙ୍କୁ ହରାଇଥିଲା। ତେବେ କେଦାର ଯାଦବ ପୁଣି ପଡ଼ିଆକୁ ଆସିଥିଲେ।

ଶେଷ ଓଭରରେ ବିଜୟ ପାଇଁ ୬ ରନ୍ ଦରକାର ଥିବାବେଳେ କେଦାର ଓ କୁଲଦୀପ ଦଳକୁ ବିଜୟୀ କରାଇବାରେ ସଫଳ ହୋଇଥିଲେ।

You might also like