ଆଡିଲେଡ୍‌ ଟେଷ୍ଟ ହାରିବା ପରେ ସ୍କାନିଂ ପାଇଁ ହସ୍‌ପିଟାଲ ଗଲେ ମହମ୍ମଦ ଶାମୀ

ଆଡିଲେଡ୍: ଆଡିଲେଡ୍‌ ଟେଷ୍ଟ ମ୍ୟାଚ୍‌ର ତୃତୀୟ ଦିନରେ ବ୍ୟାଟିଂ କରୁଥିବା ବେଳେ ଆହତ ହୋଇଥିବା ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ଶାମୀଙ୍କୁ ସ୍କାନିଂ ପାଇଁ ହସ୍‌ପିଟାଲ ନିଆଯାଇଛି। ଆଜି ମ୍ୟାଚ୍‌ ଚାଲିଥିବା ବେଳେ ତାଙ୍କ କଚଟି(ରିଷ୍ଟ)ରେ ଏତେ ଜୋର୍‌ରେ ଆଘାତ ଲାଗିଥିଲା। ଯନ୍ତ୍ରଣାରେ ସେ ହାତ ଟେକି ପାରୁନାହାନ୍ତି ବୋଲି ବିରାଟ କୋହଲି କହିଛନ୍ତି। ସମ୍ଭବତଃ ତାଙ୍କୁ ଦ୍ୱିତୀୟ ମ୍ୟାଚ୍‌ରୁ ବାଦ ଦିଆଯାଇପାରେ। ଏନେଇ ଚର୍ଚ୍ଚା ମଧ୍ୟ ଜୋର୍ ଧରିଛି।

ତୃତୀୟ ଦିନ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଦ୍ରୁତ ବୋଲର ପ୍ୟାଟ୍‌ କମିନ୍ସଙ୍କ ଶର୍ଟ ବଲ୍‌କୁ ସାମ୍ନା କରୁଥିବା ବେଳେ ବଲ୍‌ଟି ସିଧା ଯାଇ ଶାମୀଙ୍କ କହୁଣୀରେ ବାଜିଥିଲା। ଅସହ୍ୟ ଯନ୍ତ୍ରଣା ହେବାରୁ ଚେକିଂ ପାଇଁ ପଡ଼ିଆ ଭିତରକୁ ହେଲ୍ଥ ମେଡିକାଲ ଷ୍ଟାଫ୍‌ଙ୍କୁ ଡକାଯାଇଥିଲା। କିଛି ସମୟ ଚିକିତ୍ସା ପରେ ବ୍ୟାଟିଂ କରିବାକୁ ଚେଷ୍ଟା କରିଥିଲେ ଶାମୀ। କିନ୍ତୁ ହାତର ଯନ୍ତ୍ରଣା ପାଇଁ ଶାମୀ ଶେଷରେ ସେ ରିଟାର୍ଡହଟ୍‌ ହେବାକୁ ନିଷ୍ପତ୍ତି ନେଇଥିଲେ । ଏବେ ତାଙ୍କର ସ୍କାନିଂ ପାଇଁ ଶାମୀଙ୍କୁ ହସ୍‌ପିଟାଲ ନିଆଯାଇଛି।

ମ୍ୟାଚ୍ ଶେଷ ପରେ ଶାମୀଙ୍କର ବିଷୟରେ ପଚରାଯିବାରୁ କୋହିଲ କହିଥିଲେ, ତାଙ୍କ ହାତରେ ପ୍ରବଳ ଯନ୍ତ୍ରଣା ହେଉଛି। ତାଙ୍କୁ ସ୍କାନିଂପାଇଁ ହସ୍‌ପିଟାଲ ନିଆଯିବ। ସନ୍ଧ୍ୟାରେ ତାଙ୍କ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଜଣାପଡ଼ିବ।

ସୂଚନା ଥାଉକି ଆଜି ଆଡିଲେଡ୍ ଟେଷ୍ଟରେ ଭାରତର ଲଜ୍ଜାଜନକ ପରାଜୟ ହୋଇଛି। ଏହାପରେ ଟିମ୍‌ ଇଣ୍ଡିଆକୁ ଚାରିଆଡ଼ୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଛି। ପାକିସ୍ତାନ କ୍ରିକେଟର ଶୋଏବ ଅଖତର ମଧ୍ୟ ଟିମ୍‌ ଇଣ୍ଡିଆର ପରାଜୟକୁ ନେଇ ବିଲେଇ ଦେଖି ଭୟାଳୁ ପାରାର ଅବସ୍ଥା ହେଲା ଭଳି ହୋଇଛି ବୋଲି କହିଛନ୍ତି।

ଦୁଇ ଦଳ ମଧ୍ୟରେ ପରବର୍ତ୍ତି ମ୍ୟାଚ୍ ଡିସେମ୍ବର ୨୬ ତାରିଖରେ ଖେଳାଯିବ। ଏହି ମ୍ୟାଚ୍‌ ଏଥର ମେଲବର୍ଣ୍ଣରେ ଖେଳାଯିବ। ଯେଉଁଥିରେ କୋହଲି ଖେଳିବେ ନାହିଁ। କାରଣ କୋହଲି ପେଟର୍ନିଟି ଲିଭ୍‌ ନେଇ ଭାରତ ଫେରିବେ।

You might also like