ନୂଆଦିଲ୍ଲୀ: ୧୦୦ ମିଟର ଦୌଡ଼ରେ ନୂଆ ଜାତୀୟ ରେକର୍ଡ କଲେ ଦୂତୀ ଚାନ୍ଦ। ପଟିଆଲାରେ ଇଣ୍ଡିଆନ୍ ଗ୍ରାଁ ପ୍ରିରେ ନିଜ ରେକର୍ଡ ଭାଙ୍ଗିଲେ ଦୂତୀ। ୧୦୦ ମିଟର ଦୌଡ଼କୁ ୧୧.୧୭ ସେକେଣ୍ଡରେ ଅତିକ୍ରମ କରି ସେ ରେକର୍ଡ କରିଛନ୍ତି। ପୂର୍ବରୁ ଦୂତୀଙ୍କ ନାଁରେ ୧୧.୨୨ ସେକେଣ୍ଡର ରେକର୍ଡ ଥିଲା। ଜାତୀୟ ରେକର୍ଡ ସ୍ଥାପନ କରିଥିଲେ ହେଁ ଦୂତୀ ଅଲିମ୍ପିକକୁ ଅଳ୍ପକେ କ୍ୱାଲିଫାଏ କରିବାକୁ ବଞ୍ଚିତ ହୋଇଛନ୍ତି। ଅଲିମ୍ପିକ୍ ପାଇଁ କ୍ୱାଲିଫାଏ ଟାଇମିଂ ୧୧.୧୫ ସେକେଣ୍ଡ ଧାର୍ଯ୍ୟ ଅଛି। କିନ୍ତୂ ଦୂତୀ ୦.୦୨ ସେକେଣ୍ଡ ପାଇଁ ଏହି ବଡ଼ ସଫଳତାରୁ ବଞ୍ଚିତ ହୋଇଛନ୍ତି।

ଚାମ୍ପିୟନଶିପର ୧୦୦ ମିଟର୍ ଫାଇନାଲ୍ ମୁକାବିଲାରେ ଦୂତୀ ୧୦୦ ମିଟରରେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ କର୍ଣ୍ଣାଟକର ଧନେଶ୍ୱରୀ ଏଟି ୧୧.୪୮ ସେକେଣ୍ଡରେ ଦ୍ୱିତୀୟ ସ୍ଥାନ ଏବଂ ପଶ୍ଚିମବଙ୍ଗର ହିମଶ୍ରୀ ରୟ ୧୧.୭୨ ସେକେଣ୍ଡରେ ତୃତୀୟ ସ୍ଥାନ ହାସଲ କରିଛନ୍ତି।

ଦୂତୀଙ୍କ ପାଖରେ ଏବେବି ଅଲିମ୍ପିକକୁ କ୍ୱାଲିଫାଏ କରିବାର ସୁଯୋଗ ରହିଛି। ଦୂତୀ ଇଣ୍ଡିଆନ୍ ଗ୍ରାଁ ପ୍ରି’ର ୨୦୦ ମିଟର୍ ଦୌଡ଼ରେ ମଧ୍ୟ ଭାଗ ନେବେ। ସେହିପରି ୧୦୦ ମିଟରରେ ଅଲିମ୍ପିକକୁ କ୍ୱାଲିଫାଏ କରିବା ପାଇଁ ଦୂତୀଙ୍କ ପାଖରେ ଆଉ ଗୋଟିଏ ମାତ୍ର ସୁଯୋଗ ରହିଛି। ଜୁନ୍ ୨୫ ତାରିଖରେ ପଟିଆଲାରେ ଜାତୀୟ ଆନ୍ତଃ ରାଜ୍ୟ ଆଥଲେଟିକ୍ସ ଚାମ୍ପିୟନଶିପ୍ ଅନୁଷ୍ଠିତ ହେବ। ଏହି ଚାମ୍ପିୟନଶିପ୍ ଜରିଆରେ ଦୂତୀ କ୍ୱାଲିଫାଇଙ୍ଗ୍ ମାର୍କ ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଅଲିମ୍ପିକ୍ କ୍ୱାଲିଫାଏ ସମୟ ସୀମା ଜୁନ୍ ୨୯ ତାରିଖ ଧାର୍ଯ୍ୟ କରାଯାଇଥିବା ବେଳେ ତାଲିକା ଜୁଲାଇ ୧ ତାରିଖରେ ଅନ୍ତିମ ତାଲିକା ପ୍ରକାଶ ପାଇବ।

Other Stories