ବିଶ୍ୱକପ୍ ହକି ପାଇଁ ରାଜଧାନୀରେ ହୋଟେଲ ଚିନ୍ତା

ଭୁବନେଶ୍ୱର : ବିଶ୍ୱକପ୍‌ ହକି ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଚଳାଇଛନ୍ତି ସତ ହେଲେ ରାଜ୍ୟରେ ଉନ୍ନତମାନର ହୋଟେଲର ଅଭାବ ମୁଣ୍ଡବିନ୍ଧା ବଢାଇ ଦେଇଛି। କାରଣ ବିଶ୍ୱକପରେ ଅଂଶଗ୍ରହଣ କରୁଥିବା ୧୬ଟି ଦେଶର ଖେଳାଳି , ଟୁର୍ଣ୍ଣାମେଣ୍ଟ ଅଫିସିଅାଲ, ହକି ସଂଘର କର୍ମକର୍ତ୍ତା, ଭିଭିଅାଇପି , ଟିଭି ବ୍ରଡକାଷ୍ଟର ଓ ଦେଶ ବିଦେଶରୁ ଅାସିବାକୁ ଥିବା ଦର୍ଶକଙ୍କ ପାଇଁ  ରାଜଧାନୀରେ ନାହିଁ ପର୍ଯ୍ୟାପ୍ତ ସଂଖ୍ୟକ ଷ୍ଟାର ହୋଟେଲ।

ଖେଳାଳି ଓ ଅଫିସିଅାଲଙ୍କ ଲାଗି ରାଜ୍ୟ ସରକାର ଭୁବନେଶ୍ୱରର ୮ଟି ତାରକା ହୋଟେଲ ବୁକ୍ କରିଛନ୍ତି। ତେବେ ବିଦେଶୀ ଦର୍ଶକଙ୍କ ଲାଗି ଅାବଶ୍ୟକ ସଂଖ୍ୟକ ଭଲ ହୋଟେଲ ନଥିବାରୁ ସରକାରଙ୍କ ଚିନ୍ତା ବଢିଛି।

ନଭେମ୍ବର ୨୮ରୁ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ, ବିଶ୍ୱକପ୍ ହକି ସମୟରେ ୧୫ ହଜାରରୁ ଅଧିକ ବିଦେଶୀ ଦର୍ଶକ ଓଡ଼ିଶା ଅାସିବା ଅନୁମାନ କରାଯାଉଛି। ତାଛଡ଼ା ଅଧିକ ସଂଖ୍ୟାକ ଦର୍ଶକଙ୍କୁ ଅାକର୍ଷିତ କରିବାକୁ ହେଲେ ସେମାନେ ଅାବଶ୍ୟକ କରୁଥିବା ହୋଟେଲ ବ୍ୟତୀତ ଅନ୍ୟାନ୍ୟ ଆନୁସଂଗିକ ବ୍ୟବସ୍ଥା ମଧ୍ୟ କରିବାକୁ ପଡିବ।

ତେବେ ରାଜଧାନୀ କଥା ତ ଛାଡନ୍ତୁ ପୁରୀ ଓ କଟକକୁ ମିଶାଇଲେ ମଧ୍ୟ ଅାବଶ୍ୟକ ସଂଖ୍ୟକ ଭଲ ହୋଟେଲ ମିଳିବା କଷ୍ଟ। ରାଜ୍ୟ କ୍ରୀଡ଼ା ବିଭାଗ ଅବଶ୍ୟ ନିଜ ୱେବସାଇଟରେ ଦର୍ଶକଙ୍କ ଲାଗି ପ୍ରାୟ ୩ ଶହ ହୋଟେଲର ତାଲିକା ଦେଇଛି, ତେବେ ଏଠାକାର ବ୍ୟବସ୍ଥାକୁ ବିଦେଶୀ ଦର୍ଶକ କେତେ ପସନ୍ଦ କରୁଛନ୍ତି ତାହା ଦେଖିବା କଥା।

You might also like