ନିୟମ ଭାଙ୍ଗି ଅଡୁଆରେ ୫ ଭାରତୀୟ କ୍ରିକେଟର

ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ଟୁର୍‌ରେ ସୁରକ୍ଷା ପ୍ରୋଟୋକଲ ଭାଙ୍ଗି ଆଇସୋଲେସନ୍‌ର ଟିମ୍ ଇଣ୍ଡିଆର ୫ ଜଣ କ୍ରିକେଟର୍। ରୋହିତ ଶର୍ମା, ରିଷଭ ପନ୍ତ, ଶୁଭମନ ଗିଲ, ନଭଦୀପ ସଇନି ଏବଂ ପୃଥ୍ୱୀ ଶ ଏବେ ଆଇସୋଲେସନରେ ଅଛନ୍ତି। ଟିମ୍ ଇଣ୍ଡିଆର ଏହି ୫ ଖେଳାଳି ଅଲଗାରେ ରହି ଅଭ୍ୟାସ କରିବେ। ତେବେ ସେମାନେ ଅଷ୍ଟ୍ରେଲିଆ ବିପକ୍ଷରେ ପରବର୍ତ୍ତୀ ମ୍ୟାଚ୍ ଖେଳିବେ କି ନାହିଁ ସେ ନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ।

ସୁରକ୍ଷା ପ୍ରଟୋକଲ୍ ଭାଙ୍ଗି ଏହି ଖେଳାଳିମାନେ ମେଲବର୍ଣ୍ଣର ଏକ ରେଷ୍ଟୁରାଣ୍ଟରେ ଖାଉଥିଲେ। ଜଣେ ପ୍ରଶଂସକ ଖେଳାଳିମାନେ ଖାଉଥିବାର ଭିଡିଓ କରି ଟ୍ୱିଟରରେ ପୋଷ୍ଟ କରିଥିଲେ। ଏପରିକି ଖେଳାଳିଙ୍କୁ ସେ ଆଲିଙ୍ଗନ କରିଥିବା ପୋଷ୍ଟରେ ଦର୍ଶାଇଥିଲେ। ତେବେ ସେହି ପୋଷ୍ଟକୁ ପରେ ହଟାଇ ଦେଇଥିଲେ। ସେପଟେ ଏହି ଭିଡିଓ ସାମ୍ନାକୁ ଆସିବା ପରେ ବିସିସିଆଇ ଏହାର ତଦନ୍ତ କରୁଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

ଆସନ୍ତା ୭ ତାରିଖରେ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ୍ ଖେଳାଯିବ। ମିଳିଥିବା ସୂଚନା ଅନୁସାରେ ଆଇସୋଲେସନରେ ଥିବା ଖେଳାଳିଙ୍କ ମେଡିକାଲ ଟେଷ୍ଟ ପରେ ସେମାନଙ୍କୁ ଖେଳିବାକୁ ଅନୁମତି ମିଳିପାରେ।

ଆଡିଲେଡ୍‌ରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚ୍‌ରେ ନୈରାଶଜନକ ପ୍ରଦର୍ଶନ କରିଥିଲା ଟିମ୍ ଇଣ୍ଡିଆ। ଆଡିଲେଡ୍ ଟେଷ୍ଟରେ ଅଷ୍ଟ୍ରେଲିଆ ଠାରୁ ୮ୱିକେଟ୍‌ରେ ହାରିଥିଲା ଟିମ୍‌ ଇଣ୍ଡିଆ। ଦ୍ୱିତୀୟ ଇଂନିସରେ ମାତ୍ର ୩୬ ରନ୍ କରିପାରିଥିଲା ଦଳ। କିନ୍ତୁ ମେଲବର୍ଣ୍ଣ ଠାରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚରେ ଭାରତ ପ୍ରତିଶୋଧ ନେଇଥିଲା। ଦ୍ୱିତୀୟ ଟେଷ୍ଟକୁ ଜିତି ସିରିଜକୁ ୧-୧ରେ ବରାବର କରିବା ସହ ବକ୍ସିଂ ଡେ ଟେଷ୍ଟରେ ଭାରତର ଏହା ଥିଲା ଚତୁର୍ଥ ବିଜୟ।

You might also like