୨୫ ଜୁନ୍, ୧୯୮୩: ଭାରତୀୟ କ୍ରିକେଟ୍ ଇତିହାସର ସ୍ୱର୍ଣ୍ଣିମ ଦିନ, ଲର୍ଡ୍ସରେ ଉଡ଼ିଥିଲା ତ୍ରିରଙ୍ଗା

ନୂଆଦିଲ୍ଲୀ: ୨୫ ଜୁନ୍, ୧୯୮୩ର ଦିନକୁ ଭାରତୀୟ କ୍ରୀଡ଼ା ଇତିହାସ ପାଇଁ ସବୁଠାରୁ ସ୍ମରଣୀୟ ଦିନ। ଆଜକୁ ଠିକ୍ ୩୭ ବର୍ଷ ପୂର୍ବେ ଅର୍ଥାତ୍ ଆଜିର ଦିନରେ କପିଲ୍ ଦେବଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ଐତିହାସିକ ଲର୍ଡ୍ସର ବାଲକୋନୀରେ କ୍ରିକେଟ୍ ବିଶ୍ୱକପ୍ ଟ୍ରଫି ଉଠାଇବାରେ ସଫଳ ହୋଇଥିଲା। ଫାଇନାଲରେ ୱେଷ୍ଟଇଣ୍ଡିଜ୍ ଭଳି ଶକ୍ତିଶାଳୀ ଟିମକୁ ମାତ୍ ଦେଇ ଭାରତ ବିଶ୍ୱ କ୍ରିକେଟରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା।

୭୦ ଓ ୮୦ ଦଶକରେ ୱେଷ୍ଟଇଣ୍ଡିଜର ସବୁଠାରୁ ଅଧିକ ଦବଦବା ରହିଥିଲା। କ୍ଲାଇବ ଲୟଡଙ୍କ ନେତୃତ୍ୱରେ କ୍ୟାରିବିୟାନ୍ ଟିମ୍ ବିଶ୍ୱକପର ପ୍ରଥମ ଦୁଇଟି ସଂସ୍କରଣ ୧୯୭୫ ଓ ୧୯୭୯ରେ ଟାଇଟଲ୍ ଜିତି ଅପରାଜେୟ ରହିଥିଲା। ଭିଭିଆନ୍ ରିଚାର୍ଡ୍ସଙ୍କ ସମେତ ତାରକା ଖେଳାଳିରେ ଭରପୂର ୱେଷ୍ଟଇଣ୍ଡିଜ୍ ୧୯୮୩ରେ ହ୍ୟାଟ୍ରିକ୍ ଟାଇଟଲ୍ ଆଶାରେ ଥିଲା। ଫାଇନାଲରେ ଟିମର ସାମ୍ନା ଭାରତ ସହ ଥିଲା। ଫାଇନାଲ୍‌ ପୂର୍ବରୁ ଭାରତୀୟ ଟିମକୁ ସମସ୍ତେ ହାଲୁକା ଭାବେ ନେଉଥିଲେ। ସବୁ କହୁଥିଲେ ଯେ ଭାରତୀୟ ଟିମ୍ ବିଶ୍ୱକପ୍ ବାହାନାରେ ବିଦେଶ ବୁଲିବାକୁ ଯାଇଛି। କପିଲ୍ ଦେବଙ୍କ ଏହି ଟିମ୍ ଠାରୁ କେହି ବି ଟାଇଟଲ୍ ଆଶା ରଖିନଥିଲେ। କିନ୍ତ କପିଲଙ୍କ ମନୋବଳ ଊର୍ଦ୍ଧ୍ୱରେ ଥିଲା। ସେ ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ନିଜ ଟିମକୁ ପ୍ରୋତ୍ସାହନ ଯୋଗାଇ ଆସୁଥିଲେ। ଏହି କାରଣରୁ ଟିମ୍ ଇଣ୍ଡିଆ ଆଜିର ଦିନରେ ଦୁଇଥରର ବିଶ୍ୱବିଜେତା ୱେଷ୍ଟଇଣ୍ଡିଜକୁ ଫାଇନାଲରେ ହରାଇଥିଲା।

୧୯୭୯ ବିଶ୍ୱକପର ଗ୍ରୁପ୍ ପର୍ଯ୍ୟାୟରୁ ବିଦାୟ ନେଇଥିବା ଭାରତୀୟ ଟିମ୍ ୧୯୮୩ରେ ଦମଦାର ପ୍ରଦର୍ଶନ କରି ପୂରା ଦୁନିଆକୁ ଚକିତ କରିଦେଇଥିଲା। ୧୯୮୩ ବିଶ୍ୱକପରେ ଭାରତ ଗ୍ରୁପ୍ ପର୍ଯ୍ୟାୟରେ ୬ଟି ମ୍ୟାଚ୍ ଖେଳିଥିଲା, ଯେଉଁଥିରେ ୪ଟି ମୁକାବିଲା ଜିତି ଦ୍ୱିତୀୟ ସ୍ଥାନରେ ରହିଥିଲା। ଅନ୍ୟପକ୍ଷରେ କ୍ୟାରିବିୟାନ୍ ଟିମ୍ ୫ଟି ମ୍ୟାଚ୍ ଜିତି ଶୀର୍ଷରେ ରହିଥିଲା। ସେମିଫାଇନାଲରେ ଭାରତର ସାମ୍ନା ଇଂଲଣ୍ଡ ସହ ହୋଇଥିଲା। ଏହି ମୁକାବିଲାକୁ ଭାରତ ୬ ୱିକେଟରେ ଜିତି ଫାଇନାଲରେ ସ୍ଥାନ ପକ୍କା କରିଥିଲା। ଦ୍ୱିତୀୟ ସେମିରେ ୱେଷ୍ଟଇଣ୍ଡିଜ୍ ୮ ୱିକେଟରେ ପାକିସ୍ତାନକୁ ହରାଇଥିଲା।

ଫାଇନାଲରେ ଇଣ୍ଡିଜ୍ କ୍ୟାପଟେନ୍ କ୍ଲାଇବ୍ ଲୟଡ୍ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ସେତେବେଳେ କ୍ୟାରିବିୟାନ୍ ବୋଲିଂ ଆଟାକକୁ ସବୁଠାରୁ ଭୟଙ୍କର ବୋଲି କୁହାଯାଉଥିଲା। ଇଣ୍ଡିଜ୍ ବୋଲରମାନେ ମଧ୍ୟ ଆଶାନୁରୂପ ପ୍ରଦର୍ଶନ କରି ଭାରତକୁ ୫୪.୪ ଓଭରରେ ୧୮୩ ରନରେ ଅଲଆଉଟ୍ କରିଥିଲେ। ଭାରତ ପକ୍ଷରୁ ଓପ୍ନର ଶ୍ରୀକାନ୍ତ ସର୍ବାଧିକ ୩୮ ରନ୍ କରିଥିଲେ। ଏହାବ୍ୟତୀତ ମହିନ୍ଦର ଅମରନାଥ (୨୬), ସନ୍ଦୀପ ପାଟିଲ୍ (୨୭) ଆବଶ୍ୟକ ଯୋଗଦାନ କରିଥିଲେ। ଇଣ୍ଡିଜ୍ ପକ୍ଷରୁ ଆଣ୍ଡି ରବର୍ଟ୍ସ ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ।

ଭାରତକୁ ସହଳ ଅଲଆଉଟ୍ କରିବା ପରେ ୱେଷ୍ଟଇଣ୍ଡିଜର ମନୋବଳ ବୃଦ୍ଧି ପାଇଥିଲା ଏବଂ ଟିମ୍ ହ୍ୟାଟ୍ରିକ୍ ଟାଇଟଲ୍ ଜିତିବା ନେଇ ଦୃଢ଼ ଆଶାୟୀ ମଧ୍ୟ ଥିଲେ। କିନ୍ତୁ ଭାରତୀୟ ବୋଲରମାନେ ବାଜି ସମ୍ପୂର୍ଣ୍ଣ ପଲଟାଇ ଦେଇଥିଲେ ଏବଂ ୱେଷ୍ଟଇଣ୍ଡିଜକୁ ୫୨ ଓଭରରେ ୧୪୦ ରନରେ ଅଲଆଉଟ୍ କରି ଇତିହାସ ରଚିଥିଲା। ଫଳରେ ୧୯୮୩ ବିଶ୍ୱକପ୍ ଫାଇନାଲକୁ ୪୩ ରନରେ ଜିତି ଟ୍ରଫି ହାତେଇଥିଲା। ଏହି ସଫଳତା ଭାରତୀୟ କ୍ରିକେଟକୁ ଏକ ନୂଆ ଦିଶା ଦେଇଥିଲା । ଭାରତର ଏହି ବିଜୟରେ ହିରୋ ସାଜିଥିଲେ ମଦନ ଲାଲ ଓ ମହିନ୍ଦର ଅମରନାଥ। ଦୁହେଁ ୩ଟି ଲେଖାଏ ୱିକେଟ୍ ନେଇଥିଲେ। ଲୋ’ ସ୍କୋରିଂ ମ୍ୟାଚରେ ଚମତ୍କାର ପ୍ରଦର୍ଶନ ପାଇଁ ଅମରନାଥଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା। ସେ ୮୦ ବଲରେ ୨୬ ରନ୍ ଏବଂ ୭ ଓଭରରେ ୧୨ ରନ୍ ଦେଇ ୩ଟି ୱିକେଟ୍ ନେଇଥିଲେ।

ଏହି ମ୍ୟାଚରେ କପିଲ୍ ଦେବଙ୍କ ମିଡୱିକେଟରେ ଭିଭିଆନ୍ ରିଚାର୍ଡ୍ସଙ୍କ କ୍ୟାଚ୍ ଧରି ହୁଏତ କେହି ଭୁଲିପାରି ନଥିବେ। ଏହି ବିଜୟ ପରେ ଲର୍ଡ୍ସରେ ଭାରତର ନାରା ଶୁଣିବାକୁ ମିଳିଥିଲା। କ୍ରିକେଟକୁ ନୂଆ ବିଶ୍ୱ ଚାମ୍ପିଅନ୍ ମିଳିଥିଲା ଏବଂ କପିଲ୍ ଦେବ ଏହାର ରଚୟିତା ଥିଲେ। ଏହା ପରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଭାରତ ୨୦୧୧ ବିଶ୍ୱକପ୍ ଟାଇଟଲ୍ ଜିତିଥିଲା। ସେହିପରି ୨୦୧୫ ଓ ୨୦୧୯ ବିଶ୍ୱକପରେ ଭାରତ ସେମିଫାଇନାଲରୁ ବିଦାୟ ନେଇଥିଲା।