ସିରିଜ୍‌ ଆରମ୍ଭରୁ ହାରିଲା ଭାରତ; ୧୦ ରନ୍‌ ପାଇଁ ଶତକରୁ ବଞ୍ଚିତ ହେଲେ ପାଣ୍ଡ୍ୟା

ସିଡ୍‌ନୀ: ଇଣ୍ଡିଆ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍‌ରେ ଆରମ୍ଭରୁ ଅଷ୍ଟ୍ରେଲିଆ ଠାରୁ ହାରିଲା ଭାରତ। ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତ ଅଷ୍ଟ୍ରେଲିଆ ଠାରୁ ୬୬ ରନ୍‌ରେ ପରାସ୍ତ ହୋଇଛି। ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍‌ଙ୍କ ସାମ୍ନାରେ ଭାରତୀୟ ବୋଲର୍‌ ସମ୍ପୂର୍ଣ୍ଣ ଫେଲ୍‌ ମାରିଥିଲେ। କେବଳ ବୋଲର ନୁହେଁ, ଫିଲ୍‌ଡିଂରେ ଭୟଙ୍କର ତ୍ରୁଟି ଦେଖାଯାଇଥିଲା। କ୍ୟାଚ୍‌ ଛାଡ଼ିବା ସହିତ ଗ୍ରାଉଣ୍ଡ ଫିଲ୍‌ଡିଂରେ ବି ଖରାପ ପ୍ରଦର୍ଶନ କରିଥିଲା ଟିମ୍‌ ଇଣ୍ଡିଆ।

ଯାହାର ପରିଣାମ ସ୍ୱରୂପ ଅଷ୍ଟ୍ରେଲିଆ ପ୍ରଥମ ବ୍ୟାଟିଂ କରି ୫୦ ଓଭରରେ ୩୭୪ରେ ବିଶାଳ ସ୍କୋର ଛିଡ଼ା କରିଥିଲା। ଯାହା ଭାରତ ବିପକ୍ଷରେ ସର୍ବୋଚ୍ଚ ସ୍କୋର୍‌ ଥିଲା। ଏହାର ଯବାବରେ ଭାରତ ୫୦ ଓଭରରେ ୮ ୱିକେଟ୍ ହରାଇ ମାତ୍ର ୩୦୮ ରନ୍ କରିବାକୁ ସକ୍ଷମ ହୋଇଥିଲା।

ଏହି ବିଜୟ ପରେ ତିନିଟିକିଆ ଏହି ଦିନିକିଆ ସିରିଜ୍‌ରେ ଅଷ୍ଟ୍ରେଲିଆ ୧-୦ରେ ଆଗୁଆ ରହିଥିବା ବେଳେ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ନଭେମ୍ବର ୨୯ ତାରିଖରେ ଖେଳାଯିବ।

ଶୁକ୍ରବାର ସିଡ୍‌ନୀ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଇଯାଇଥିବା ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିଲା। ଦଳ ପକ୍ଷରୁ ଅଧିନାୟକ ଆରୋନ ଫିଞ୍ଚ୍ ଓ ଷ୍ଟିଭ୍ ସ୍ମିଥ୍‌ ଦମଦାର ଶତ ହାସଲ କରିଥିଲେ। ଫଳରେ ୬ ୱିକେଟ୍‌ ହରାଇ ଦଳ  ୩୭୪ର ବଡ଼ ସ୍କୋର କରିଥିଲା।

ଅନ୍ୟପଟେ ଭାରତ ପକ୍ଷରୁ ଶିଖର ଧୱନଙ୍କୁ ଛାଡ଼ି ଦେଲେ ଭାରତର ଟପ୍ ଅର୍ଡର ବିଫଳ ହୋଇଥିବା ବେଳେ ମିଡଲ୍ ଅର୍ଡରରେ ଆସିଥିବା ହାର୍ଦ୍ଦିକ ପାଣ୍ଡ୍ୟା ଭଲ ପ୍ରଦର୍ଶନ କରିଥିଲେ।

ପାଣ୍ଡ୍ୟା ୯୦ ରନ୍‌ କରିଥିବା ବେଳେ ଧୱନ ୭୪ ରନ୍‌ କରିଥିଲେ। ଉଭୟଙ୍କ ପାଟନରସିପରେ ୧୨୮ ରନ୍‌ ହୋଇଥିଲା। କିନ୍ତୁ ଅଷ୍ଟ୍ରେଲିଆର ଏଡମ ଜାମ୍ପା(୧୦ ଓଭର ୫୪ ରନ୍‌ ୪ ୱିକେଟ୍‌) ଦୁଇଜଣଙ୍କୁ ଆଉଟ୍ କରି ଟିମ୍‌ ଇଣ୍ଡିଆକୁ ପୁଣିଥରେ ପଛକୁ ଠେଲି ଦେଇଥିଲେ। ପାଣ୍ଡିଆ, ଧାୱନଙ୍କ ସମେତ କେଏଲ୍ ରାହୁଲ୍ ଓ ରବୀନ୍ଦ୍ର ଜାଡ଼େଜାଙ୍କ ୱିକେଟ୍ ନେଇଥିଲେ ଜାମ୍ପା।

ସେହିପରି ମୟଙ୍କ ଅଗ୍ରୱାଲ୍ ୨୨ ରନ୍, ବିରାଟ୍ କୋହଲି ୨୧, ଶ୍ରେୟସ୍ ଆୟର୍ ୨ ଓ ଲୋକେଶ ରାହୁଲ୍ ୧୨ ରନ୍ କରିଥିଲେ।ଧୱନ୍ ୮୬ ବଲରେ ୧୦ ଚୌକା ସହ ୭୪ ରନ୍ କରି ଆଉଟ୍ ହୋଇଥିବା ବେଳେ ହାର୍ଦ୍ଦିକ ଜବରଦସ୍ତ ବ୍ୟାଟିଂ କରିଥିଲେ। ହାର୍ଦ୍ଦିକ ୭୬ ବଲ୍‌ରେ ୭ ଚୌକା, ୪ ଛକା ସହି ୯୦ ରନ୍ କରିଥିଲେ। ହେଲେ ୧୦ ରନ୍ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ ପାଣ୍ଡ୍ୟା।ସେହିପରି ରବୀନ୍ଦ୍ର ଜାଡେଜା ୧୫, ନଭଦୀପ ସାଇନି ୨୯ ଓ ମହମ୍ମଦ ଶାମି ୧୩ ରନ୍‌ କରିଥିଲେ। ଫଳରେ ଭାରତ ୫୦ ଓଭର ଖେଳି ମୋଟ  ୩୦୮ ରନ୍ କରିପାରିଥିଲା।

You might also like