• translate
Pramod Behera

ଆଜିକୁ ଠିକ ୬୦ ବର୍ଷ ତଳେ ଏପ୍ରିଲ ୧୨ରେ ସୋଭିଏତ ସଂଘର ୟୁରୀ ଗାଗରିନ ଅନ୍ତରୀକ୍ଷରେ ପହଞ୍ଚିଥିବା ପ୍ରଥମ ବ୍ୟକ୍ତି ଥିଲେ। ଯେତେବେଳେ ଗାଗରିନ ସୋଭିୟତ ଅନ୍ତରୀକ୍ଷ ଯାନ ଓସ୍ତାକରୁ ଓହ୍ଲାଇଲେ କାହାରିକୁ ବି ଜଣା ନ ଥିଲା ସେଠାରେ କ’ଣ ହେବାକୁ ଯାଉଛି। ସେ ସେଠାରୁ ଜୀବିତ ଆସିବେ କି ନାହିଁ? କିନ୍ତୁ ଏହା ଭୁଲ ପ୍ରମାଣିତ ହେଲା। ସେ ସେଠାରେ ଯାହକଲେ ତାହା ଇତିହାସ ହୋଇ ରହିଗଲା। ସେ କେବଳ ନିଜ ଦେଶ ନୁହେଁ ବରଂ ଦୁନିଆ ପାଇଁ ହୀରୋ ହୋଇଗଲେ।

ସୋଭିଏତ ବୈଜ୍ଞାନିକମାନେ ଜାଣିଥିଲେ ଯେ ଗାଗରିନ ଯେତେବେଳେ ଅନ୍ତରିକ୍ଷରେ ଭାରଶୂନ୍ୟତାର ସ୍ଥିତିକୁ ସମ୍ମୁଖିନ ହେବେ ସେ ଅଚେତ ହୋଇଯିବେ। କିନ୍ତୁ ଫଳ ସମ୍ପୂର୍ଣ୍ଣ ଓଲଟା ହେଲା। ସେ କେବଳ ଯେ ସେଠାରେ ଭଲରେ ରହିଲେ ତାହା ନୁହେଁ ବରଂ ସେଠାରେ ଭାରଶୂନ୍ୟତାର ଆନନ୍ଦ ମଧ୍ୟ ଉଠାଇଲେ। ସେ ପୃଥିବୀକୁ ପ୍ରେରିତ କରିଥିବା ସନ୍ଦେଶରେ କହିଥିଲେ, ଭାରଶୂନ୍ୟତାର ସ୍ଥିତି ତାଙ୍କୁ ବହୁତ ଭଲ ଲାଗୁଥିଲା। ଏହା କରି ସେ ବାହାଦୂରୀ ଓ ବୁଝାମଣାର ଉଦାହରଣ ବନିଗଲେ।

ଅନ୍ତରୀକ୍ଷରେ ଥିବାବେଳେ ଗାଗରିନଙ୍କୁ କୁହାଯାଇଥିଲା ଯେ ସେ ଟେପ୍ ଫାଡ଼ି ଗୋଟିଏ ଅଂଶକୁ ସଂଯୋଗ କରିବା ନେଇ, କାରଣ ପୃଥିବୀରେ ଥିବା ଯନ୍ତ୍ରୀମାନେ ତାହାକୁ ସଂଯୋଗ କରିବା ନେଇ ଭୁଲିଯାଇଥିଲେ। ପୁଣି ଥରେ କଣ୍ଟ୍ରୋଲ ପ୍ୟାନେଲରେ ଲାଗିଥିବା କଣ୍ଟେଣ୍ଟର ବତୀକୁ ଠିକ କରିବାକୁ କୁହାଯାଇଥିଲା।  ସେ ସବୁକିଛି ଅତ୍ୟନ୍ତ ବାହାଦୂରୀ ସହିତ ସମ୍ଭାଳିଥିଲେ। କିନ୍ତୁ ଏହା ପରିତାପର ବିଷୟ ଯେ ଗାଗରିନଙ୍କ ମୃତ୍ୟୁ କିପରି ହେଲା ତାହା ରହସ୍ୟ ହୋଇ ରହିଯା‍ଇଥିଲା। ଏହା ଶୁଣାଯାଏ ଯେ ଏଲିୟନ୍ସ ତାଙ୍କୁ ହତ୍ୟା କରିଥିଲା। କେହି କେହି ତାଙ୍କ ମୃତ୍ୟୁକୁ ଦୁର୍ଘଟଣାଜନିତ ହୋଇଥିବା କହୁଥିବା ବେଳେ ଆଉ କେହି ସେ ଆତ୍ମହତ୍ୟା କରିଥିବା କୁହନ୍ତି। ତେବେ ୧୦୮ ମିନିଟ୍ ଅନ୍ତରୀକ୍ଷ ଯାତ୍ରାର ୭ ବର୍ଷ ପରେ ଗାଗରିନଙ୍କ ମୃତ୍ୟୁ ମିଗ୍ ଫାଇଟର୍ ବିମାନ ଉଡାଉଥିବା ସମୟରେ ହୋଇଥିଲା।

ତେବେ ବର୍ତ୍ତମାନ ଗାଗରିନଙ୍କ ମୃତ୍ୟୁ ରହସ୍ୟରୁ ପରଦା ଉଠିଛି। ଏହାର ପ୍ରକୃତ ସତ ପଦାକୁ ଆସିଛି। ଋଷ୍ ସରକାର ସବୁବେଳେ ଏହାର କାରଣ ଲୁଚାଇ ରଖିଥିଲା। କିନ୍ତୁ ଗାଗରିନଙ୍କ ବନ୍ଧୁ ତଥା ପ୍ରଥମ ଥର ମହାକାଶ ଯାତ୍ରାରେ ଯାଇଥିବା ଏଲେକ୍ସ ଲିନୋବଙ୍କ ଯାଞ୍ଚର ଦସ୍ତାବିଜ ଏବେ ସାର୍ବଜନୀନ ହୋଇଛି। ଏଥିରେ ତାଙ୍କ ମୃତ୍ୟୁର କାରଣ ରହିଛି। ପ୍ରତିକୂଳ ପାଣିପାଗରେ ଜେଟ୍ ଫଶିଯିବାରୁ  ଗାଗରିନଙ୍କ ମୃତ୍ୟୁ ହୋଇଥିବା ଏହି ତଥ୍ୟ କହୁଛି।

ଲିନୋବଙ୍କ କହିବା କଥା ଗାଗରିନ ଯେତେବେଳେ ମିଗ୍ ବିମାନ ଉଡାଉଥିଲେ, ସେତେବେଳେ ଆଉ ଏକ ଫ୍ଲାଇଟ୍ ପ୍ଲେନ୍ ଏତେ ନିକଟତର ହୋଇଗଲା ଯେ ଏଥିରୁ ରକ୍ଷା ପାଇବା ନେଇ ସେ ନିଜ ବିମାନକୁ ଦିଗ ପରିବର୍ତ୍ତନ କରିବାରୁ ତାହା ବାଦଲ ସହିତ ଧକ୍କା ଖାଇଥିଲା। ବିମାନ ଚକ୍ର ଖାଇ ତଳେ ଆସି ପଡିଲା। ସେ ସମୟରେ ତାଙ୍କ ବିମାନର ଗତି ୭୫୦କିମି ଥିଲା।

୭୯ ବର୍ଷୀୟ ଲିନୋବ କହିଛନ୍ତି, ୨୦ ବର୍ଷ ହେଲା ସେ ଗାଗରିନଙ୍କ ମୃତ୍ୟୁ ରହସ୍ୟକୁ ସାର୍ବଜନିନ କରିବାକୁ ଚାହୁଁଛନ୍ତି, କିନ୍ତୁ ସରକାର ତାଙ୍କୁ ଅନୁମତି ଦେଉ ନ ଥିଲେ। ତେବେ ଶେଷରେ ସରକାର ତାଙ୍କୁ ଏହି ଅନୁମତି ଦେଇଥିବା ସେ କହିଛନ୍ତି। ଗାଗରିନ ଜଣେ ଦକ୍ଷ ପାଇଲଟ ଥିବା ବେଳେ ମୃତ୍ୟୁ ସମୟରେ ସେ କସମୋନେଣ୍ଟ ଟ୍ରେନିଂ ସେଣ୍ଟରର ନିର୍ଦ୍ଦେଶକ ମଧ୍ୟ ଥିଲେ।

ତେବେ ଗାଗରିନଙ୍କ ମୃତ୍ୟୁ ରହସ୍ୟ ଜାଣିବା ନେଇ ଲିନୋବ ଏକ କମିଟି ଗଠନ କରିଥିଲେ। ଯାଞ୍ଚରୁ ଜଣାଯାଇଛି ଯେ ଏସ୍, ୟୁ ଫାଇଟର୍ ଗାଗରିନଙ୍କ ପ୍ଲେନର ପାଖାପାଖି ୫୦ କିମି ଦୂରରେ ଥିବାବେଳେ ତାଙ୍କ ବିମାନର ଗତି ୭୫୦ କିମି ଥିଲା। ଏମିତିରେ ମାତ୍ର ୫୫ ସେକେଣ୍ଡରେ ଦୁର୍ଘଟଣା ଘଟିଯାଇଥାନ୍ତା। ଯେତେବେଳେ ଏସ୍.ୟୁ ବିମାନ ଗାଗରିନଙ୍କ ନିକଟବର୍ତ୍ତି ହେଲା ସେତେବେଳେ ବିମାନକୁ ଏକ ଝଟକା ଲାଗିଥିଲା। ଫଳରେ ବିମାନଟି ଦିଗ ପରିବର୍ତ୍ତନ ହୋଇ ବାଦଲ ସହିତ ଧକ୍କା ଖାଇଥିଲା। ବିମାନଟି ଏତେ ଜୋରରେ ଚକ୍କର ଖାଇଥିଲା ଯେ ଏହାକୁ ଅକ୍ତିଆରକୁ ଆଣିବା ଗାଗରିନଙ୍କ ପକ୍ଷେ ଅଣାୟତ ହୋଇଥିଲା।

ତେବେ ଏହାକୁ ନେଇ ବର୍ତ୍ତମାନ ଏକ ପ୍ରଶ୍ନ ଉଠୁଛି ଯେ ଯେଉଁ ବିମାନ ଗାଗରିନଙ୍କ ସହ ଧକ୍କା ଖାଇଥିଲା ତାହାର ପାଇଲଟ କିଏ ଥିଲା? ଏ ବିଷୟରେ ଲିନୋବ କୁହନ୍ତି ଯେ ଦୁର୍ଘଟଣା ଘଟାଇଥିବା ବିମାନର ପାଇଲଟ ବର୍ତ୍ତମାନ ଜୀବିତ ଅଛନ୍ତି। ତାଙ୍କୁ ବର୍ତ୍ତମାନ ୮୨ ବର୍ଷ। ତାଙ୍କ ଶରୀର ବହୁତ ଅସୁସ୍ଥ ଅଛି। କିନ୍ତୁ ସେ ଶପଥ ନେଇଥିବାରୁ ତାଙ୍କ ନାମ କହିବେ ନାହିଁ ବୋଲି କହିଛନ୍ତି।

ଗାଗରିନ ଜଣେ ଦକ୍ଷ ପାଇଲଟ୍ ଥିବାରୁ ଯେକୌଣସି ପରିସ୍ଥିତିରେ ବି ବିମାନ ଚାଳନାର କ୍ଷମତା ତାଙ୍କ ପାଖରେ ଥିଲା। ତେଣୁ ତାଙ୍କୁ ମହାକାଶ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ପାଇଁ ନିର୍ବାଚିତ କରାଯାଇଥିଲା। ସେ ଯେତେବେଳେ ପ୍ରଥମ ଥର ପାଇଁ ମହାକାଶ ଯାଇଥିଲେ ତାଙ୍କୁ ପ୍ରାୟ ୨୭ ବର୍ଷ ଥିଲା। କିନ୍ତୁ ୩୪ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ତେବେ ଗାଗରିନଙ୍କ ମୃତ୍ୟୁ ପରେ ଅନେକ ଗୁଜବ ଖେଳିଯାଇଥିଲା। ସବୁଠାରୁ ବଡ଼ ଗୁଜବ ଥିଲା ହତ୍ୟା। ଏହି ହତ୍ୟାର ପଛରେ ସୋଭିଏତ ଲିଡର ଲିୟୋନିଦ ବ୍ରେଜନେବଙ୍କ ହାତ ଥିବା କୁହାଯାଉଥିଲା। କାରଣ ଗାଗରିନ ଦଳର କଥାକୁ ମାନି ନ ଥିଲେ। ଆଉ ଏକ ଗୁଜବ ଅନୁଯାୟୀ ଗାଗରିନ ମଦ୍ୟପାନ କରି ବିମାନ ଚଳାଉଥିବାରୁ ସେ ଆତ୍ମହତ୍ୟା କରିଥିଲେ। ସେହିପରି ଗାଗରିନଙ୍କୁ ଏଲିଅନ ମାରିଦେଇଥିବା ମଧ୍ୟ ଗୁଜବ ଉଠିଥିଲା। କିଛିଦିନ ଧରି ଏହା ମଧ୍ୟ ଚର୍ଚ୍ଚା ହେଉଥିଲା ଯେ ଗାଗରିନ ଜୀବିତ ଅଛନ୍ତି। ଅନେକ ତାଙ୍କୁ ଦେଖିଥିବା ମଧ୍ୟ ଦାବି କରିଥିଲେ। ଏହା ମଧ୍ୟ କୁହାଯାଉଥିଲା ଯେ ତାଙ୍କ ସୁରକ୍ଷା ନେଇ ସରକାର ତାଙ୍କୁ ଲୁଚାଇ ରଖିଛନ୍ତି।

ତେବେ ସେ ଯାହା ହଉନା କାହିଁ, ବର୍ତ୍ତମାନ ଏହି ମୃତ୍ୟୁ ରହସ୍ୟରୁ ପରଦା ଉଠିଛି। ଲୋକେ ଏବେ ଗୁଜବ ପଛରେ ନୁହେଁ ସତକୁ ଦେଖିବେ ବୋଲି ଆଶା।

Other Stories