ଶ୍ରୀହରିକୋଟାରୁ ନୂଆ ସାଟେଲାଇଟ୍ GSAT-7Aର ଉତ୍‌କ୍ଷେପଣ

ଶ୍ରୀହରିକୋଟା : ଭାରତୀୟ ବାୟୁସେନାକୁ ଶକ୍ତି ଯୋଗାଇବ ଇସ୍ରୋ ସାଟେଲାଇଟ୍ ‘ଆଙ୍ଗ୍ରିବାର୍ଡ’। ଆଜି ସଫଳତାର ସହ ଉତ୍‌କ୍ଷେପଣ ହୋଇଛି GSAT-7A। ଆନ୍ଧ୍ର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ ଗବେଷଣା କେନ୍ଦ୍ରର ୨ ନମ୍ବର ଲଞ୍ଚପ୍ୟାଡରୁ ଏହି ଉତ୍‌କ୍ଷେପଣ କରାଯାଇଛି।

୨୨ଶହ ୫୦ କିଲୋଗ୍ରାମ ଓଜନ  ବିଶିଷ୍ଟ ଏହି ଉପଗ୍ରହ  GSLV-F 11 ରକେଟ୍‌ ସହାୟତାରେ ଉତ୍‌କ୍ଷେପଣ ପରେ ନିର୍ଦ୍ଧାରିତ ସମୟରେ ନିର୍ଦ୍ଦିଷ୍ଟ କକ୍ଷପଥରେ ଅବସ୍ଥାପିତ ହୋଇଛି। ପୂର୍ବରୁ ଭାରତୀୟ ନୌସେନା ପାଇଁ  GSAT-7କୁ ମହାକାଶ ପ୍ରେରଣ କରାଯାଇଥିବା ବେଳେ GSAT-7A ବାୟୁସେନାକୁ ବଳ ଦେବ।

ଏହି ଉପଗ୍ରହ ଗ୍ରାଉଣ୍ଡ ରାଡାର ଷ୍ଟେସନ, ଏୟାର ବେସ୍ ଏବଂ ବିମାନରେ ଲାଗିଥିବା ଆଗୁଆ ସୂଚନା ପ୍ରଦାନକାରୀ ଓ ନିୟନ୍ତ୍ରଣ ପ୍ରଣାଳୀ AWACSକୁ  ସଂଯୋଗ କରିବାରେ ଏହା ସହାୟକ ହେବ। ସେହିପରି ଡ୍ରୋନକୁ ନିୟନ୍ତ୍ରଣ ଲାଗି ଭୁପୃଷ୍ଠ କେନ୍ଦ୍ର ଉପରେ ନିର୍ଭରଶୀଳତା ମଧ୍ୟ ହ୍ରାସ ପାଇବ। ଇଣ୍ଟିଗ୍ରେଟେଡ୍ ଏୟାର କମାଣ୍ଡ ଲାଗି ବାୟୁସେନା ଆଗରୁ ବିଦେଶୀ ଟ୍ରାନପଣ୍ଡର ଭଡାରେ ଆଣୁଥିବା ବେଳେ G-SAT 7A ଏହି ଚାହିଦା ବି ପୂରଣ କରିବ।

ଇସ୍ରୋ ଦେଶର ସୁରକ୍ଷା ସଂପର୍କିତ ୧୩ଟି ସାଟେଲାଇଟ୍‌କୁ ଏଯାଏଁ ମହାକାଶ ପଠାଇଛି। ବିରୋଧୀଙ୍କ ଗତି ବିଧି ଉପରେ  ନଜର ରଖିବା ସହ ଦେଶର ସୁରକ୍ଷା ସୁନିଶ୍ଚିତ କରିବା ଲାଗି ଏଗୁଡିକୁ ନିୟୋଜିତ କରାଯାଇଛି। ତେବେ GSAT-7A ସଂପୂର୍ଣ୍ଣ ଭାବେ ବାୟୁସେନାର ଶକ୍ତି ବୃଦ୍ଧି ପାଇଁ ଉଦ୍ଦିଷ୍ଟ। ସେପଟେ ଆମେରିକା ଠାରୁ କିଣାଯିବାକୁ ଥିବା ଗାର୍ଡିଆନ୍ ଡ୍ରୋନ୍‌କୁ ନିୟନ୍ତ୍ରଣ ଲାଗି ଏହି ଉପଗ୍ରହ ଉପଯୋଗୀ ହେବ ।

ବିମାନବନ୍ଦର ପାଇଁ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ ଯେପରି କାମ କରେ, ବାୟୁସେନା ପାଇଁ ଏହି G-SAT 7A ଠିକ୍ ସେହି କାମ କରିବ ବୋଲି ବିଶେଷଜ୍ଞମାନେ କହିଛନ୍ତି। G-SAT 7A  ଚଳିତ ବର୍ଷ ଇସ୍ରୋର ୧୭ତମ ମହାକାଶ ଅଭିଯାନ। ଆଗାମୀ ବର୍ଷ ଚନ୍ଦ୍ରାୟନ -ଟୁ ସମେତ ୭ଟି ଉତ୍‌କ୍ଷେପଣ ଲାଗି ଇସ୍ରୋ କାର୍ଯ୍ୟକ୍ରମ ଚୂଡ଼ାନ୍ତ କରିଛି।

You might also like