ରଥ, ପଥ, ଜଗନ୍ନାଥ…

ଲେଖକ- ଶଶାଙ୍କ ଶେଖର ଶତପଥୀ

ଅଧିକ ଦିନ ଶାସନ କ୍ଷମତାରେ ରହିଲେ କ୍ଷମତା ନିଶା ଘାରିଥାଏ। ଶାସକ ଜନସ୍ୱାର୍ଥ/ଜନକଲ୍ୟାଣ ଛାଡି ଏକଛତ୍ରବାଦୀ ହୁଏ। ସ୍ୱେଚ୍ଛାଚାରିତା ବି ବଢିଯାଏ। Leader ବନିଯାଏ Boss । ଦିନର ଘଟଣା କ୍ରମକୁ ଦେଖିଲେ ଯେ କେହି ଏହାକୁ ଅନୁଭବ କରିପାରିବ।

ଓଡ଼ିଆ ମାନେ ସାଧାରଣତଃ ପ୍ରତିକ୍ରିୟାଶୀଳ ନୁହଁନ୍ତି। “ଜଗନ୍ନାଥ” ପାଳନକାରୀ। ନାନା ବାଧାବିଘ୍ନ ସହି ସହି ପାଳନକାରୀର ସହନଶକ୍ତି ବଢିଥାଏ। ତେଣୁ ତା ପ୍ରାଣର ଦେବତାର ପଦାଙ୍କ ଅନୁସରଣରେ ଓଡ଼ିଆ ମଧ୍ୟ ନିଜର ସହନଶକ୍ତିକୁ ବଢ଼େଇ ଦେଇଛି।  “ବ୍ରହ୍ମବିଭ୍ରାଟ”, “ଦାରୁବିଭ୍ରାଟ”, “ରତ୍ନଭଣ୍ଡାର ଚାବି ପ୍ରସଙ୍ଗ”, “ଶ୍ରୀଜୀଉଙ୍କଜମିହଡପ”, “ମଠଭଙ୍ଗା” ଆଦିକୁ ବି ନିଜ ସହନ ଶକ୍ତିର ପରିଚୟ ଦେଇ ଏତେଟା ପ୍ରତିକ୍ରିୟାଶୀଳ ହେଇନଥିଲା। ରାଜ୍ୟ ଜରୁରୀକାଳୀନ ପାଣ୍ଠି (Contingency Fund)ର ଅପବ୍ୟବହାର କରି “କାଳିଆ ଯୋଜନା” ଆରମ୍ଭ କରି ବାଘଟଣାକୁ ମଧ୍ୟ “ଓଡ଼ିଆ” ସହ୍ୟ କରିନେଇଥିଲା। ଏବେ ଆସିଲା “ଜଗା”ର ପତିତପାବନ ଉଦ୍ଧାର ନିମନ୍ତେ “ରଥଯାତ୍ରା”ର ଘଡି।

ଶାସକ ଚତୁରତାର ସହ ଏ ଘଟଣାକୁ ଏଡେଇବାକୁ ସ୍ଥିର କଲେ। ରଥନିର୍ମାଣ ପାଇଁ ଶ୍ରୀମନ୍ଦିର ପ୍ରଶାସନ ଅନୁମତି ମାଗିବାରେ ଟାଳଟୁଳ ନୀତି ଅବଲମ୍ବନକଲେ। ବଲ୍‌ କେନ୍ଦ୍ରସରକାରଙ୍କ କୋର୍ଟକୁ ଫିଙ୍ଗିଲେ। ଯାହାହେଉ କେନ୍ଦ୍ର ସରକାରଙ୍କ ଅନୁମତି ମିଳିଲା।ସ୍ନାନଯାତ୍ରା ବିନାଭକ୍ତରେ (ମୁଁବରଂକହିବିଭକ୍ତମେଳରେ, ଯେହେତୁ Virtual ଦର୍ଶନକଲେଭକ୍ତ) ସମ୍ପାଦିତ ହେଲା।

ଗଜପତି ଓ ଶ୍ରୀମନ୍ଦିର ପ୍ରଶାସନ ରଥଯାତ୍ରା ପାଇଁ ସରକାରଙ୍କୁ ଅନୁମତି ମାଗିଲେ। ସରକାର ବେଳ ଗଡାଇ ଚାଲିଲେ।ମାମଲା ପହଁଚିଲା “ଓଡ଼ିଶା ଉଚ୍ଚନ୍ୟାୟାଳୟ”ରେ। ମାନ୍ୟବର ନ୍ୟାୟାଳୟ, “ରଥଯାତ୍ରା”ର ଦାୟିତ୍ୱ ରାଜ୍ୟ ସରକାରଙ୍କୁ ଦେଲେ।

“ସାପ ମରିବନି କି ବାଡ଼ି ଭାଙ୍ଗିବନି” ଉକ୍ତିରେ ଚାଲିବାକୁ ସ୍ଥିର କଲେ ଚତୁର ଶାସକ। ଦିନ ଗଡି ଚାଲିଲା।  କିନ୍ତୁ ରାଜ୍ୟ ସରକାର “ରଥଯାତ୍ରା” ଉପରେ ନିଜ ଆଭିମୁଖ୍ୟ/ନୀତି ସ୍ପଷ୍ଟକଲେ ନାହିଁ। “ବିରାଡ଼ି କପାଳକୁ ଶିକା ଛିଣ୍ଡିଲା” ପରି ମାମଲା ଗଲା ସର୍ବୋଚ୍ଚ ନ୍ୟାୟାଳୟକୁ। (କେହି କେହି ଏହାକୁ ପ୍ରାୟୋଜିତ ବୋଲି ମଧ୍ୟ କୁହନ୍ତି, କିନ୍ତୁ ଏହା ତଦନ୍ତ ସାପେକ୍ଷ)।

ଚତୁର୍ଦ୍ଧା ମୂର୍ତ୍ତିଙ୍କ ନୀତିକାନ୍ତି, ପରମ୍ପରା, ସେବକମାନଙ୍କ କୋଭିଡ ଟେଷ୍ଟ, ଆଦି କୌଣସି ତଥ୍ୟ ସରକାର ମାନ୍ୟବର ଅଦାଲତଙ୍କୁ ଜଣେଇଲେ ନାହିଁ। ବରଂ ନୀରବ ରହି ୱାକଓଭର ଦେଲେ ଆବେଦନକାରୀଙ୍କୁ। (ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ୧୮-୦୬-୨୦୨୦ର ନିର୍ଦ୍ଦେଶ ପାରା-୨,ପୃଷ୍ଠା-୨)।

ନିଜ ପ୍ରାଣଠାରୁ ଅଧିକ ଭଲ ପାଉଥିବା “ଜଗାକାଳିଆ” ପାଇଁ ଓଡ଼ିଆ/ ଭକ୍ତ ପ୍ରାଣ ବିଳପି ଉଠିଲା। ଜଗନ୍ନାଥଙ୍କ “କଳ୍କୀ ଅବତାର” କଥା ସ୍ମରଣ ଆସିଲା ତା’ର। ପ୍ରତିଟି ଓଡ଼ିଆ/ଜଗନ୍ନାଥପ୍ରେମୀ ଅନୁଭବ କଲା – “ଉତ୍କଳେ ନେତାର ନାହିଁ ପ୍ରୟୋଜନ, ଉତ୍କଳର ନେତା ସ୍ୱୟଂ ନାରାୟଣ।” ରାଜନୈତିକ Boss କୁ ଛାଡି ନିଜ ପ୍ରାଣର Leader ଜଗନ୍ନାଥଙ୍କୁ ନେତା ମାନି ଜଗନ୍ନାଥ ସଂସ୍କୃତିକୁ ରକ୍ଷାକରିବା ପାଇଁ ଅଣ୍ଟା ଭିଡ଼ିଲା।

ମାନ୍ୟବର ସୁପ୍ରିମକୋର୍ଟଙ୍କ ଆଦେଶକୁ ସମ୍ମାନର ସହ ଗ୍ରହଣକରି, ରାଜ୍ୟ ସରକାରଙ୍କ ମାମଲା ପରିଚାଳନା ସମୟର ନୀରବତାକୁ ମିଡ଼ିଆ, ସୋସିଆଲ ମିଡ଼ିଆ, ଛକ, ବଜାର, ଓଡିଶାର କୋଣେ-ଅନୁକୋଣେ ପ୍ରଶ୍ନ ଉଠିଲା।ଠାକୁର ରାଜା ଗଜପତି ମହାରାଜ, ହିନ୍ଦୁ ଆଦିଗୁରୁ ଶଙ୍କରାଚାର୍ଯ୍ୟ ମଧ୍ୟ ସରକାରକୁ ବିଭିନ୍ନ ତଥ୍ୟ ପ୍ରଦାନ କଲେ ଓ ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ଅନୁରୋଧ କଲେ।

ଜନତାଙ୍କ ଦୁଇଦିନର ଷଣ୍ଢୁଆସୀ ଆକ୍ରମଣରେ ଘାଇଲା ହେଇ ରାଜ୍ୟ ସରକାର ସଫେଇ ଦେଲେ ।ରାଜ୍ୟସାରା ପ୍ରତି ପଞ୍ଚାୟତରେ ରଥଯାତ୍ରା ହେଲେ ୧୦-୧୨ ଲକ୍ଷଲୋକଙ୍କ ସମାଗମ ହେବ ।  ସଂକ୍ରମଣର ଆଶଙ୍କା ଅଧିକ ରହିବ ବୋଲି ମାନ୍ୟବର ଅଦାଲତଙ୍କ ପାଖରେ କହିଥିଲେ, ଇତ୍ୟାଦି ଇତ୍ୟାଦି …..।

ମାନ୍ୟବର ଅଦାଲତଙ୍କ ଅର୍ଡର କିନ୍ତୁ ଖାଲି ପୁରୀ ସମ୍ବନ୍ଧରେ କୋଭିଡ-୧୯ ଟେଷ୍ଟ କଥା ବୁଝାପଡୁଛି (ପାରା-୧,ପୃଷ୍ଠା-୫)।ଜନସ୍ୱାର୍ଥ ମାମଲାରେ ଜନତାଙ୍କ ସ୍ୱାର୍ଥ ନିଜେ ଜନତା ବିଗତ ଦୁଇ-ତିନି ଦିନ ଭିତରେ ସ୍ପଷ୍ଟ କରି ସାରି ଥିବାରୁ ରାଜ୍ୟ ସରକାର ନିଜର ପୂର୍ବ ମତ ବଦଳେଇ (ଜନତାଙ୍କ ଚାପ ଯୋଗୁଁ) କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ରଥଯାତ୍ରା ଆୟୋଜନର ଆଭିମୁଖ୍ୟକୁ ସମ୍ମତି ଦେଲେ। ଯାହାହେଉ, କେନ୍ଦ୍ରସରକାର, ସାଧାରଣ ଜନତାଙ୍କ ଗୁହାରୀ ମାନ୍ୟବର ସୁପ୍ରିମକୋର୍ଟ ଶୁଣି ସସର୍ତ୍ତ “ରଥଯାତ୍ରା”କୁ ଶ୍ରୀକ୍ଷେତ୍ରରେ ଆୟୋଜନ କରିବାକୁ ଅନୁମତି ପ୍ରଦାନ କଲେ।

ଶାସକ ତତ୍ପରତା ଦେଖେଇଲେ “ମୁଖ୍ୟ”ଙ୍କୁ ଜଗନ୍ନାଥଙ୍କ ବଡ଼ଭକ୍ତ ସାବ୍ୟସ୍ତ କରିବାରେ। ହଁ ମ, ଭକ୍ତ ସାଲବେଗ ସିନା ୭୫୦ କୋଷଦୂରରୁ ଆସି ଜଗନ୍ନାଥଙ୍କୁ ଡାକି ରଥଯାତ୍ରା ଅଟକାଇଥିଲେ। ୟାଙ୍କ ମୁଖିଆ ତ ୯୧୪କୋଷ (ହିଂଜିଳିକାଟୁ-ପୁରୀ ଦୂରତା ଜାତୀୟ ରାଜପଥ -୧୬ ବାଟେ ୧୮୨.୮କି.ମି. (ଗୁଗୁଲମତେ)) ଦୂରରୁ ଆସି ରଥଯାତ୍ରା ଅଟକାଇ ଦେଉଥିଲେ।  ଜଣେ ଭକ୍ତିରେ ଆଉ ଜଣେ ନିରବତାରେ (ପାଠକେ ଅନ୍ୟ ଶବ୍ଦ ଚୟନ କରି ପାରନ୍ତି) ଜଗନ୍ନାଥଙ୍କ ରଥ ଅଟକାଇବାର ନଜିର ସୃଷ୍ଟି ହେଲା।

“କରି କରାଉ ଥାଏ ମୁହିଁ, ମାେ ବିନୁ ଅନ୍ୟଗତି ନାହିଁ”। ଯୁଦ୍ଧବେଳେ ‘କଳାଘୋଡ଼ା ଓ ଧଳାଘୋଡାରେ ଚଢି ଗଜପତି ମହାରଜାଙ୍କର ସାହାଯ୍ୟ ପାଇଁ ହେଉ କି ‘ଧର୍ମଯୁଦ୍ଧ ମହାଭାରତରେ ପାଣ୍ଡବମାନଙ୍କୁ ସହାୟ ହେବା ଘଟଣା ହେଉ, ସେହି ଜଗନ୍ନାଥ ଏ ସଂସ୍କୃତି ତଥା ପରମ୍ପରା ରକ୍ଷା ଯୁଦ୍ଧରେ ନିଜ ଭକ୍ତଙ୍କ ପଛରେ ଠିଆ ହୋଇ ସବୁ କରାଇଲେ। ସେ ପରା ଭକ୍ତର ଭଗବାନ। ଭକ୍ତ ପଛରେ ସେ କାଳିଆ ଠାକୁର କେମିତି ଠିଆ ହେବନି ଯେ ? କିନ୍ତୁ ଅହଙ୍କାରୀଙ୍କ ପାଇଁ ସ୍ପଷ୍ଟ ସଂକେତ ଦେଲେ ଯେ “ଗାଳି ମୁଁ ସହଇ, ଗର୍ବ ନ ସହଇ।”

ଅବଶ୍ୟ ସେହି ଛଳିଆ, ନାଟ କୁଟିଆ, ଭାବ ବିନୋଦିଆ କାଳିଆ ତା’ର ଭକ୍ତକୁ ମଧ୍ୟ ଏକ ଶିକ୍ଷା ଦେଲା।୧୮. ୦୬. ୨୦୨୦ରେ ମାନ୍ୟବର ସୁପ୍ରିମକୋର୍ଟଙ୍କ “ରଥଯାତ୍ରା” ବନ୍ଦ ନିର୍ଦ୍ଦେଶ ପରେ ବିକଳ୍ପ ଚିନ୍ତା କରିବା ଆଳରେ ଭକ୍ତ କିନ୍ତୁ ଜଗନ୍ନାଥଙ୍କ ନିତିକାନ୍ତି ତଥା ଜଗନ୍ନାଥ ସଂସ୍କୃତି ଉପରେ ଅନେକ ଲୁକ୍କାୟିତ ତଥ୍ୟ ଜାଣିବାକୁ ପାଇଲା।

ଆଜି ପ୍ରମାଣିତ ହେଇଗଲା ଯେ ସେ ବିଶ୍ଵବ୍ରହ୍ମାଣ୍ଡ (ଜଗତ)ର ନାଥ …. ଜଗନ୍ନାଥ। ସର୍ବଶକ୍ତିମାନ …..କିନ୍ତୁ ଭକ୍ତ ପାଇଁ
ସେ ତ ଭକତ ଜୀବନ ଧନରେ..ସେ ତ ଭକତ ଜୀବନ ଧନ।

ଜୟ ଜଗନ୍ନାଥ ।

ଶଶାଙ୍କ ଶେଖର ଶତପଥୀ, ଆଡ଼ଭୋକେଟ (ଅଧିବକ୍ତା)
ଓଡିଶା ଉଚ୍ଚ ନ୍ୟାୟାଳୟ, କଟକ-୨
ଦୂରଭାଷ-୯୨୩୭୭୩୫୭୮୭

You might also like