ଅଚିହ୍ନା ଶବକୁ କାନ୍ଧ ଦେଲେ; ବିପଦର ବନ୍ଧୁ ସାଜିଲେ ମହିଳା ପୋଲିସ ଅଫିସର
ବିଶାଖାପାଟଣା(ଯଶୋବନ୍ତ ପାଢୀ): ସେ ତାଙ୍କର ବନ୍ଧୁବାନ୍ଧବ ବା ସମ୍ପର୍କୀୟ ନୁହଁନ୍ତି। ଅଚିହ୍ନା..ଅଜଣା ଜଣେ ବୃଦ୍ଧ। ତଥାପି ତାଙ୍କ ମନ ସମ୍ଭାଳି ନ ଥିଲା। କେହି କାନ୍ଧ ନ ଦେବାରୁ ନିଜେ ମହିଳା ପୋଲିସ ଅଫିସର ନିଜ କାନ୍ଧ ଦେଇଥିଲେ। ଖାଲି କାନ୍ଧ ଦେଇ ନ ଥିଲେ, ଆତ୍ମୀୟଙ୍କ ପରି ତାଙ୍କୁ ମୁଖାଗ୍ନି ବି ଦେଇ ମାନବିକତାର ପରିଚୟ ଦେଇଥିଲେ। ଏହି ଘଟଣାର ପରେ ସାରା ଅଞ୍ଚଳରେ ଏଇ ମହିଳା ପୋଲିସ ଅଫିସରଙ୍କୁ ମିଳୁଛି ଭୁରି ଭୁରି ପ୍ରଶଂସା।
ଏହି ମହିଳା ପୋଲିସ ଅଫିସର ଜଣକ ହେଉଛନ୍ତି କାଶିବୁଗା ଥାନା ଏସଆଇ ସିରିଶା । ସେ ଖାଲି ଜଣେ ପୋଲିସ ଅଫିସର ନୁହଁନ୍ତି, ଖାକି ପୋଷାକ ତଳେ ବି ତାଙ୍କର ଲୁଚି ରହିଛି କୋମଳ ମନଟିଏ। ଅଜଣା ଅଚିହ୍ନା ବୃଦ୍ଧଙ୍କୁ କେହି ଯେତେବେଳେ ଛୁଇଁବାକୁ ରାଜି ହୋଇ ନ ଥିଲେ ସେତେବେଳେ କାନ୍ଧ ଦେବାକୁ ଆଗେଇ ଆସିଥିଲେ ସିରିଶା। ସତେ ଯେମିତି କେହି ଆତ୍ମୀୟଙ୍କ ତାଙ୍କର। ପଦପଦବୀର ମର୍ଯ୍ୟଦା ତାଙ୍କର ବାଟ ଓଗାଳି ନ ଥିଲା। ଫେସ୍ବୁକ୍ କି ଇନ୍ଷ୍ଟାରେ ଫଟୋ ସେୟାର କରି ଲାଇକ୍, କମେଣ୍ଟ ସାଉଁଟିବାର ଲୋଭ ତାଙ୍କର ନ ଥିଲା। ମାନବିକତାର ଆହ୍ୱାନରେ ସେ ନେଇଥିଲେ ଏମିତି ପଦକ୍ଷେପ।
ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ପଲାସା ପୌରପାଳିକାର କାଶିବୁଗା ଅଧୀନରେ ରହିଛି ଅଦାବିକୋଟୁର ଗ୍ରାମ । ଏହି ଗାଁର ଜଣକ ଚାଷଜମିରେ ଆଜି ଜଣେ ଅଜ୍ଞାତ ବୃଦ୍ଧଙ୍କ ମୃତଦେହ ପଡ଼ି ରହିଥିଲା। ବୃଦ୍ଧ ଜଣକ କିଏ ଓ କିପରି ଏଠାକୁ ଆସିଲେ ଏବଂ କିପରି ମଲେ ତାହା କାହାକୁ ଜଣା ନ ଥିଲା।
ମୃତ ଦେହକୁ ଦେଖିବା ପରେ ସ୍ଥାନୀୟ ବାସିନ୍ଦା କାସିବୁଗା ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତ ପରେ ପୁଲିସ ଜାଣିବାକୁ ପାଇଲା ଯେ ଏହା ଗୋଟିଏ ଅଜ୍ଞାତ ଶବ । ତେଣୁ ଶବ ସତ୍କାର କରିବା ପାଇଁ ପୋଲିସ ନିଷ୍ପତ୍ତି ନେଲା। ସେଥିପାଇଁ ଗ୍ରାମବାସୀଙ୍କୁ ଘଟଣାସ୍ଥଳରୁ ଶବ ଉଠାଇ ସତ୍କାର କରିବା ପାଇଁ କହିଥିଲେ।
ହେଲେ ଗ୍ରାମବାସୀ ଶବ ଉଠାଇବା ସହ ସତ୍କାର କାମ କରିବାକୁ ରୋକଠୋକ ମନା କରି ଦେଇଥିଲେ। କେମିତି ଶବର ଶେଷକୃତ୍ୟ କରିବେ ସେ ନେଇ ପୋଲିସ ଚିନ୍ତାରେ ଥିବାବେଳେ ଆଗେଇ ଆସିଥିଲେ ଏସ୍ଆଇ ସିରିଶା। ନିଜେ ବୃଦ୍ଧଙ୍କୁ କାନ୍ଧ ଦେଇଥିଲେ। ବିଲ ହିଡ଼ର ବଙ୍କାଟଙ୍କା ରାସ୍ତାରେ ଶବକୁ ବୋଡି ଦୀର୍ଘ ୨ କିମି ଚାଲିଥିଲେ। କାଶିବୁଗାରେ ପହଞ୍ଚିବା ପରେ ଲଲିତା ଚାରିଟେବୁଲ ଟ୍ରଷ୍ଟକୁ ଶବ ହସ୍ତାନ୍ତର କରିଥିଲେ।
ପରେ ଚାରିଟେବୁଲ ଟ୍ରଷ୍ଟ ସଦସ୍ୟ ବୃଦ୍ଧଙ୍କ ଶେଷକୃତ୍ୟ କରିଥିଲେ। ଟ୍ରଷ୍ଟ କର୍ମକର୍ତ୍ତାଙ୍କ ସହାୟତାରେ ପୁଲିସ ଏସଆଇ ସିରିଶା ନିଜେ ବୃଦ୍ଧାଙ୍କୁ ମୁଖାଗ୍ନି ଦେଇଥିଲେ। ଏହି ଖବର ପାଇବା ପରେ ସିରିଶାଙ୍କ କାର୍ଯ୍ୟକଳାପକୁ ଶ୍ରୀକାକୁଲାମ ଜିଲ୍ଲା ପୁଲିସ ଅଧିକାରୀମାନେ ଭୂୟସୀ ପ୍ରଶଂସା କରିଛନ୍ତି।