ସାରା ବିଶ୍ଵ ଯୋଗ ଦିବସ ପାଳନ କରୁଛି। ବର୍ତ୍ତମାନ ମଣିଷର ଆଧ୍ୟାତ୍ମିକ ଜୀବନକୁ ପୁନରୁଦ୍ଧାର କରାଯାଇ ଯୋଗକୁ ଜୀବନର ଏକ ପ୍ରଧାନ ଅଂଶ କରାଯାଇ ପାରିଛି। ଆଧ୍ୟାତ୍ମିକ ମାର୍ଗରେ ଚରମ ଲକ୍ଷ୍ୟ ହେଉଛି ଯୋଗର ମୂଳ ପ୍ରସଙ୍ଗ। ଆଧ୍ୟାତ୍ମିକ ଜୀବନର ଲକ୍ଷ ଯାହା ହେଉନା କାହିଁ ଯୋଗାଭ୍ୟାସ କରୁଥିବା ଲୋକେ ସେଥିରୁ ପ୍ରତ୍ୟେକ୍ଷ ଓ ସ୍ପଷ୍ଟ ଉପକାର ପାଆନ୍ତି।

ଶାରୀରିକ ଓ ମାନସିକ ଚିକିତ୍ସା ହେଉଛି ଯୋଗର ଏକ ଗୁରୁତ୍ଵପୂର୍ଣ୍ଣ କାମ। ଶରୀର ଓ ମନ ସଂପୂର୍ଣ୍ଣ ଚିକିତ୍ସା ନେଇ ଯୋଗ ଶକ୍ତିଶାଳୀ ହୋଇପାରିଛି। ଆଧୁନିକ ବୈଜ୍ଞାନିକ ଚିକିତ୍ସାରେ ଭଲ ହେଉ ନ ଥିବା ଶ୍ଵାସ, ମଧୁମେହ, ରକ୍ତଚାପ, ଆଣ୍ଠୁଗଣ୍ଠି ବାତ, ପେଟରୋଗ ଆଦି ପୁରୁଣା ରୋଗ ଯୋଗଦ୍ଵାରା ଭଲ ହୋଇପାରୁଛି। ଯୋଗାଭ୍ୟାସ ଦ୍ଵାରା ଏଡସ୍ ରୋଗରୁ ମୁକ୍ତ ହେବା ନେଇ ଗବେଷଣା ଚାଲିଛି ଏବଂ ସେଥିରେ ସୁଫଳ ମିଳିବାର ଯଥେଷ୍ଠ ସମ୍ଭାବନା ରହିଛି। ଡାକ୍ତରୀ ଗବେଷଣାରୁ ଜଣାପଡିଛି, ଯୋଗଦ୍ଵାରା ସ୍ନାୟୁତନ୍ତ୍ର ଓ ଅନ୍ତସ୍ରାବୀ ଗ୍ରନ୍ଥି ପ୍ରଣାଳୀ ମଧ୍ୟରେ ସମନ୍ଵୟ ରକ୍ଷା ହେବା ଦ୍ଵାରା ଶରୀରର ଅନ୍ୟସବୁ ଅଙ୍ଗ ପ୍ରତ୍ୟେଙ୍ଗ ପ୍ରଭାବିତ ହୁଏ।

ଅଧିକାଂଶ ଲୋକଙ୍କ ପାଇଁ ଆଜିର ଏ ଜଞ୍ଜାଳପୂର୍ଣ୍ଣ ଜୀବନରେ ଯୋଗ ଏକ ସରଳ, ସୁନ୍ଦର, ସ୍ଵାସ୍ଥ୍ୟରକ୍ଷାର ଉପାୟ। ସବୁଦିନର ଅଫିସ କାମରୁ ସୃଷ୍ଟି ହେଉଥିବା ଦେହର ପୀଡା ଯୋଗାସନ ଦ୍ଵାରା ଦୂର ହୋଇଥାଏ। ଶିଥିଳୀକରଣ ପଦ୍ଧତି ଦ୍ଵାରା ବ୍ୟସ୍ତ ଜୀବନରେ ବେଶ ସୁଫଳ ମିଳେ। ମୋବାଇଲ ଫୋନ୍, ଟିଭି ଓ ଚବିଶ ଘଣ୍ଟିଆ କିଣାବିକା ସମାଜରେ ଯୋଗାଭ୍ୟାସ ବ୍ୟକ୍ତିଗତ ଓ ବ୍ୟବସାୟିକ ଜୀବନରେ ମଧ୍ୟ ସୁଫଳ ଦିଏ।

ବ୍ୟକ୍ତିଗତ ଉପକାର ଛଡା ଯୋଗ ସମାଜରୁ ଦୁଃଖକଷ୍ଟ ଦୂରକରିବାର ଏକ ଉତ୍ତମ ମାର୍ଗ। ବର୍ତ୍ତମାନ ଯୁଗରେ ବିଶ୍ଵ ଯେତେବେଳେ ପରାଭବର ସମ୍ମୁଖୀନ, ଅତୀତର ମୂଲ୍ୟବାନ ସଂସ୍କୃତିକୁ ପରିତ୍ୟାଗ କରି ନୂତନ ଦିଗ୍‌ଦର୍ଶନରେ ସଂପୂର୍ଣ୍ଣ ବିଫଳ, ଯୋଗ ହିଁ ଏକମାତ୍ର ରାସ୍ତା ଯାହାକି ମଣିଷକୁ ନିଜର ପ୍ରକୃତ ପରିଚୟ ପାଇବାରେ ସାହାଯ୍ୟ କରେ। ଏହାଦ୍ଵାରା ସମାଜରେ ଐକ୍ୟ ପ୍ରତିଷ୍ଠା ହୁଏ ଏବଂ କରୁଣାର ଧାରା ପ୍ରବାହିତ ହୁଏ।

ଏହି ପରିପ୍ରେକ୍ଷୀରେ ଯୋଗ କେବଳ ଶରୀରକୁ ସୁସ୍ଥ ରଖିବାର ଏକ ବ୍ୟାୟାମ ନୁହେଁ ବରଂ ବାହ୍ୟ ଓ ଅନ୍ତର୍ନିହିତ ଚେତନାର ସମନ୍ଵୟରେ ଏକ ନୂଆ ଜୀବନର ପଥ ସୃଷ୍ଟି ପାଇଁ ସାହାଯ୍ୟ କରେ। ତେବେ ଅଭ୍ୟାସ ଓ ଅନୁଭୂତିରୁ ସୃଷ୍ଟ ଯୋଗ-ଜୀବନକୁ ବୁଦ୍ଧି ବା ଜ୍ଞାନ ଦ୍ଵାରା ବୁଝିହୁଏ ନାହିଁ। ଯୋଗକୁ ବୁଝିବାକୁ ହେଲେ କେବଳ ଅଭ୍ୟାସ ହିଁ ଏକମାତ୍ର ରାସ୍ତା।

Other Stories