କାହିଁକି ପାଳନ କରାଯାଏ ରୋଜ୍ ଡେ ?

ଫେବୃଆରୀ ମାସକୁ ରୋମାଣ୍ଟିକ ମାସ ବୋଲି କୁହାଯାଏ। କାରଣ ଏହି ମାସରେ ପଡ଼େ ପ୍ରେମ ସପ୍ତାହ ବା ଭାଲେଣ୍ଟାଇନ୍ସ ୱିକ୍। ତେବେ ପାଶ୍ଚାତ୍ୟ ସଂସ୍କୃତିରେ ଭାଲେଣ୍ଟାଇନ୍ସ ଡେ ପାଳନ କରିବା ବହୁତ ଗୁରୁତ୍ୱ ରଖୁଥିବା ବେଳେ ଭାରତୀୟ ସଂସ୍କୃତିର ଅଂଶବିଶେଷ ନୁହେଁ । ଏଥିପାଇଁ ଦେଶର ଅନେକ ସ୍ଥାନରେ ଏହାକୁ ବିରୋଧ କରାଯାଉଥିବାର ଘଟଣା ଦେଖିବାକୁ ମିଳେ। ତେବେ ଆମ ଦେଶରେ ଯୁବପିଢ଼ି ମଧ୍ୟ ଧୀରେ ଧୀରେ ଏହି ସଂସ୍କୃତିକୁ କିଛି ମାତ୍ରାରେ ଆପଣେଇ ନେଲେଣି। ବର୍ତ୍ତମାନ ସମୟରେ ଅନେକ ଏହାକୁ ପାଳନ ବି କରୁଛନ୍ତି।

ଫେବୃଆରୀ ୭ ତାରିଖରୁ ପ୍ରେମ ସପ୍ତାହ ଆରମ୍ଭ ହେଉଥିବା ବେଳେ ସଭା ଶେଷରେ ମାନେ ଫେବୃଆରୀ ୧୪ ପଡ଼େ ଭାଲେଣ୍ଟାଇନସ ଡେ। ପ୍ରେମ ସପ୍ତାହର ପ୍ରଥମ ଦିନ ବା ଫେବୃଆରୀ ୭ ତାରିଖ ରୋଜ ଡେ ରୁ ଆରମ୍ଭ ହୋଇଥାଏ। ଏହି ଦିନ ସମସ୍ତେ ନିଜ ନିଜ ପ୍ରୀୟ ମଣିଷକୁ ଗୋଲାପ ଦେଇ ସ୍ନେହଁ ପ୍ରେମ ଦିଅନ୍ତି।

ତେବେ ଏହି ରୋଜ୍‌ ଡେ କାହିଁକି ପାଳନ କରାଯାଏ ଜାଣିଛନ୍ତି କି ? ଏହା ପଛରେ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ନଥିଲେ ବି ଗୋଲାପକୁ ସବୁବେଳେ ପ୍ରେମର ପ୍ରତୀକ ବୋଲି କୁହାଯାଏ। ବ୍ରିଟେନରେ ପ୍ରେମ ନିବେଦନ ପାଇଁ ଗୋଲାପକୁ ବ୍ୟବହାର କରାଯାଏ।

ତା ଛଡ଼ା କବିର କବିତାରେ, ପ୍ରେମିକର ପ୍ରେମର ସବୁବେଳେ ଗୋଲାପ ଆଉ ପ୍ରେମ ଦୁହେଁ ଏକ ହୋଇ ଥାନ୍ତି। ପ୍ରେମ ସହିତ କବି ସବୁବେଳେ ଗୋଲାପକୁ ତୁଳନା କରିଥାଆନ୍ତି। ତେଣୁ ପାଶ୍ଚାତ୍ୟ ଦେଶରେ ଲୋକମାନେ ଗୋଲପାକୁ ପ୍ରେମର ପ୍ରତୀକ ବୋଲି ମାନିଥାନ୍ତି। ତେଣୁ ପ୍ରେମ ସପ୍ତାହର ପ୍ରଥମ ଦିନ ରୋଜ୍‌ ଡେରୁ ହିଁ ଆରମ୍ଭ ହୋଇଥାଏ।

ରାଣୀ ଭିକ୍ଟୋରିଆଙ୍କ ସମୟରେ ପ୍ରେମର ଆଦାନପ୍ରଦାନ ବା ପ୍ରେମଭାବର ପ୍ରକାଶ ପାଇଁ ଗୋଲାପକୁ ଅଧିକ ପ୍ରାଧାନ୍ୟ ଦିଆଯାଉଥିଲା । ରୋମାନ ସାହିତ୍ୟ କହେ, କ୍ଲିଓପାଟ୍ରା ଓ ଆନ୍ଥୋନି ଯେଉଁ ଘରେ ରହିଥିଲେ, ସେ ଘରେ ଆଣ୍ଠୁଏ ବହଳର ଗୋଲାପ ବିଛାଯାଇଥିଲା। ପାଶ୍ଚାତ୍ୟ ଦେଶରେ ଏହା କାମୋଦ୍ଦୀପକ ବୋଲି କେହି କେହି ମତ ଦିଅନ୍ତି। ପ୍ରେମକୁ ଅଧିକ ଗଭୀର କରିବା ପାଇଁ ଗୋଲାପ ଦିଆନିଆ ହୁଏ । ଗୋଲାପରେ ସତେଜତା, ଭଲ ପାଇବା ଓ ଉଷ୍ମତା ରହିଥାଏ । ଏହି ସୌଖୀନ ଫୁଲ ହିଁ ପ୍ରେମର ବାର୍ତ୍ତାବହ।

ରୋଜ ଡେ କୁ ପ୍ରେମିକମାନେ ପ୍ରେମର ପରିପ୍ରକାଶ ପାଇଁ ଏକ ଭଲ ଦିନ ବୋଲି ମାନୁଛନ୍ତି । ଏହି ଦିବସ ଯୁବପିଢ଼ିଙ୍କ ମଧ୍ୟରେ ବିଶେଷ କରି ପ୍ରେମିକ ପ୍ରେମିକାଙ୍କ ମଧ୍ୟରେ ପାଳନ କରାଯାଉଛି। କିନ୍ତୁ ପ୍ରେମ କେବେ କୌଣସି ନିର୍ଦ୍ଦିଷ୍ଟ ବର୍ଗ ବା ଗୋଷ୍ଠୀ ଭିତରେ ସୀମିତ ରହିବା ଉଚିତ ନୁହେଁ। ପ୍ରେମ ସୀମାହୀନ ଓ ଶାଶ୍ୱତ। ଗୁରୁଜନ ଓ ସାଙ୍ଗସାଥୀଙ୍କୁ ମଧ୍ୟ ଭଲ ପାଇବା ଉଚିତ । ପ୍ରେମ ସପ୍ତାହରେ ଫେବୃଆରୀ ୭ତାରିଖ ଗୋଲାପ ଦିବସ ହୋଇଥିବା ବେଳେ ୮ ତାରିଖ ପ୍ରପୋଜ ଡେ, ୯ ତାରିଖ ଚକୋଲେଟ ଡେ, ୧୦ ତାରିଖ ଟେଡି ଡେ ଓ ୧୧ ତାରିଖ ପ୍ରମିଜ ଡେ ପାଳିତ ହୁଏ ।

୧୨ ତାରିଖରେ ହଗ୍‌ ଡେ ଓ ୧୩ ତାରିଖରେ କିସ୍ ଡେ ପାଳନ କରାଯାଏ । ଫେବୃଆରୀ ୧୪ ତାରିଖ ଭାଲେଣ୍ଟାଇନସ ଡେ । ଯଦିଓ ଏହା ପାଶ୍ଚାତ୍ୟର ସଂସ୍କୃତି, ଧୀରେ ଧୀରେ ଭାରତୀୟ ଯୁବପିଢ଼ି ଏହାକୁ ଅଧିକରୁ ଅଧିକ ପାଳନ କରିବାକୁ ଆଗ୍ରହ ଦେଖାଉଛନ୍ତି।

You might also like