ମଣିଷ ଶରୀରକୁ କାଦୁଅ ମାଟି ଦିଏ ଲାଭ?

ଭିନ୍ନ ପରମ୍ପରା

  • ଏଠି ରଙ୍ଗ ନୁହେଁ ପରସ୍ପରକୁ ବୋଳି ଥାଆନ୍ତି ମାଟି
  • ଏକାଠି ହୁଅନ୍ତି ବୟସ୍କ, ଯୁବପୀଢି ଓ ଛୋଟ ପିଲା
  • ଯିଏ ଯାହାକୁ ପାରିଲା ମାଟି ବୋଳିଥାଏ

ନୂଆଦିଲ୍ଲୀ: ବିଶ୍ୱରେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପରମ୍ପରା, ପର୍ବପର୍ବାଣି ତଥା ଉତ୍ସବ ପାଳିତ ହୁଏ। କେଉଁଠି ହୋଲି, ଦିଓ୍ୱାଲି ତ କେଉଁଠି ମେରି ଖ୍ରୀଷ୍ଟମାସ। ସବୁଠି ଉତ୍ସବ ପାଳିବାର ଢଙ୍ଗ ନିଆରା । ଆଉ କିଛି ସ୍ଥାନରେ ଉତ୍ସବ ହିଁ ନିଆରା। ସେହିଭଳି ଏକ ନିଆରା ଉତ୍ସବ ହେଉଛି ମଡ୍ ଫେଷ୍ଟିଭାଲ। ହୁଏତ ଏହି ନାଁ ଶୁଣି ଆପଣଙ୍କୁ ଟିକିଏ ଅଜବ ଲାଗୁଥିବ। ଏମିତି ପର୍ବ ପୁଣି କେଉଁ ସ୍ଥାନରେ ପାଳନ ହୁଏ ଯେଉଁଠି ପରସ୍ପର ପଙ୍କ ବୋଳାବୋଳି ହୁଅନ୍ତି ?

ପରସ୍ପର ମୁହଁରେ ରଙ୍ଗ ବୋଳି ରଙ୍ଗର ପର୍ବ ହୋଲି ଖେଳାଯାଏ। ହେଲେ ଏଠି ହୋଲି ଖେଳାଯାଏ ନିଆରା ଢଙ୍ଗରେ। ରଙ୍ଗ ବଦଳରେ ମାଟିରେ ହୋଲି ଖେଳିଥାଆନ୍ତି ଲୋକେ । ଏହି ମଡ୍ ଫେଷ୍ଟିଭାଲ୍ପ ରସ୍ପରକୁ ମାଟି ଲଗାଇ ଲୋକମାନେ ଉତ୍ସବର ଆନନ୍ଦ ଉଠାଇଥାଆନ୍ତି।

ଦକ୍ଷିଣ କୋରିଆରେ ବୋରିୟାଙ୍ଗ୍ ମଡ୍ ଫେଷ୍ଟିଭାଲ୍ ବେଶ୍ ଧୁମଧାମରେ ପାଳିତ ହୋଇଥାଏ । ପରସ୍ପର ଉପରକୁ ମାଟି କାଦୁଅ ଫୋପାଡି, ତଥା ପରସ୍ପରକୁ ମାଟିରେ ବୁଡାଇ ଲୋକମାନେ ବେଶ୍ ଖୁସିରେ ଏହି ପର୍ବ ପାଳିଥାଆନ୍ତି। ଏହି ଉତ୍ସବ ୨ ସପ୍ତାହ ଧରି ଚାଲିଥାଏ। ଏହି ଉତ୍ସବର ମଜା ଉଠାଇବା ପାଇଁ ପ୍ରତିବର୍ଷ ୨୦ରୁ ୩୦ ଲକ୍ଷ ପର୍ଯ୍ୟଟକ ଏଠାରେ ପହଁଚିଥାଆନ୍ତି। ଏହି ଫେଷ୍ଟିଭାଲ୍ ସମୟରେ କାଦୁଅରେ ଭର୍ତ୍ତି ଏକ ପୁଲ୍ ନିର୍ମାଣ କରାଯାଇଥାଏ। ଏଥିରେ ଲୋକମାନେ ପରସ୍ପରକୁ ବୁଡାଇ ବି ଥାନ୍ତି। ଆଉ ଭିନ୍ନ ଭିନ୍ନ ପ୍ରକାରର ଖେଳ ବି ଖେଳି ଥାଆନ୍ତି।

କେବଳ ଏତିକି ନୁହେଁ, ଏହାସହ ରଙ୍ଗୀନ କାଦୁଅରେ ବି ଲୋକମାନେ ଏଠାରେ ଖେଳି ଥାଆନ୍ତି। ଏଠାରେ ନାଚ ଗୀତର ଆସର ମଧ୍ୟ ଜମିଥାଏ। କୁହାଯାଏ ଯେଉଁ କାଦୁଅରେ ଏହି ମଡ୍ ଫେଷ୍ଚିଭାଲ୍ ଖେଳାଯାଏ, ସେହି ମଡ୍ ମିନେରାଲରେ ଭରପୁର ଥାଏ। ଯାହା ସ୍କିନ୍ ପାଇଁ ବି ବେଶ୍ ଉପଯୋଗୀ ହୋଇଥାଏ। ତେଣୁ ଏହାଦ୍ୱାରା ତ୍ୱଚା ଖରାପ ହେବାର ଆଶଙ୍କା ନ ଥାଏ। ଦେଖିବାକୁ ଗଲେ ମଡ୍ ଫେଷ୍ଟିଭାଲ୍ ହୋଇ ବି ଏହି ଉତ୍ସବରେ ଲୋକମାନେ ବେଶ୍ ଉପଭୋଗ କରିଥାଆନ୍ତି।

ଖେଳ ସମୟରେ ବୟସ୍କ, ଯୁବକ-ଯୁବତୀ, ଛୋଟ ପିଲା ସମସ୍ତେ ଏକାଠି ହୋଇଥାଆନ୍ତି ଆଉ ବେଶ ମଜ୍ଜା ଉଠାଇଥାଆନ୍ତି।  ବାସ୍ତବିକ ଯେତେ ବିଚିତ୍ର ଏ ବ୍ରହ୍ମାଣ୍ଡ ସେତିକି ବିଚିତ୍ର ଆମ ପର୍ବପର୍ବାଣୀ ଓ ପରମ୍ପରା।

You might also like