କାହିଁକି ଓଡ଼ିଆ ଘରର ବୋହୂ ପାଳେ ମାଣବସା ଗୁରୁବାର ?

ନମସ୍ତେ କମଳା ମାଗୋ ସାଗର ଦୁଲଣୀ, ନମନ୍ତେ ନମନ୍ତେ ଲକ୍ଷ୍ମୀ ବିଷ୍ଣୁଙ୍କ ଘରଣୀ…। ମାର୍ଗଶୀର ମାସର ପ୍ରଥମ ଗୁରୁବାରରେ ଏମିତି କିଛି ଆଧ୍ୟାତ୍ମିକ ଗୀତ ସହ ଭାସିଆସେ ମାଆ ଲକ୍ଷ୍ମୀଙ୍କ ବନ୍ଦନା। ପ୍ରତିଟି ଓଡ଼ିଆ ଘରେ ପାଳିତ ହୁଏ ମାଣବସା ଗୁରୁବାର । ବିଶ୍ୱାସ ରହିଛି ମାଆ ଲକ୍ଷ୍ମୀଙ୍କ ଆରାଧନା କଲେ ଘରେ ଧନଧାନ୍ୟ ଗୋପଲକ୍ଷ୍ମୀ ବିରାଜମାନ କରେ। ଘର ପରିଜନଙ୍କ ଦୁଃଖ ଶୋକ ଦୂର ହୁଏ। ଅଶାନ୍ତ ବାତାବରଣ ପାଖ ମାଡ଼େ ନାହିଁ। ଘରର ଆର୍ଥିକ ସ୍ୱଚ୍ଛଳତା ବଢ଼େ। ଅଭାବ, ଅନଟନ ଲାଗି ରହେ ନାହିଁ। ମାଆଙ୍କ କୃପାରୁ ଘରେ ଶାନ୍ତି ବିରାଜମାନ କରେ।

ଘର ଦୁଆର ଆଗରେ ଝୋଟି ଚିତା ପକାଇ ଓଡ଼ିଆ ଘର ବୋହୂ ମାଆଙ୍କୁ ଆବାହନ କରେ। ବିଶ୍ୱାସ ରହିଛି ଯେଉଁ ଘରେ ମାଆଙ୍କ ସୁନ୍ଦର ଝୋଟି ଚିତା ପକାଇ, ଗାଈ ଗୋବରରେ ଘର ଅଗଣା ଲିପାପୋଛା କରାଯାଇ, ପରିଷ୍କାର ପରିଚ୍ଛନ କରାଯିବା ସହ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରାଯାଏ, ସେହି ଘରକୁ ମାଆ ସ୍ୱୟଂ ବିରାଜମାନ କରନ୍ତି । ଭକ୍ତଙ୍କ ଉପରେ ମାଆଙ୍କ କୃପା ଦୃଷ୍ଟି ଅହରହ ରହିଥାଏ ।

କାହିଁକି ପ୍ରତ୍ୟେକ ଓଡ଼ିଆଣୀ ମୁହଁରେ ଶୋଭାପାଏ ଲକ୍ଷ୍ମୀପୁରାଣ ଗୀତ?

୧୫ ଶତାବ୍ଦୀର ଲକ୍ଷ୍ମୀପୁରାଣ ପୁସ୍ତକର ରଚୟିତା ହେଉଛନ୍ତି ମହାନ୍ ଭକ୍ତକବି ବଳରାମ ଦାସ। ପଞ୍ଚସଖା ମଧ୍ୟରୁ ସେ ଅନ୍ୟତମ । ପୌରାଣିକ ବ୍ୟାଖ୍ୟା ଅନୁସାରେ ଦିନେ ଶ୍ରୀୟା ଚଣ୍ଡାଳୁଣୀ ଘରକୁ ଭ୍ରମଣ କରିବାକୁ ଯାଇଥିଲେ ମାଆ ଲକ୍ଷ୍ମୀ। ଏ କଥା ଜାଣିପାରି କ୍ରୋଧିତ ହେଲେ ବଡ଼ଠାକୁର ବଳଭଦ୍ର। ସାନଭାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଏ ନେଇ ଜଣାଇଥିଲେ। ଆଉ କ୍ରୋଧର ଶିକାର ହୋଇଥିଲେ ମାଆ ଲକ୍ଷ୍ମୀ। ଦୁହିଁଙ୍କ ତାଗିଦ ପରେ ଲକ୍ଷ୍ମୀ ମାଆ ଦୁଇ ଭାଇଙ୍କୁ ଉଚିତ୍ ଶିକ୍ଷା ଦେବା ପାଇଁ ଶ୍ରୀମନ୍ଦିରରୁ ବାହାରି ଯାଇଥିଲେ।

ଘଟଣାକ୍ରମରେ ବାର ଦୁଆର ବୁଲିବା, ପେଟକୁ ଦାନା ନ ମିଳିବା, ଅନ୍ୟର ଗଞ୍ଜଣା ସହିବା ଏବଂ ଶେଷରେ ସେହି ଚଣ୍ଡାଳୁଣୀ ଘରେ ପ୍ରବେଶ କରି ଦୁଇ ଭାଇ ସ୍ୱୟଂ ଲକ୍ଷ୍ମୀ ମାଆଙ୍କ ଠାରୁ ଅନ୍ନ ଭକ୍ଷଣ କରିଥିଲେ।  ଶ୍ରୀମନ୍ଦିରରେ ଜାତିଧର୍ମର ପାନ୍ତରଅନ୍ତର ପ୍ରଥା ତଥା ଅସ୍ପୃଶ୍ୟତା ଦୂର ହେବା ଯାଏଁ ସମାଜକୁ ଏକ ଦିଗଦର୍ଶନ ଦେବା ସ୍ୱରୂପ ଲକ୍ଷ୍ମୀ ପୁରାଣର ଉତ୍ପତ୍ତି । ଯାହା ଏବେ ଘରେ ଘରେ ବହୁଜନ ଆଦୃତ ଆଉ ନିତ୍ୟ ପଠନୀୟ ମଧ୍ୟ।

ସଂପ୍ରତି ମାର୍ଗଶୀର ମାସର ପ୍ରଥମ ଗୁରୁବାର ଠାରୁ ଲଗାତାର ୪ଟି ଗୁରୁବାର ଯାଏଁ ଧାନ ମାଣ ବସେ। ଧାନ ବେଣ୍ଟି ଠାରୁ ଆରମ୍ଭ କରି ବିଭିନ୍ନ ପୂଜା ସାମଗ୍ରୀ ପୂଜା ଘରେ ଶୋଭା ପାଏ। ମନସ୍କାମନା ପୂରଣ କରିବାକୁ ପାଇଁ ଧୀର ଚିତ୍ତ ଓ ମନପ୍ରାଣ ଦେଇ ମାଆ ଲକ୍ଷ୍ମୀଙ୍କ ଆବାହନ କରନ୍ତି ଓଡ଼ିଆ ଘରର ବୋହୂ ମାନେ  ା ଆଉ ମାଆଙ୍କ ଆଶୀର୍ବାଦ ଭିକ୍ଷା କରନ୍ତି ।

You might also like