ଅଗଷ୍ଟ ୧୫: ଭାରତର ସ୍ୱାଧୀନତା ପାଇଁ କିଏ ବାଛିଥିଲେ ଏହି ତାରିଖ ?

ନୂଆଦିଲ୍ଲୀ: ଦୀର୍ଘ ସଂଗ୍ରାମ ପରେ ଭାରତ ତାର ସ୍ୱାଧୀନତା ହାସଲ କରିଥିଲା ୧୯୪୭ ଅଗଷ୍ଟ ୧୫ ତାରିଖରେ। ହେଲେ କିଏ ବାଛିଥିଲା ଏଇ ତାରିଖ ? ଏକଥା ସତ ଯେ, ଭାରତୀୟମାନେ  ବାଛି ନ ଥିଲେ ଏହି ତାରିଖ । ବରଂ ବିରୋଧ କରିଥିଲେ। କାରଣ ଏହି ଦିନର ତିଥି ଭାରତୀୟଙ୍କ ପାଇଁ ଆଦୌ ଭଲ ନ ଥିଲା। ତେବେ କିଏ ବାଛିଲା ଏହି ତାରିଖ !

ସେଦିନ ତାରିଖ ଥିଲା ୩ ଜୁନ୍‌ ୧୯୪୭ ମସିହା। ସନ୍ଧ୍ୟା ପ୍ରାୟ ୭ଟା ପାଖାପାଖି ହେବ। ଭାରତକୁ ଦୁଇ ଭାଗ କରାଯିବ-ଏହା ଏକ ପ୍ରକାର ନିଶ୍ଚିତ କରି ଦିଆଗଲା। କେବଳ ଔପଚାରିକ ଘୋଷଣା ବାକି ଥିଲା।

ଭାରତର ଶେଷ ଭାଇସ୍‌ରାୟ ଲର୍ଡ ମାଉଣ୍ଟବେଟ୍‌ନ ସେଦିନ ଡାକିଥିଲେ ଇଂରେଜ ସାମ୍ରାଜ୍ୟର ଅନ୍ତିମ ପ୍ରେସ୍‌ କନ୍‌ଫରେନ୍ସ। ସମ୍ମିଳନୀରେ ଯୋଗ ଦେଇଥିଲେ ଭାରତର ସାମ୍ବାଦିକଙ୍କ ସହ ଆମେରିକା, ଋଷ, ଚୀନ ସମେତ ଅନେକ ଦେଶର ସାମ୍ବାଦିକ। ମାଉଣ୍ଟବେଟ୍‌ନଙ୍କ ବକ୍ତବ୍ୟ ସରିଲା, ପ୍ରଶ୍ନ-ଉତ୍ତର କାର୍ଯ୍ୟକ୍ରମ ବି ସରିଲା। ହେଲେ ଗୋଟିଏ ପ୍ରଶ୍ନର ଉତ୍ତର ମିଳି ନ ଥିଲା। ତା ହେଲା  ସ୍ୱାଧୀନତାର ତାରିଖ ଘୋଷଣା..

ସମ୍ମିଳନୀ ଶେଷରେ ଜଣେ ଭାରତୀୟ ସାମ୍ବାଦିକ ପ୍ରଶ୍ନ କରିଥିଲେ, ‘ସାର୍‌, ଆପଣ କ୍ଷମତା ହସ୍ତାନ୍ତର କରିବା ପାଇଁ ତ କୌଣସି ତାରିଖ ଠିକ୍‌ କରିଥିବେ। ଯଦି ଠିକ୍‌ କରି ସାରିଛନ୍ତି ତେବେ ତାହା କ’ଣ ? ପ୍ରଶ୍ନ ଶୁଣିବା କ୍ଷଣି ଭାଇସ୍‌ରାୟ ଘାବରେଇ ଗଲେ। ପ୍ରକୃତରେ କ୍ଷମତା ହସ୍ତାନ୍ତର ପାଇଁ ସେ କୌଣସି ତାରିଖ ଠିକ୍‌ କରି ନ ଥିଲେ। କେବଳ ଏତିକି ଭାବି ନେଇଥିଲେ ଯେ, କାମ ଶୀଘ୍ର ହୋଇଯିବା ଦରକାର।

ବିଖ୍ୟାତ ଐତିହାସିକ ଡାମିନିକ୍‌ ଲୈପିୟର ଏବଂ ଲୈରୀ କାଲିନ୍ସ ତାଙ୍କ ପୁସ୍ତକ ‘ଫ୍ରିଡମ୍‌ ଆଟ ମିଡ୍‌ନାଇଟ୍‌’ରେ ଲେଖିଛନ୍ତି ଯେ, ସେହି ସ୍ୱଳ୍ପ ସମୟ ମଧ୍ୟରେ ମାଉଣ୍ଟବେଟ୍‌ନଙ୍କ ମୁଣ୍ଡରେ ଅନେକ ତାରିଖ ଘୁରି ବୁଲୁଥିଲା। ହେଲେ କେଉଁ ତାରିଖ ବାଛିବେ ଦ୍ୱନ୍ଦ୍ୱରେ ପଡି ଯାଇଥିଲେ। କିଛି ସମୟ ଭାବିବା ପରେ ହଠାତ୍‌ ଚାପା ଗଳାରେ କହିଲେ ‘ଭାରତୀୟଙ୍କ ହାତରେ କ୍ଷମତାକୁ ସମ୍ପୂର୍ଣ୍ଣ ଭାବେ ସମର୍ପି ଦିଆଯିବ ୧୯୪୭ ଅଗଷ୍ଟ ୧୫ ତାରିଖ।’

ତେବେ ମାଉଣ୍ଟବେଟନ୍‌ କାହିଁକି ଅଗଷ୍ଟ ୧୫ ତାରିଖକୁ ବାଛିଲେ? ପ୍ରକୃତ କଥା ହେଲେ ଏହି ତାରିଖ ସହ ମାଉଣ୍ଟବେଟନ୍‌ଙ୍କର କିଛି ଗୁରୁତ୍ୱପୂର୍ଣ୍ଣ ସ୍ମୃତି ଜଡିତ ରହିଛି । ତେଣୁ ଏହି ଦିନଟିକୁ ଆହୁରି ସ୍ମୃତିସଜଳ କରିବା ପାଇଁ ସେ ଏହି ଦିନକୁ ବାଛିଥିଲେ।

ଏହି ଦିନ ବର୍ମାର ଜଙ୍ଗଲରେ ଦୀର୍ଘ ଦିନ ଧରି ଲାଗି ରହିଥିବା ଯୁଦ୍ଧର ଅନ୍ତ ହୋଇଥିଲା। ଦ୍ୱିତୀୟରେ, ୨ ବର୍ଷ ତଳେ ଠିକ୍‌ ଏହି ଦିନ ଅର୍ଥାତ ୧୯୪୫ ଅଗଷ୍ଟ ୧୫ ତାରିଖରେ ଜାପାନ ବିନା ସର୍ତ୍ତରେ ଆତ୍ମସମର୍ପଣ କରିଥିଲା। ଏଥି ସହିତ ୨ୟ ବିଶ୍ୱଯୁଦ୍ଧ ଶେଷ ହୋଇଥିଲା।

କୁହାଯାଏ, ବ୍ରିଟିଶ୍‌ ସଂସଦ ଭାରତର ସ୍ୱତନ୍ତ୍ରତା ପାଇଁ ୩୦ ଜୁନ୍‌ ୧୯୪୮ ରଖିଥିଲେ। ହେଲେ ଭାରତର ପ୍ରଥମ ଗଭର୍ଣ୍ଣର ଜନରାଲ ସି.ରାଜଗୋପାଳଚାରୀ ରାଜି ହୋଇ ନ ଥିଲେ।

ଯେତେବେଳେ ରେଡିଓ ମାଧ୍ୟମରେ ମାଉଣ୍ଟବେଟନ୍‌ଙ୍କ ତାରିଖ ଘୋଷଣା କରି ଦିଆଗଲା, ଭାରତୀୟ ଜ୍ୟୋତିଷମାନେ ବିରୋଧ କରିଥିଲେ।  ୧୫ ଅଗଷ୍ଟ ଅତି ଅଶୁଭ ବେଳା। ଭାରତୀୟଙ୍କ ପାଇଁ ଆଦୌ ଭଲ ହେବନି। ଆଉ ଗୋଟିଏ ଦିନ ବରଂ ଇଂରେଜମାନଙ୍କ ଶାସନ ପଛେ ସହି ନେବା କିନ୍ତୁ ୧୫ ଅଗଷ୍ଟରେ  ସ୍ୱାଧୀନତା ଦିଆ ନ ଯାଉ ବୋଲି କହିଥିଲେ।
କୋଲକାତାରେ ସ୍ୱାମୀ ମଦନାନନ୍ଦ ଏକ ପ୍ରକାର ଚିତ୍କାର କରିଥିଲେ- ‘କି ଅନର୍ଥ କରିଦେଇ ଗଲେ ଏ ଲୋକମାନେ !‘ ସେ ମାଉଣ୍ଟବେଟନଙ୍କୁ ଚିଠି ଲେଖିଥିଲେ ଯେ, ‘ଭଗବାନଙ୍କ ନାଁରେ ଅଗଷ୍ଟ ୧୫ ଦିନ ସ୍ୱାଧୀନତା ଦିଅନି। ଏହି ଦିନ ସ୍ୱାଧୀନତା ମିଳିଲେ  ବନ୍ୟା, ମହାମାରୀ ବ୍ୟାପିବ।‘
ହେଲେ ମାଉଣ୍ଟବେଟନଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିଲା ନାହିଁ। ଶେଷରେ ୧୫ ଅଗଷ୍ଟ ସକାଳ ଆସିଲା ଏବଂ ତ୍ରୀରଙ୍ଗା ଉଡିଲା।

 

ଆହୁରି ପଢ଼ନ୍ତୁ

ବେଶରେ ପୁରାପୂରି ଘରଣୀ, ହେଲେ ପେଶାରେ ଅଟୋ ଡ୍ରାଇଭର

ଭାରତର ଚନ୍ଦ୍ରମିଶନ ଏକ ଗବେଷଣାତ୍ମକ ବିଶ୍ଲେଷଣ

ଓଡ଼ିଆ କିନ୍ନର ହେଲେ ଭାରତର ଏକ ନମ୍ବର ଉବେର ଚାଳକ

୧୨ ବର୍ଷିୟ ଜଗନ୍ନାଥଙ୍କ ଅପୂର୍ବ ଦକ୍ଷତା ; ପାଟି ସାହାଯ୍ୟରେ ବଜାଉଛନ୍ତି ବାଜା

ଗପ ନୁହେଁ ସତ କାହାଣୀ ; ବିଧବା ବୋହୂର ବାହାଘର କଲେ ଶାଶୂ

ଗୋରା କ୍ରିମ୍‌ର କଳା କାହାଣୀ ; ପ୍ରସାଧନ ନାଁରେ ଔଷଧ ବିକ୍ରି

୮୦ ବର୍ଷର ବୃଦ୍ଧ ବେଶରେ ଆମେରିକା ଯାଇଥିଲେ ଏହି ଯୁବକ, ଧରାପଡିଗଲେ

କିଏ ଏହି ସବୁଜ ଆଖିର ଝିଅ, ଯାହାକୁ ଖୋଜି ପାଇବାକୁ ଲାଗିଲା ୧୭ ବର୍ଷ

ଛୋଟ ପିଲାଙ୍କ ହାତରେ କେଉଁ ନେଲ୍‌ ପଲିସ୍‌ ସୁରକ୍ଷିତ !

ଇଛାଶକ୍ତି ଆଗରେ ହାର୍ ମାନିଛି ଶାରୀରିକ ଅକ୍ଷମତା ; ସବୁଥିରେ ସକ୍ଷମ ଜଗନ୍ନାଥ

ମାଟିରୁ ମହାକାଶ; ଚାଷୀ ପୁଅ ଆଜି ଇସ୍ରୋ ଅଧ୍ୟକ୍ଷ

ଚନ୍ଦ୍ର ପୃଷ୍ଠରେ ଅବତରଣ କରୁଛି ଚନ୍ଦ୍ରଯାନ-୨: ୧୦ଟି ରୋଚକ ତଥ୍ୟ ଜାଣନ୍ତୁ

You might also like