• translate
Satyendu Shekher Mishra

ଭୁବନେଶ୍ୱର: କ’ଣ ହେବ ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ଦ୍ୱିତୀୟ କୋଣାର୍କର ସ୍ୱପ୍ନ ? କରୋନା ପୁରା ପରିବାରକୁ ଶୋକାକୂଳ ଅବସ୍ଥାକୁ ଠେଲି ଦେଇଛି । ଏଭଳି କଠିନ ସମୟରେ ଜେଜେଙ୍କୁ ପ୍ରକୃତ ଶ୍ରଦ୍ଧାଞ୍ଜଳି ଦେବାକୁ ମନୋବଳ ଦୃଢ କରି ଆଗକୁ ଆସିଛନ୍ତି ତାଙ୍କ ନାତି । ରଘୁନାଥଙ୍କ କର୍ମଶାଳାରେ ଏବେ ପୁଣି ଶୁଭିଲାଣି ଠକ୍ ଠକ୍ ଶବ୍ଦ ।

ପୁଣି ଜାଗିଲା ଦ୍ୱିତୀୟ କୋଣାର୍କର ଆଶା । ଜେଜେ ଯେଉଁଠୁ ଛାଡ଼ିଥିଲେ ସେଇଠୁ ଆରମ୍ଭ କରିବେ ନାତି । ଓଡ଼ିଆଙ୍କ କଳା ଭାସ୍କର୍ଯ୍ୟର ସର୍ବଶ୍ରେଷ୍ଠ କୃତି ସୂର୍ଯ୍ୟମନ୍ଦିର ଭଳି ଅବିକଳ ମନ୍ଦିରଟିଏ ତୋଳିବାକୁ ଜେଜେ ପଦ୍ମବିଭୂଷଣ ରଘୁନାଥ ମହାପାତ୍ରଙ୍କ ସ୍ୱପ୍ନରେ ତାଙ୍କ ଅବର୍ତ୍ତମାନରେ ଡେଣା ଖଞ୍ଜିବାକୁ ଆଗେଇ ଆସିଛନ୍ତି ତାଙ୍କ ନାତି ସ୍ମିତେଶ ମହାପାତ୍ର ।

କେଇ ଦିନ ତଳେ ମହାମାରୀ କରୋନା, ଜେଜେ ରଘୁନାଥଙ୍କ ସମେତ ବାପା ଯଶୋବନ୍ତ ଆଉ ଦାଦା ପ୍ରଶାନ୍ତଙ୍କୁ ନେଇ ପୂରା ପରିବାର ଉପରେ ଯେଉଁ ଦାରୁଣ ଖେଳ ଖେଳିଲା, ସେହି ଦୁଃଖରୁ ସ୍ମିତେଶ ଏଯାଏଁ ବାହାରି ପାରିନାହାନ୍ତି ସତ । ହେଲେ ପଣ କରିଛନ୍ତି ଜେଜେଙ୍କ ସ୍ୱପ୍ନକୁ ପରିବାରର କୌଳିକବୃତ୍ତିକୁ ସେ ହିଁ ଆଗକୁ ନେବେ । ସେଇଥିପାଇଁ ଭୁବନେଶ୍ୱର ଲିଙ୍ଗିପୁରରେ ଥିବା ରଘୁନାଥଙ୍କ ଓ୍ୱାର୍କସପ୍‌ରେ ଧିରେ ଧିରେ ପୁଣି ଶୁଭିବାକୁ ଲାଗିଲାଣି ନିହଣ ଆଉ ହାତୁଡ଼ିର ଶବ୍ଦ । କଥା କହିବାକୁ ଆରମ୍ଭ କଲେଣି ପଥର ।

ଦ୍ୱିତୀୟ କୋଣାର୍କ ବା ଆଦିତ୍ୟ ନାରାୟଣଙ୍କ ମନ୍ଦିର ଲାଗି ସ୍ୱର୍ଗତ ରଘୁନାଥ ମହାପାତ୍ର ପୁରୀ-ଭୁବନେଶ୍ୱର ରାସ୍ତାରେ ପାଖାପାଖି ୫୦ ଏକର ଜମି କିଣିସାରିଥିଲେ । ଆହୁରି ୧୫୦ ଏକର ଆବଶ୍ୟକତା ଥିଲା । ଏଥିପାଇଁ ସେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହାୟତା ମଧ୍ୟ ଲୋଡିଥିଲେ । କୋଣାର୍କ ଚକ ସହ କାରୁକାର୍ଯ୍ୟ ସମ୍ପନ୍ନ ଖମ୍ବ ବି ତିଆରି ଚାଲିଥିଲା । ଆଶା ରଖିଥିଲେ ୭-୮ ବର୍ଷ ଭିତରେ ସମ୍ପୂର୍ଣ୍ଣ କାମ ସରିଥାନ୍ତା । କିନ୍ତୁ ତା ପୂର୍ବରୁ ସବୁ ଓଲଟପାଲଟ କରିଦେଲା ମହାମାରୀ । ହେଲେ ଯେଉଁ ନାତିର ହାତ ଧରି ସେ କାମ ଶିଖାଇଥିଲେ, ଯାହାଙ୍କୁ ସାଙ୍ଗରେ ଧରି ଦ୍ୱିତୀୟ କୋଣାର୍କ କାମର ଅନୁକୂଳ କରାଇଥିଲେ, ପରିବାରର ସେଇ ଏକମାତ୍ର ଦାୟାଦ ଏବେ ରଘୁନାଥଙ୍କ ସ୍ୱପ୍ନ ଶାକାର କରିବା ପାଇଁ ଲାଗି ପଡ଼ିଛନ୍ତି । ତେବେ ପ୍ରଶ୍ନ ଉଠୁଛି ଏତେବଡ଼ ପ୍ରକଳ୍ପ କଣ ବିନା ସରକାରୀ ପ୍ରୋତ୍ସାହନରେ ସମ୍ଭବ ? ବିଶିଷ୍ଟ ଭାସ୍କର୍ଯ୍ୟଶିଳ୍ପୀଙ୍କ ମତରେ ଏଥିପାଇଁ ରାଜ୍ୟ ସରକାର ଏକ କମିଟି ଗଢ଼ି ଏଦିଗରେ ପଦକ୍ଷେପ ନିଅନ୍ତୁ ।

Other Stories