‘ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ ଲୋ, ଘେନି ନୂଆ ସଜବାଜ ।’ ‘ରାଶିରୁ ଛାଡ଼ିଲା ଚୋପା, ଗୋଡ଼ରେ ନାଇଛୁ ସରୁ ଅଳତା ଲୋ, ମଥାରେ ସିନ୍ଦୂର ଟୋପା ।’ ‘ଉଡ଼ିଲା ଶୁଆ ନାହାକା, ଦୋଳିଟା କାହିଁକି ଲାଗୁଛି ଏକା ଲୋ, କାହା ବିନା ଏକା ଏକା ।’ ପାଚିଲା ଭଇଁଚ କୋଳି, ବେକରେ ନାଇଚି ଗଜରା ମାଳି ଲୋ, ଝୁଲାଅ ରଜର ଦୋଳି ।’ ପଣସ ପାଚିଲା ବନେ, ବନ ପୋଡ଼ିଗଲେ ଦୁନିଆ ଜାଣେ ଲୋ, ମନକଥା କିଏ ଜାଣେ ।’

ଏଭଳି କିଛି ଗୀତ ବୋଧହୁଏ ଏବେ ଆଉ ଶୁଭାଯାଉନି । କିନ୍ତୁ ଦୋଳି ଖେଳାଯାଉଛି । ପାଶ୍ଚାତ୍ୟର ପ୍ରଭାବରେ ପାରମ୍ପରିକ ଗୀତ ନ ଶୁଭିଲେ ବି, ଗଛରେ ଦୋଳି ବନ୍ଧା ନହେଲେ ମଧ୍ୟ କଂକ୍ରିଟ୍ ଘର ଲୁହାରେ ବନ୍ଧା ହେଉଛି । ଆମର ଏହି ନିଆରା ପର୍ବକୁ କେହି କେବେ ଭୁଲି ପାରିବେ ନାହିଁ । ରଜ ଆମ ରାଜ୍ୟର ପାରମ୍ପରିକ ଓ ଗଣପର୍ବ ବୋଲି କୁହାଯାଏ । ଏହା ତିନିଦିନ ଧରି ପାଳନ କରାଯାଇଥାଏ । ଏହାର ଦ୍ୱିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏହା ପରେ ବର୍ଷା ଋତୁ ଆରମ୍ଭ ହୁଏ । ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ୱିତୀୟ ଦିବସ ହେଉଛି ରଜ ସଂକ୍ରାନ୍ତି, ତୃତୀୟ ଦିବସ ହେଉଛି ଭୂମିଦାହ ବା ଭୂମି ଦହନ, ଚତୁର୍ଥ ତଥା ଅନ୍ତିମ ଦିବସ ହେଉଛି ବସୁମତୀ ସ୍ନାନ । ଏହା ସମସ୍ତେ ଜାଣନ୍ତି । କିନ୍ତୁ ଖୁବ୍ କମ ଲୋକ ଜାଣିଥିବ ଯେ, ‘ରଜ ପର୍ବ’ ସହ ‘ନାରୀ’ଙ୍କ ମଧ୍ୟରେ କ’ଣ ସାମଞ୍ଜସ୍ୟ ରହିଛି । ବିଶେଷ କରି ନାରୀ ଜାତି ପାଇଁ ହିଁ ରଜ ପର୍ବ ପାଳନ କରାଯାଇଥାଏ ।

ଖାଲି ସେତିକି ନୁହେ, ଏହି ସମୟରେ ମୁନି ଋଷି ଓ ସାଧୁମାନେ ନିଜର ଭ୍ରମଣ ବନ୍ଦ କରି ଗୋଟିଏ ସୁରକ୍ଷିତ ସ୍ଥାନ ବାଛି ରୁହନ୍ତି । ଏମିତି ପ୍ରାୟ ଚାରି ମାସ ପର‌୍ୟ୍ୟନ୍ତ ସେମାନେ ଅନ୍ୟ ସ୍ଥାନକୁ ଯାଆନ୍ତି ନାହିଁ । ସେହି ଗୋଟିଏ ସ୍ଥାନରେ ହିଁ ଧ୍ୟାନ କରନ୍ତି । ଏହି ମାସକୁ ଦାମ୍ପତ୍ୟ ଜୀବନର ସର୍ବଶ୍ରେଷ୍ଠ ସମ୍ଭୋଗର ମାସ ବୋଲି ମଧ୍ୟ ଗ୍ରହଣ କରାଯାଏ ।

ରଜ ଶବ୍ଦର ଆକ୍ଷରିକ ଅର୍ଥ ରଜବତୀ ହେବା । ଯାହା ପୃଥିବୀକୁ ମାତା ଭାବରେ ବିବେଚନା କରି ବର୍ଷାର ଆଗମନରେ ସେ ରଜସ୍ୱଳା ହେବାର ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରିଥାଏ । ଏହି ଦିନରେ ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜନ କରିବା ସହ ଚାଷ କାମରୁ ତିନି ଦିନ ପର‌୍ୟ୍ୟନ୍ତ ବିରତି ନେଇଥାନ୍ତି ।

ଆଷାଢ଼ ମାସରେ ପ୍ରଥମ ବର୍ଷାର ଆଗମନରେ ମେଘ ଓ ମାଟିର ମିଳନ ହୁଏ । ଆଉ ମାଟି ମା’ ହୁଏ ରଜସ୍ୱଳା । କୃଷିପ୍ରଧାନ ଦେଶ ଭାବେ ଖ୍ୟାତି ଲାଭ କରିଥିବା ଆମ ଦେଶରେ ମାଟି ମା’ ବହୁ କିସମର ଫସଲ ଫଳାଇ ଆମରି ହାତରେ ଅଜାଡ଼ି ଦେଇଥାଏ । ମା’ ଟିଏ ଯେମିତି ପ୍ରଜନନ ପୂର୍ବରୁ ବିଶ୍ରାମ ଆବଶ୍ୟକ କରିଥାଏ, ସେମିତି ପ୍ରଜନନକ୍ଷମ ହେବାକୁ ଯାଉଥିବା ମାଟି ମା’କୁ ରଜ ତିନିଦିନ ବିଶ୍ରାମ ଦିଆଯାଏ ବୋଲି ବିଶ୍ୱାସ ରହିଛି ।

ତିନିଦିନ ଧରି ଧରିତ୍ରୀ ମାତାକୁ ବିଶ୍ରାମ ଦିଆଯାଏ, ସେଥିପାଇଁ ଭୂ-ଖନନ ମଧ୍ୟ ବାରଣ କରାଯାଇଥାଏ । ମାତୃଜାତି ମଧ୍ୟରେ ଉତ୍ସାହ, ଉନ୍ମାଦନା ଓ ନୂତନ ଶକ୍ତି ଜାଗ୍ରତ କରିବା ପାଇଁ ପାଳନ କରାଯାଇଥାଏ ରଜପର୍ବ । କୁମାରୀମାନଙ୍କ ପାଇଁ ରଜପର୍ବ ହେଉଛି ତାଲିମ ପ୍ରଦାନକାରୀ ପର୍ବ । ଆଷାଢ଼ର ପହିଲି ବର୍ଷାରେ ମାଟି ମା’ର ପ୍ରଜନନ ଶକ୍ତି ଜାଗ୍ରତ ହୋଇଥାଏ, ଏହି କାରଣରୁ ଧରଣୀମାତାକୁ ରଜସ୍ୱଳା ସ୍ତ୍ରୀ ସହିତ ତୁଳନା କରାଯାଏ ।

ଅବିବାହିତା ଝିଅଙ୍କ ପାଇଁ ଗର୍ଭଧାରଣ କ୍ଷମତା ପ୍ରାପ୍ତିର ଏକ ସାଙ୍କେତିକ ପର୍ବ ହେଉଛି ରଜ । କୁମାରୀମାନେ ରଜପର୍ବର ମଉଜ ଭିତରେ ଜଣେ ନାରୀର ଚଳଣି ଓ ଓଡ଼ିଆ ପରାମ୍ପରାକୁ ବିଧିଭାବେ ପାଳିଥାଆନ୍ତି ଏବଂ ଭବିଷ୍ୟତରେ ଯେତେବେଳେ ଝିଅଟିଏ ନାରୀ ଭୂମିକାକୁ ଆସିଥାଏ ସେତେବେଳେ ସେହି ସବୁ ପରାମ୍ପରାକୁ ସମ୍ପୂର୍ଣ୍ଣ ପାଳନ କରିବା ପାଇଁ ସହଯୋଗ ମିଳିଥାଏ । ରଜ ତିନିଦିନ ଧରି ରଜସ୍ୱଳା ନାରୀଭାବେ ଧରିତ୍ରୀ ମାତାକୁ କଷ୍ଟ ନ ଦେଇ ତଥା ଭୂମିକୁ କଷ୍ଟ ନଦେଇ ବିଶ୍ରାମ ଦେଲା ଭଳି କଟା, ବଟା ଆଦି ଘର କାମ ନ କରି କୁମାରୀମାନେ ବିଶ୍ରାମ କରଇଥାନ୍ତି ।

ଧରଣୀ ମାତା ଶସ୍ୟଶ୍ୟାମଳାପୂର୍ଣ୍ଣ ହେବା ପାଇ ପ୍ରାଥମିକ ପ୍ରସ୍ତୁତି ଭାବେ ରଜ ତିନିଦିନ ବିଶ୍ରାମ ମିଳିଥାଏ ତାଙ୍କୁ । ଠିକ ସେହିପରି ଝିଅ ବୋହୂମାନଙ୍କ ଭବିଷ୍ୟତ ସାଂସାରିକ ଜୀବନ ସୁଖମୟ କରିବାକୁ ରଜପର୍ବର କଳ୍ପନା କରାଯାଇଛି ।

Other Stories