ଭୂମିରେ ଶୋଇଥିଲେ ଶହଶହ ମହିଳା, ତାଙ୍କ ଉପରେ ଚାଲି ଚାଲି ଯାଉଥିଲେ ପୂଜକ….

ରାଇପୁର:  ଅନ୍ଧ ବିଶ୍ୱାସ କୁହ କିମ୍ବା ପୁତ୍ର ସନ୍ତାନର ମୋହ, ଆଧୁନିକ ମଣିଷକୁ ଉପହାସ କରୁଛି ଏଇ ଭାଇରାଲ ଭିଡିଓଟି। ଭିଡିଓଟି ଛତିଶଗଡର ପାରମ୍ପରିକ ପର୍ବର । ଏଠାରେ ଦେଖିବାକୁ ମିଳିଛି ପ୍ରାୟ ୨୦୦ରୁ ଅଧିକ ମହିଳା ତଳେ ଶୋଇଛନ୍ତି। ପୂଜକଙ୍କ ପରି ଦିଶୁଥିବା କିଛି ଲୋକ ସେମାନଙ୍କ ଉପରେ ଚଢି ଚଢି ଆସୁଛନ୍ତି।  ଏପରି କରିବା ଦ୍ୱାରା ଗ୍ରାମଦେବୀଙ୍କ ଆଶୀର୍ବାଦ ମିଳିଥାଏ ଏବଂ ସନ୍ତାନହୀନ ମହିଳାଙ୍କର ସନ୍ତାନପ୍ରାପ୍ତି ହୋଇଥାଏ। ବିଶେଷକରି ପୁତ୍ର ସନ୍ତାନ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି।

ଛତିଶଗଡରେ ହେଉଥିବା ଏହି ପର୍ବକୁ କୁହାଯାଏ ମଡଇ ମେଳା। ଦିପାବଳୀ ପରେ ପଡୁଥିବା ପ୍ରଥମ ଶୁକ୍ରବାର ଏହି ପର୍ବ ପାଳନ କରାଯାଏ। ଏହି ପର୍ବରେ ହଜାର ହଜାର ଭକ୍ତ ସାମିଲ ହୋଇଥାନ୍ତି। ବିଶେଷ କରି ଆଦିବାସୀ ମହିଳାମାନେ ଦେବୀ ଅଙ୍ଗାରମୋତିଙ୍କୁ  ପୂଜାର୍ଚ୍ଚନା କରିଥାନ୍ତି।

ଜିଲ୍ଲା ମୁଖ୍ୟାଳୟଠାରୁ ୧୪ କିମି ଦୂର ଗଙ୍ଗରେଲ ଡ୍ୟାମ ନିକଟରେ ରହିଛି ଅଙ୍ଗାରମୋତିଙ୍କ ମନ୍ଦିର। ଏହି ଠାରେ ପ୍ରତିବର୍ଷ ହୁଏ ମଡଇ ମେଳା। ଆଖପାଖ ବିଭିନ୍ନ ଗାଁରୁ ଲୋକେ ଆସି ଏଠାରେ ମା’ଙ୍କୁ ପୂଜାର୍ଚ୍ଚନା କରିଥାନ୍ତି।

 

ଏଥର ୨୦୦ରୁ ଅଧିକ ମହିଳା ଲେମ୍ବୁ, ନଡ଼ିଆ ଏବଂ ଅନ୍ୟାନ୍ୟ ପୂଜା ସାମଗ୍ରୀ ଧରି ଆସିଥିଲେ। ପରମ୍ପରା ଅନୁଯାୟୀ, ସମସ୍ତ ମହିଳା କେଶ ମୁକୁଳିତ କରି ଭୂମି ଉପରେ ଶୋଇଥିଲେ। ୧୦ରୁ ଅଧିକ ପୂଜକ ଡାଙ୍ଗ ଧରି ମନ୍ତ୍ରପାଠ କରି ମହିଳାଙ୍କ ଉପରେ ଚାଲି ଚାଲି ମାଙ୍କ ମନ୍ଦିର ପାଖକୁ ଯାଇଥିଲେ। ସବୁଠାରୁ ଆଶ୍ଚର୍ଯ୍ୟର କଥା, ସେସମାନେ କୋଭିଡ ନିୟମ ମାନି ନ ଥିଲେ। କାହାରି ମୁହଁରେ ମାସ୍କ ନ ଥିଲା।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଏହି ପରମ୍ପରା ୫୦୦ ବର୍ଷରୁ ଅଧିକ ଦିନ ଧରି ଏଠାରେ ଚାଲି ଆସୁଛି । ଏହି ପରାମ୍ପରାକୁ  ଏଠିକାର ଲୋକେ ବହୁତ ବିଶ୍ୱାସ କରନ୍ତି। ଏପରିକି ମେଳାରେ ଭାଗ ନେବା ପରେ ମହିଳାଙ୍କର ପୁତ୍ର ସନ୍ତାନ ପ୍ରାପ୍ତ  ହୋଇଥିବା ଦାବି କରନ୍ତି।

ତେବେ ଏହି ଭିଡିଓ ଭାଇରାଲ ହେବା ପରେ ଅନେକ କମେଣ୍ଟ ଆସିଛି। ଏହା ଏକ ଅନ୍ଧବିଶ୍ୱାସ ବୋଲି ଅନେକ ୟୁଜର୍ସ ଏହାର ସମାଲୋଚନା କରିଛନ୍ତି।

You might also like