୧୬୦୦ କିମି ଚାଲିଚାଲି ଘରକୁ ଗଲେ, ହେଲେ ମା’ ଖୋଲିଲେନି କବାଟ

ବାରଣାସୀ: ମହାମାରୀ କରୋନା ପାଇଁ ସାରା ଦେଶ ଏବେ ଲକ୍‌ଡାଉନ୍‌। ସମସ୍ତେ ନିଜ ନିଜ ଘରେ ରହୁଛନ୍ତି। ନିହାତି ଆବଶ୍ୟକ ହେଲେ ଘରୁ ବାହାରକୁ ଆସଛୁନ୍ତି। ସବୁକିଛି ଠପ୍‌ ହୋଇଯାଇଛି। ଜନଜୀବନ ଅସ୍ତବ୍ୟସ୍ତ ହୋଇଗଲାଣି । ସହରକୁ ଟଙ୍କା ରୋଜଗାର କରିବାକୁ ଆସିଥିବା ଲୋକଙ୍କ ସାମ୍ନାରେ ଜୀବିକା ସଙ୍କଟ ଆହୁରି ଗମ୍ଭୀର ହୋଇ ଯାଇଛି।

କମ୍ପାନୀ ବନ୍ଦ, ଦରମା ନାହିଁ। ତେଣୁ ଘରଭଡା, ଖାଇବା ଯୋଗାଡ କରିବା କାଠିକର ପାଠ ହୋଇପଡ଼ୁଛି। ଏପଟେ ଲକ୍‌ ଡାଉନ୍‌ ଯୋଗୁ ଘରକୁ ଯାଇ ପାରୁ ନାହାନ୍ତି ଲୋକେ। କାରଣ ଯାନବାହନ ବନ୍ଦ। ଏପରି ପରିସ୍ଥିତିରେ କିଛି ଲୋକ ଯେନତେନ ବ୍ୟବସ୍ଥା କରି ନିଜ ଘରକୁ ଫେରୁଛନ୍ତି ସତ, ହେଲେ ସେଠାରେ ମଧ୍ୟ ସମସ୍ୟା କିଛି କମ୍‌ ନୁହେଁ। କେଉଁଠି ଗାଁ ଲୋକ ଗାଁ ଭିତରକୁ ଛାଡ଼ି ଦେଉନାହାନ୍ତି ତ କେଉଁଠି ପରିବାର ଲୋକେ ଘର ଭିତରକୁ ପୂରାଉ ନାହାନ୍ତି।  ରବିବାର ବାରଣାସୀରେ ଏଭଳି ଏକ ଦୁଃଖଦମୟ ଘଟଣା ଦେଖିବାକୁ ମିଳିଛି।

ଜଣେ ଯୁବକ ତାଙ୍କର ପାଞ୍ଚଜଣ ସାଙ୍ଗଙ୍କ ସହ ମୁମ୍ବାଇରୁ ୧୬୦୦ କିଲୋମିଟର ଚାଲିଚାଲି ନିଜ ଘରେ ପହଞ୍ଚିଥିଲେ। କିନ୍ତୁ  ପରିବାର ଲୋକ କରୋନା ଭୟରେ ତାଙ୍କୁ ଘରେ ପଶିବାକୁ ଦେଇନଥିଲେ। ବର୍ତ୍ତମାନ ଯୁବକ ଜଣକ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ରାସ୍ତାରେ ବୁଲୁଛନ୍ତି।

ପୋଲିସ ସୂଚନା ପାଇ ସେଠାରେ ପହଞ୍ଚି ଯୁବକଙ୍କୁ ତାଙ୍କ ଘରେ ଛାଡିଥିଲା। କିନ୍ତୁ ଯୁବକ ଜଣଙ୍କ ଘରର ଅନ୍ୟ ଏକ ରୁମ୍‌ରେ ଏକୁଟିଆ ରହୁଛନ୍ତି।

ବାରଣାସୀ ପୂର୍ବାଞ୍ଚଳର ସବୁଠୁ ବଡ କିରାଣା ମଣ୍ଡି ଗୋଲା ଦିନାନାଥ ଅଞ୍ଚଳରେ ରହୁଥିବା ଅଶୋକ (୨୫) ଚାରିମାସ ପୂର୍ବରୁ କାମ କରିବାକୁ ମୁମ୍ବାଇ ଯାଇଥିଲେ। ସେ ମୁମ୍ବାଇର ନାଗପାଡାସ୍ଥିତ ଏକ ହୋଟେଲରେ କାମ କରୁଥିଲେ। ଲକ୍‌ଡାଉନ୍‌ କାରଣରୁ ହୋଟେଲଟି ବନ୍ଦ ହୋଇଯାଇଥିଲା। କିଛି ଦିନ ଧରି, କିଛି ଖାଇବାକୁ ମିଳିଲା ନାହିଁ।  ପାଖରେ ଥିବା ଟଙ୍କା ମଧ୍ୟ ସରିଗଲା । ସେଥିପାଇଁ ଅଶୋକ ଘରକୁ ଫେରିଆସିବା ପାଇଁ ସ୍ଥିର କଲେ। ଲକ୍‌ଡାଉନ୍‌ କାରଣରୁ ଯାନବାହାନ ଚଳାଚଳ ବନ୍ଦ ରହିଥିଲା। କିନ୍ତୁ ଅଶୋକ ଚାଲିଚାଲି ଘରୁକୁ ଯିବା ପାଇଁ ସ୍ଥିର କଲେ। ଅଶୋକଙ୍କ ପାଖରେ ଆଉ ପାଞ୍ଚଜଣ ସାଙ୍ଗ କାମ କରୁଥିଲେ। ସମସ୍ତେ ଏକାଠି ହୋଇ ଭୋକ ଉପାସରେ ୬ଦିନ ଯାତ୍ରା ପରେ ରବିବାର ସକାଳ ବାରଣାସୀରେ ପହଞ୍ଚିଥିଲେ।

ଅଶୋକ କହିଛନ୍ତି, ରାମନଗର ଏବଂ ମୁଗଲସରାଇରେ ରହୁଥିବା ସାଙ୍ଗମାନେ ସେମାନଙ୍କ ଘରକୁ ଯାଇଥିଲେ। ପରେ ଅଶୋକ ଫୋନ୍ କରି ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। କିଛି ସମୟ ପରେ, ମା-ଭାଇ କରୋନା ଭୟରେ କବାଟ ଖୋଲିବାକୁ ମନା କରିଦେଇଥିଲେ। କ୍ଲାନ୍ତ ହୋଇପଡିଥିବା ଅଶୋକ ଦୀର୍ଘ ସମୟ ପର୍ଯ୍ୟନ୍ତ ଘରର ବାହାରେ ବସି ରହିଲେ।

ସ୍ଥାନୀୟ ଲୋକଙ୍କ ପରାମର୍ଶରେ ନିକଟସ୍ଥ ଡାକ୍ତରଖାନାକୁ ଯାଇଥିଲେ ଅଶୋକ । କିନ୍ତୁ ସେଠାରେ ତାଙ୍କର ଚିକିତ୍ସା କରାଯାଇନଥିଲା। ପରେ ସେହି ଅଞ୍ଚଳର ଜଣେ ବ୍ୟକ୍ତି ରିସ୍କ ନେଇ ତାଙ୍କ କାରରେ ଅଶୋକକୁ କରୋନା ଲେଭଲ୍‌-ଟୁ ଦିନଦୟାଲ ହସ୍ପିଟାଲକୁ ନେଇଥିଲେ।

ପ୍ରାଥମିକ ପରୀକ୍ଷା ପରେ ଡାକ୍ତର ଅଶୋକଙ୍କୁ ୧୫ ଦିନ ଘରେ ରହିବାକୁ ପରାମର୍ଶ ଦେଇଥିଲେ। ଚିକିତ୍ସା ପରେ ବି ତାଙ୍କୁ ଘର ଭିତରକୁ ଯିବାକୁ ଦିଆଯାଇନଥିଲା। ଫଳରେ ଅଶୋକ ସ୍ଥାନୀୟ ଅଞ୍ଚଳରେ ବୁଲାବୁଲି କରିଥିଲେ। ରହିବା ପାଇଁ ତାଙ୍କର ଯେତେବେଳେ ଆଇଘର କଥା ମନେପଡିଲା ସେ କତୁଆପୁରା ଅଭିମୁଖେ ଯିବାକୁ ବାହାରିଲେ। କିନ୍ତୁ ଆଇ ମଧ୍ୟ କରୋନା ଭୟରେ କବାଟ ଖୋଲି ନଥିଲେ।

ଅଶୋକ ବୁଝିପାରୁନଥିଲେ ସେ କ’ଣ କରିବେ? କୌଣସି ସୁତ୍ରରୁ ଖବର ପାଇ ପୋଲିସ ଅଶୋକଙ୍କ ନିକଟରେ ପହଞ୍ଚିଥିଲା। ପରେ ପୋଲିସ ଅଶୋକଙ୍କୁ ତାଙ୍କ ଘରେ ଛାଡିଥିଲା। ଅଶୋକଙ୍କୁ ଘରର ଏକ କୋଠରୀରେ ଏକୁଟିଆ ରଖାଯାଇଥିଲା। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କୁ ମାସ୍କ ଏବଂ ଅନ୍ୟାନ୍ୟ ଜରୁରୀ ଜିନିଷ ଦିଆଯାଇଛି।

 

You might also like