ଚାର୍ଲଟ୍‌ରୁ ‘ଚାରୁଲତା’..ଏକ ଭକ୍ତିପୂତ ପ୍ରେମକାହାଣୀ

ପରିପୂର୍ଣ୍ଣ ବଡ଼ଦାଣ୍ଡରେ ପତିତପାବନ ଗୁମୁଟକୁ ଚାହିଁ ରହିଥାନ୍ତି ସେ। ଅପୂର୍ବ ଆବେଗ ଓ ପୂର୍ଣ୍ଣ ସମର୍ପଣରେ ୪ଚକ୍ଷୁର ମିଳନ ହୋଇଥାଏ ସେଇଠି। ଦେଶୀ ପୁରୁଷର ପ୍ରେମରେ ହୁଏତେ କ୍ଷଣକେ ବନ୍ଧା ପଡି ଯାଇଥାନ୍ତି ଶ୍ୱେତାଙ୍ଗୀ ସୁନ୍ଦରୀ ଚାର୍ଲଟ।

୭ ଦରିଆ ସେପାରି ତାଙ୍କ ଭିଟାମାଟି । ଆଉ ଏଠି ମାଇଲ୍ ମାଇଲ୍ ଦୂରରେ କାଳିଆ । ପୁରୁଷୋତ୍ତମର ପ୍ରେମରେ ଉବୁଟୁବୁ ହେଉଥାନ୍ତି ସେ। ଅନ୍ୟମନସ୍କ ହୋଇ ଉଠୁଥାନ୍ତିୁ ଚାର୍ଲଟ୍। ଅଜାଣତରେ ଅଶ୍ରୁପାତ ହେଉଥାଏ ତାଙ୍କର।

ଅଦୂରରେ ପାର୍କିଂ ହୋଇ ରହିଥାଏ ହୋଟେଲର ଟାକ୍ସି। ଯେଉଁଥିରେ ସେ ଆସିଥିଲେ ବଡଦାଣ୍ଡକୁ। ତାଙ୍କ ସହ ଥିବା ସହଯାତ୍ରୀମାନେ ଶ୍ରୀମନ୍ଦିରର ଫଟୋ ଉତ୍ତୋଳନ କରୁଥିବା ବେଳେ ଚାଲର୍ଟ କିନ୍ତୁ ଏକ ଲୟରେ ଚାହିଁ ରହିଥାନ୍ତି ପତିତପାବନ ଗୁମୁଟକୁ।

ହଠାତ୍ ପ୍ରକୃତିସ୍ଥ ହୋଇପଡିଲେ ସେ। କେହି ଜଣେ ଧକ୍କା ମାରି ଚାଲିଗଲା ପରି ବୋଧ ହେଲା ତାଙ୍କୁ। ସେ ଫେରିଆସିଲେ ଗାଡି ପାଖକୁ । ଗାଡି ପାଖରେ ଛିଡା ହୋଇଥାନ୍ତି ଜଣେ ଯାତ୍ରୀ ପଣ୍ଡା। ମାର୍ଜିତ ବ୍ୟବହାର ଓ ଉତ୍ତମ ଇଂରାଜୀ କହୁଥିବା ଏହି କୃଷ୍ଣାଙ୍ଗ ବ୍ରାହ୍ମଣ ଜଣକ ଥିଲେ ଚାର୍ଲଟଙ୍କ ଗାଇଡ୍। ଶ୍ରୀମନ୍ଦିର ଚାରିପଟେ ବୁଲାଇବା ସହ ମନ୍ଦିର ଓ ଅନ୍ୟ ଦେବଦେବୀଙ୍କ ସମ୍ପର୍କରେ ଏହି ବିଦେଶୀ ଯାତ୍ରୀଙ୍କ ଜିଜ୍ଞାଶା ପୂର୍ଣ୍ଣ କରିବେ ବୋଲି କହିଲେ।

ଚାର୍ଲଟ ଭାବଗଦଗଦ୍ ହୋଇ ଉଠୁଥାନ୍ତି। ଯାତ୍ରୀ ପଣ୍ଡା ଜଣକ ବଡ଼ ସୁନ୍ଦର ଭାବେ ମହାପ୍ରଭୁଙ୍କ ମହିମାର ଗୁଣଗାନ କରୁଥାନ୍ତି। ଶ୍ରୀମନ୍ଦିର, ମହୋଦଧି, ବିଭିନ୍ନ ମଠବାଡି ବୁଲି ସଞ୍ଜ ଲେଉଟାଣୀ ବେଳକୁ ଚାର୍ଲଟଙ୍କ ଗାଡି ଲାଗିଲା ସମୁଦ୍ର କୂଳର ସେଇ ହୋଟେଲରେ, ଯେଉଁଠି ସକାଳେ ଚେକ୍ ଇନ୍ କରିଥିଲେ ସେ।

ତାଙ୍କ ସହ ଥିବା ବନ୍ଧୁ ପିଟର ଓ ରସ୍କି ଅନ୍ୟ ଏକ ହୋଟେଲରେ ରହୁଥାନ୍ତି । ଏତିକି ବେଳେ ଚାର୍ଲଟ୍ ନିଜ ବ୍ୟାଗରୁ ଟଙ୍କା କାଢିବା ପାଇଁ ଉଦ୍ୟତ ହେଉଥିବା ବେଳେ ହଠାତ୍ ଚମକି ପଡିଲେ। ବ୍ୟାଗ୍ କାନ୍ଧରେ ନ ଥିଲା। ଏପରିକି ଗାଡି ଭିତରେ ମଧ୍ୟ ତାଙ୍କ ବ୍ୟାଙ୍କ ନ ଥିବାରୁ ସେ ବିଚଳିତ ହୋଇଗଲେ। ସମସ୍ତ ଆବଶ୍ୟକୀୟ କାଗଜାତ୍, ଟଙ୍କା ପଇସା ଥିବା ବ୍ୟାଗଟି ଚୋରି ହୋଇଯାଇଛି।

ବିଚଳିତ ହୋଇପଡୁଥାନ୍ତି ସେ। ଯାତ୍ରୀ ପଣ୍ଡା ମହୋଦୟ ଚାଲର୍ଟଙ୍କ ସମସ୍ୟା ବୁଝିପାରୁଥାନ୍ତି। ଜଜମାନାର ଅଡୁଆ ସ୍ଥିତି ଦେଖି ମହାପ୍ରଭୁଙ୍କ ଆଶ୍ରା କରିବାକୁ କହିବା ଛଡା ତାଙ୍କ ପାଖରେ କିଛି ଚାରା ନ ଥିଲା। ହେଲେ ମହାପ୍ରଭୁ ସବୁ ଠିକ୍ କରିଦେବେ ବୋଲି କହି ସେ ସ୍ଥାନ ଛାଡିଲେ ଯାତ୍ରୀ ପଣ୍ଡା ମହୋଦୟ।

ଚାର୍ଲଟଙ୍କୁ କିନ୍ତୁ ନିଦ ନାହିଁ। କାହାକୁ ଯୋଗାଯୋଗା କରିବାର ବି ଚାରା ତାଙ୍କ ପାଖରେ ନ ଥିଲା। ବଡ଼ ବିଚଳିତ ହୋଇ କାନ୍ଦିବାକୁ ଲାଗିଲେ ସେ। ଏତିକି ବେଳେ ହୋଟେଲର ଫୋନ ରିଂ ହେଲା। କେହି ଜଣେ ରିସେପସନରେ ତାଙ୍କୁ ଅପେକ୍ଷା କରିଛନ୍ତି ବୋଲି କହିଲେ ହୋଟେଲ କର୍ତ୍ତୃପକ୍ଷ। ଅଚିହ୍ନା ଅପରିଚିତ ସହରରରେ କେହି ତାଙ୍କୁ ଖୋଜିବେ ଏ କଥା ସେ ଭାବିପାରୁ ନ ଥାନ୍ତି। ତଥାପି ଆଗେଇ ଚାଲିଲେ ଚାର୍ଲଟ।

ମୋତେ କେହି ଜଣେ ଅପେକ୍ଷା କରିଥିଲେ କି ?
ଇଂରାଜୀରେ ପଚାରିଲେ ଚାର୍ଲଟ।
ରିସେପସନରେ ବସିଥିବା ଯୁବକ ଜଣକ କହିଲେ, ‘‘ହଁ, ଜଣେ କେହି ଆସିଥିଲେ । ଆପଣଙ୍କ ପାଇଁ ମହାପ୍ରସାଦ ପୁଡିଆ ଆଉ ଏକ ପାର୍ସଲ ଛାଡି ଯାଇଛନ୍ତି।’’
ଆଶ୍ଚର୍ଯ୍ୟ ହୋଇଗଲେ ଚାର୍ଲଟ। ଏଠି ତାଙ୍କୁ କିଏ ଚିହ୍ନିଛି ଯେ, ମହାପ୍ରସାଦ ପଠାଇଲା ଆଉ ପୁଣି ପାର୍ସଲ ?
କ’ଣ ଅଛି ସେଥିରେ ?
ଆଶ୍ଚର୍ଯ୍ୟ ହୋଇ ପଡୁଥାନ୍ତି ଚାର୍ଲଟ। ଭୟ ଆଉ ଆଶଙ୍କାରେ ପାର୍ସଲଟି ଖୋଲିଦେଲେ । ଯାହା ଦେଖିଲେ ତାଙ୍କ ଆଶ୍ଚର୍ଯ୍ୟର ସୀମା ରହିଲାନି। ସେହି ପାର୍ସଲରେ ଥିଲା ତାଙ୍କ ବ୍ୟାଗ୍। ତନ୍ନତନ୍ନ କରି ଦେଖିଲା ବେଳକୁ ଗୋଟିଗୋଟି କରି ସବୁ ଜିନିଷ ରହିଥିଲା ପୂର୍ବବତ୍ । ଟଙ୍କା ବି !

ଆଶ୍ଚର୍ଯ୍ୟ ସୀମା ପାର ହେଉଥାନ୍ତି ଚାର୍ଲଟ୍।

ଦିଗନ୍ତ ବିସ୍ତାରୀ ମହୋଦଧି ତାଙ୍କୁ ଲାଗୁଥାଏ କୃଷ୍ଣମୟ। ଫେନୀଳ ଢେଉମାନଙ୍କରେ ଶ୍ୱେତପଦ୍ମ ଡୋଳାକୁ ନିଜ ହୋଟେଲ ରୁମରୁ ନିରେଖି ଦେଖୁଥାନ୍ତି ଚାର୍ଲଟ୍। ରାତି ପାହି ସକାଳ ହେଲା । ସେ ଖାଲି ପାଦରେ ଧାଇଁଲେ ବଡଦାଣ୍ଡକୁ। ଲମ୍ବ ହୋଇ ପଡିଗଲେ ଅରୁଣ ସ୍ତମ୍ଭ ଚକଡାରେ। ଭିତରକୁ ଯିବାକୁ ଯୋଗ୍ୟତା ନ ଥିଲା । ହେଲେ ଭକ୍ତଟିଏ ହେବାର ପରମିଟ୍ ମିଳିଯାଇଥିଲା ତାଙ୍କୁ । କୋହ ଭରା କଣ୍ଠରେ ଚାର୍ଲଟ କହୁଥାନ୍ତି, I Love U Jagannath, I Engrave your name in my soul, Oh Lord you are Just a Miracle.

ବାସ୍ ତା’ ପରଠୁ ଚାର୍ଲଟ୍ ପାଲଟିଗଲେ ‘ଚାରୁଲତା’ । ଆଉ ସେବେଠୁ ପୁଣି ଗୋଟେ କାହାଣୀର ଆରମ୍ଭ ହୁଏ….

ମିହିର ପଟ୍ଟନାୟକ

 

ଆହୁରି ପଢ଼ନ୍ତୁ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

You might also like