ସତରେ କ’ଣ ଏହା ନର୍କର ପ୍ରବେଶ ପଥ ?

ନୂଆଦିଲ୍ଲୀ: ଆମେ ଯେଉଁଠି ରହୁ ସେହି ସ୍ଥାନକୁ ହିଁ ଆମେ ଆମର ଦୁନିଆ ଓ ସଂସାର ବୋଲି ଭାବି ନେଉ। ହେଲେ  ଦୁନିଆ ଖାଲି ସେତିକିରେ ସୀମିତ ନୁହେଁ । ହେଲେ ଆମେ ଏଠି ଆପଣଙ୍କୁ ଦୁନିଆ ନୁହେଁ, ନର୍କର ପ୍ରବେଶ ପଥ ବିଷୟରେ କହିବାକୁ ଯାଉଛୁ।

ହଁ, ଲୋକେ ଏହାକୁ ନର୍କର ପ୍ରବେଶ ପଥ ବୋଲି ଭାବି ନେଇଛନ୍ତି।  ନର୍କର ଏହି ପ୍ରବେଶ ପଥରେ ଏକ ବହୁତ ବଡ଼ ଗାତ ଅଛି, ଯେଉଁଠି ଦୀର୍ଘ ୪୭ ବର୍ଷ ଧରି ନିଆଁ ଜଳୁଛି। ଏହି ନିଆଁକୁ ଆଜି ପର୍ଯ୍ୟନ୍ତ କେହି ବି ଲିଭାଇବାରେ ସକ୍ଷମ ହୋଇପାରି ନାହାନ୍ତି।

ଆସନ୍ତୁ ଜାଣିବା ନର୍କର ଏହି ପ୍ରବେଶ ପଥ ସମ୍ପର୍କରେ…

ଏହି ବିରାଟକାୟ ଗାତ ତୁର୍କମେନିସ୍ତାନ(Turkmenistan)ର କରାକୁମ୍‌ ମରୁଭୂମିର ଦର୍‌ଭାଜା ଗାଁରେ ରହିଛି। ଏହି ଗାତ ଏକ ଗ୍ୟାସ୍‌ର ଜ୍ୱାଲାମୁଖୀ। ଗାତ ଭିତରେ ଥିବା ମିଥେନ୍‌ ଗ୍ୟାସ୍‌ ଯୋଗୁ ଏହା ଜଳୁଛି। ଶୁଣିବାକୁ ମିଳୁଛି କି, ଏହା ୧୯୭୧ ମସିହାଠୁ ଲଗାତାର ଭାବେ ଜଳୁଛି। ୩୦ ମିଟର ଗଭୀର ଏହି ଗାତର ପ୍ରସାର ହେଉଛି ୯ ମିଟର। ସବୁଠାରୁ ବଡ଼ କଥା, ଏହି ଗାତ କେମିତି ସୃଷ୍ଟି ହେଲା, ଏହା ପଛରେ ମଧ୍ୟ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ରହିଛି।

ମିଳିଥିବା ସୂଚନା ଅନୁସାରେ, ୧୯୭୧ ମସିହାରେ ସୋଭିଏତ୍‌ ବୈଜ୍ଞାନିକମାନେ ଏଠାରେ ଏକ ସର୍ଭେ କରିଥିଲେ। ସର୍ଭେ ପରେ ଜଣାପଡ଼ିଥିଲା, ଦର୍‌ଭାଜାରେ ଏହି ଭୂମି ତଳେ ପ୍ରଚୁର ପରିମାଣର ପ୍ରାକୃତିକ ଗ୍ୟାସ ରହିଛି। ଫଳରେ ଏହା ସମ୍ପର୍କରେ ଅଧିକ ତଥ୍ୟ ପାଇଁ ସେମାନେ ଏହି ସ୍ଥାନକୁ ଖୋଳିଥିଲେ। ଧୀରେ ଧୀରେ ବିରାଟ ଗାତ ସୃଷ୍ଟି ହୋଇଯାଇଥିଲା ଓ ଏଥିରୁ ମିଥେନ୍‌ ଗ୍ୟାସ୍‌ ବାହାରିଥିଲା।

ଗୋଟିଏ ଦିନ ଏଠାରେ ଦୁର୍ଘଟଣା ଘଟିଥିଲା। ଏଥିରେ ପୂରା କ୍ୟାମ୍ପ ଧସି ହୋଇ ଏକ ବଡ଼ ଗାତରେ ପଶି ଯାଇଥିଲା। ଅବଶ୍ୟ ଏହି ଦୁର୍ଘଟଣାରେ କେହିବି ହେଲେ ମୃତାହତ ହୋଇନଥିଲେ। ହେଲେ ଯେଉଁ ଗ୍ୟାସ୍‌ ଆଜି ପର୍ଯ୍ୟନ୍ତ ଭୂମି ତଳେ ଥିଲା ତାହା  ବାହାରକୁ ଚାଲି ଆସିଥିଲା।

ଏହା ଖାଲି ପରିବେଶ ନୁହେଁ ବରଂ ଏହା ମନୁଷ୍ୟ ପାଇଁ ମଧ୍ୟ କ୍ଷତିକାରକ ଥିଲା। ତେଣୁ ଏହି ଗ୍ୟାସ୍‌କୁ ବନ୍ଦ କରିବା ପାଇଁ ବୈଜ୍ଞାନିକମାନେ ଏଥିରେ ନିଆଁ ଲଗାଇବା ପାଇଁ ନିଷ୍ପତ୍ତି ନେଇଥିଲେ। ହେଲେ ବୈଜ୍ଞାନିକମାନେ ଏହି ଗ୍ୟାସ୍‌କୁ ବନ୍ଦ କରିବା ପାଇଁ ଭଲ ଭାବରେ ନ ଭାବି ଯେଉଁ ନିଷ୍ପତ୍ତି ନେଇଥିଲେ ତାହାର କରୁଣ ପରିଣତି ଏବେ ଦେଖିବାକୁ ମିଳିଛି। କାରଣ ସେବେଠୁ ଏହି ନିଆଁ ଆଜି ପର୍ଯ୍ୟନ୍ତ ଜଳୁଛି। ତେବେ ଏହି ଗାତରୁ ନିଆଁ ବାହାରୁଥିବା ଦୃଶ୍ୟ ଦେଖିବା ପାଇଁ ଲୋକଙ୍କ ଭିଡ଼ ବେଶ୍ ଜମୁଛି।

ଆହୁରି ପଢ଼ନ୍ତୁ

You might also like