ଖାଇଛନ୍ତି ବାଉଁଶ ଚାଉଳର ଭାତ ? ରହିଛି ଏସବୁ ଔଷଧୀୟ ଗୁଣ

ନୂଆଦିଲ୍ଲୀ: ଆପଣ ଭାତ ଖାଉଛନ୍ତି, ତାହା ଚାଉଳରୁ ତିଆରି ହେଉଛି । ଧାନ ଗଛର ଧାନରୁ ସଂଗ୍ରହ କରାଯାଉଛି ଚାଉଳ । କିନ୍ତୁ ଜାଣିରଖନ୍ତୁ, କେବଳ ଧାନ ନୁହେଁ, ବାଉଁଶରୁ ବି ଚାଉଳ ପ୍ରସ୍ତୁତି ହୁଏ । ଓଡିଶାର ଚନ୍ଦକା, ଡମପଡା, ରାୟଗଡା ଓ କଳାହାଣ୍ଡି ଓ କୋରାପୁଟ ଆଦି ଅଞ୍ଚଳର ଲୋକମାନେ ଏହି ବାଉଁଶ ଚାଉଳର ଭାତ ଖାଇଥାଆନ୍ତି ।

ତେବେ ଏହି ଚାଉଳ ସବୁ ବର୍ଷ ମିଳେନାହିଁ । ପ୍ରତି୧୦/୧୨ ବର୍ଷରେ ଥରେ ମଝିରେ ମଝିରେ ଏହି ବାଉଁଶ ଚାଉଳ ମିଳେ । ଯେଉଁ ବାଉଁଶ ଗଛରେ ଧାନ ହୁଏ,ସେ ଗଛ ଶୁଖି ମରିଯାଏ । ଏହା ହେଉଛି ଆମ ରାଜ୍ୟର କଥା ।

କିନ୍ତୁ ତ୍ରିପୁରା ସରକାର ଏ ବାବଦରେ ପାଦେ ଆଗକୁ ଯାଇଛନ୍ତି । ବାଉଁଶ ଚାଉଳର ମାର୍କେଟିଂ ଆରମ୍ଭ କରିଛି ତ୍ରିପୁରା । ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ କହିଛନ୍ତି ଯେ, ଆମେ କିଛି ଦିନ ତଳେ ବାଉଁଶ କୁକିଜ୍ , ବାଉଁଶ ବୋତଲ ବଜାରକୁ ଛାଡିଥିଲୁ । ଚାହିଦା ଭଲ ଅଛି । ଏବେ ବିଧିବଦ୍ଧ ଭାବେ ବାଉଁଶ ଚାଉଳ ଲୋକଙ୍କ ପାଇଁ ଉପଲବ୍ଧ କରାଉଛୁ ।

ଏହି ବାଉଁଶ ଚାଉଳରେ ସାଧାରଣ ଚାଉଳ ଓ ଗହମଠାରୁ ପ୍ରୋଟିନ ପରିମାଣ ଅଧିକ । ଖାଇବାକୁ ସ୍ୱାଦିଷ୍ଟ ମଧ୍ୟ । ଏହି ଚାଉଳର ଭାତ ଖାଇଲେ ଗଣ୍ଠି ଯନ୍ତ୍ରଣା, ପିଠି ଯନ୍ତ୍ରଣା ଓ ଅନ୍ୟ ପ୍ରକାରର ଯନ୍ତ୍ରଣାରୁ ଉପଶମ ମିଳିଥାଏ ବୋଲି ତ୍ରିପୁରା ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ବ୍ୟତୀତ ଏହାର ଆଣ୍ଟି-ଡାଇବେଟିସ ଗୁଣ ରହିଛି ଓ ଏହା କୋଲେଷ୍ଟେରଲ୍ ବଢାଇନଥାଏ ବୋଲି ସେ  କହିଛନ୍ତି ।

କରୋନା ମହାମାରୀ ସମୟରେ ରୋଜଗାର ବଢାଇବାକୁ ହେଲେ ବାଉଁଶ ଚାଉଳର ପ୍ରସ୍ତୁତି ଓ ମାର୍କେଟିଂ ପାଇଁ କୃଷି ଶିଳ୍ପୋଦ୍ୟୋଗୀମାନେ ଆଗେଇ ଆସିବାକୁ ସେ ଆହ୍ୱାନ ଦେଇଛନ୍ତି । ବାଉଁଶକୁ ନେଇ ଏଭଳି ଏକ ବ୍ୟବସାୟ କ୍ଷେତ୍ର ପ୍ରସ୍ତୁତ କରିବାରେ ତ୍ରିପୁରା ସାରା ଦେଶରେ ପ୍ରଥମ । ଆର୍ଥିକ ଦୃଷ୍ଟିରୁ ଏହା ଲାଭଦାୟକ ବୋଲି ସେ କହିଛନ୍ତି । ଏହା ମଧ୍ୟ କ୍ଷୁଦ୍ର ଚାଷୀଙ୍କୁ ଆତ୍ମନିର୍ଭର କରିପାରିବ ବୋଲି ସେ ମତ ଦେଇଛନ୍ତି ।

ତ୍ରିପୁରାରେ ବିସ୍ତୀର୍ଣ୍ଣ ବାଉଁଶ ଜଙ୍ଗଲ ରହିଛି । ପ୍ରାୟତଃ ଆଦିବାସୀମାନେ ଏହାକୁ ବ୍ୟବହାର କରିଚଳନ୍ତି । କିନ୍ତୁ ତ୍ରିପୁରା ସରକାର ୨୦୧୯ ମସିହାରେ ବାଉଁଶ ଜଙ୍ଗଲ ବଢାଇବା ଲକ୍ଷ୍ୟରେ ବାଉଁଶ ଚାଷ ଉପରେ ଜୋର୍ ଦେଇଥିଲେ । ଯାହା ଫଳରେ ସେଠାରେ ବାଉଁଶ ଜଙ୍ଗଲ ବଢିଛି । ଏବେ ପ୍ରାୟ 21 ପ୍ରଜାତିର ବାଉଁଶ ତ୍ରିପୁରା ଜଙ୍ଗଲରେ ଦେଖିବାକୁ ମିଳୁଛି ।

ତ୍ରିପୁରା ଆରମ୍ଭ କରିଛି ଏହି ବାଉଁଶ ଚାଉଳର ମାର୍କେଟିଂ । ଏହି ଚାଉଳକୁ କେବଳ ଭାରତ ଭିତରେ ନୁହେଁ ବିଦେଶକୁ ମଧ୍ୟ ପଠାଇବାକୁ ତିଆରି ହେଉଛି ଯୋଜନା । ରାଜ୍ୟର ଅର୍ଥନୀତି ବଢାଇବାକୁ ବାଉଁଶ ଉପରେ ଆଖି ପକାଇଛି ତ୍ରିପୁରା ।

You might also like