• translate
Satyendu Shekher Mishra

ପୁରୀ: ଏହା ସତ୍ୟ ଯେ, ମହାପ୍ରଭୁ ଜଗନ୍ନାଥ ଶୃଙ୍ଗାର ପ୍ରିୟ । ବର୍ଷ ତମାମ ଶ୍ରୀମନ୍ଦିରରେ ନାନାଦି ଯାନିଯାତ୍ରା ସାଙ୍ଗକୁ ଚାଲିଥାଏ ଅନେକ ନୀତିକାନ୍ତି ଓ ବେଶଭୂଷା । ତେବେ ଠାକୁରଙ୍କ ସେବାରେ ଯେଉଁମାନେ ନିୟୋଜିତ ସେମାନେ ନିଜକୁ କିଭଳି ପ୍ରସ୍ତୁତ କରନ୍ତି ? କେମିତି ଏଥିପାଇଁ ସୌଭାଗ୍ୟପ୍ରାପ୍ତ ହୁଅନ୍ତି ? ତାହା ବି ବଡ଼ ତାତ୍ପଯର୍ୟପୂର୍ଣ୍ଣ ।

ଶ୍ରୀଜିଉଙ୍କ ଶ୍ରୀଅଙ୍ଗ ସେବାର ସୁଯୋଗ ପାଇଥିବା ସେବକଟିଏ ନିଜକୁ କେତେ ଭାଗ୍ୟବାନ ମନେ କରେ, ତାହା ସ୍ପଷ୍ଟ ବାରି ହୋଇ ପାରିବ ଜଣେ ସେବାୟତ ବା ଦଇତାପତିଙ୍କୁ ଦେଖିଲେ । ସେମିତି ଜଣେ ଯୁବ ଦଇତାପତି ଅନାଥ ଦାସମହାପାତ୍ର । ସେ ଶ୍ରୀମନ୍ଦିରରେ ସେବା ପାଇଁ ବାହାରିବା ପୂର୍ବରୁ ପ୍ରଥମେ ଘର ଠାକୁରଙ୍କ ଆଶୀର୍ବାଦ ଭିକ୍ଷା କରିଥାନ୍ତି । ସ୍ନାନଯାତ୍ରାଠାରୁ ଅନବସର ପର୍ଯ୍ୟନ୍ତ, ଶ୍ରୀଜିଉଙ୍କ ଗୁପ୍ତ ସେବା ସାଙ୍ଗକୁ ନୀଳାଦ୍ରିବିଜେ ଯାଏଁ ଦଇତାପତିଙ୍କ ଗୋଷ୍ଠୀଗତ ସେବାରେ ସାମିଲ ହୋଇଛନ୍ତି । ଅନାଥ ଏବେ ନୂଆ ନୂଆ । ଠାକୁରଙ୍କ ସେବାରେ, ଯେମିତି କେଉଁଠି କିଛି ତ୍ରୁଟି ନହୁଏ ସେଥିପାଇଁ ପରାମର୍ଶ ଦେବାକୁ ସବୁ ବେଳେ ପାଖେ ପାଖେ ଅଛନ୍ତି ବଡ଼ଭାଇ ଜଗଦୀଶ ଦାସମହାପାତ୍ର । ଗୁରୁତ୍ୱପୂର୍ଣ୍ଣ ହେଲା ଦୁଇ ଭାଇ ଅନାଥ ଓ ଜଗଦୀଶ ହେଉଛନ୍ତି ବଡ଼ଠାକୁର ବଳଭଦ୍ରଙ୍କ ବାଡଗ୍ରାହୀ ହଳଧର ଦାସମହାପାତ୍ରଙ୍କ ପୁଅ ।

ସେହିଭଳି ଆଉ ଜଣେ ପରମ ସୌଭାଗ୍ୟପ୍ରାପ୍ତ ସେବକ ନାରାୟଣ ମୁଦିରସ୍ତ । ବୟସ କମ୍ । ହେଲେ ବଡ଼ ସେବା ନିକଟରେ ସ୍ନାନଯାତ୍ରାରେ ଗଜପତିଙ୍କ ପ୍ରତିନିଧି ଭାବେ ଜୀବନରେ ପ୍ରଥମ ଥର ଛେରାପହଁରା ନୀତି କରିବାର ସୁଯୋଗ ବି ପାଇସାରିଛନ୍ତି । ଏବେ ନାବାଳକ ସତ, ହେଲେ ମହାପ୍ରଭୁ ତାଙ୍କ ପ୍ରତି ଅଜାଡ଼ି ଦେଇଥିବା ଆଶିଷ ବଳରେ ଅପାର ସୌଭାଗ୍ୟ ଅନୁଭବ କରୁଛନ୍ତି ନାରାୟଣ । ମହାପ୍ରଭୁଙ୍କ ଦୈନନ୍ଦିନ ସେବାରେ ବି ତାଙ୍କର ବିଶେଷ ଅଧିକାର ରହିଛି । ସର୍ବାଙ୍ଗ ହେଉ କି ବନ୍ଦାପନା, ଅବା ଚନ୍ଦନ ଯାତ୍ରା ଅଧିକାଂଶ ପ୍ରଧାନ ସେବା ସହ ତାଙ୍କର ରହିଛି ନିବିଡ଼ ସଂପର୍କ । ତେଣୁ ଏହା ସେ କେମିତି ସମ୍ପନ୍ନ କରିବେ ବାପା ଓ ଭାଇଙ୍କଠୁ ଧିରେ ଧିରେ ଶିଖୁଛନ୍ତି ।

ଆଉ ଦୁଇ ଜଣ ହେଲେ ପୁଷ୍ପାଳକ ମଧୁସୂଦନ ସିଂହାରୀ ଓ ତାଙ୍କ ପୁତୁରା ଲୋକନାଥ ସିଂହାରୀ । ଚତୁର୍ଦ୍ଧାବିଗ୍ରହଙ୍କ ପାଖରେ ଏମାନଙ୍କ ଏକବ୍ରତୀ ସେବା । ସକାଳେ ମଙ୍ଗଳଆଳତୀଠୁ ରାତ୍ରିପହୁଡ଼ ପୂର୍ବ, ବଡ଼ସିଂହାର ବେଶ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସବୁ ନୀତିକାନ୍ତିରେ ପୁଷ୍ପାଳକ ସେବକଙ୍କ ରହିଛି ପ୍ରତ୍ୟକ୍ଷ ଭୂମିକା । ହେଲେ ଲୋକନାଥ ଯେହେତୁ ନୂଆ, ତେଣୁ କାକା ମଧୁସୂଦନଙ୍କଠାରୁ ଆସ୍ତେ ଆସ୍ତେ ସବୁ ଶିଖୁଛନ୍ତି । ଲୋକନାଥ କୁହନ୍ତି ସୁନାବେଶ ହେଉ କି ଗଜାନନ ବେଶ, ଠାକୁରଙ୍କର ପ୍ରାୟ ୭ଟି ବଡ଼ ବଡ଼ ବେଶ ସମ୍ପର୍କରେ ଅଳ୍ପବହୁତେ ଜାଣି ଗଲେଣି ।

ତେଣେ ଏଠି ପ୍ରଶ୍ନ, ଏସବୁ ନୂଆ ସେବକଙ୍କୁ କେମିତି ମିଳେ ଶ୍ରୀମନ୍ଦିରରେ ସେବାର ଅନୁମତି । ପରମ୍ପରା ଅନୁସାରେ ଛତିଶା ନିଯୋଗ ମହାନାୟକଙ୍କ ଦ୍ୱାରା ଶାଢ଼ୀବନ୍ଧା ପରେ ସେମାନଙ୍କ ପାଇଁ ସୁଗମ ହୁଏ ମହାପ୍ରଭୁଙ୍କ ସେବାର ପଥ । ସେ ନୂତନ ହୁଅନ୍ତୁ କି ଅଭିଜ୍ଞ । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସେବାରେ ଲାଗିଛନ୍ତି ଛତିଶ ପ୍ରକାର ନିଯୋଗ । ଯାହା ବଂଶାନୁକ୍ରମିକ ହେଲେ ବି ସେମାନଙ୍କ ପାଇଁ ମହାପ୍ରଭୁଙ୍କ ମହାଆଶିର୍ବାଦର ଫଳ ।

Other Stories