ଚୀନ୍ ଆକାଶରେ ୩ଟି ସୂର୍ଯ୍ୟ

ଚୀନର ମୋହେ ସହରର ଲୋକମାନେ ଏକ ଅଦ୍ଭୁତ ଘଟଣା ଦେଖିଛନ୍ତି। ଲୋକମାନେ ଗତ ୧୫ ତାରିଖ ସକାଳୁ ସକାଳୁ ଆକାଶରେ ଦେଖିଲେ ତିନୋଟି ସୂର୍ଯ୍ୟ। ପ୍ରଥମେ ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ। ସବୁଦିନ ଗୋଟିଏ ସୂର୍ଯ୍ୟ ଦେଖନ୍ତି , ତିନୋଟି ସୂର୍ଯ୍ୟ ଆସିଲେ କେଉଁଠୁ? ଲୋକମାନେ ଏହାର ଭିଡିଓ କରିବା ସହ ଫଟୋ ଉଠାଇବାରେ ଲାଗିଗଲେ। କିଛି ସମୟ ପାଇଁ ଲୋକମାନେ ମୁଣ୍ଡ ଉପରର ସୂର୍ଯ୍ୟଙ୍କୁ ଚାହିଁ ରହିଲେ। ସୂର୍ଯ୍ୟ ଦୁଇପଟେ ଆଉ ଦୁଇଟି ସୂର୍ଯ୍ୟ ଦେଖାଯାଉଥିଲା। ଦୃଷ୍ଟି ସମ୍ୱନ୍ଧୀୟ ଏହି ଭ୍ରମ ବା ମାୟା ବା ଅପ୍ଟିକାଲ ଇଲୁଜନ୍ ବେଶ୍ କୌତୁହଳ ସୃଷ୍ଟି କରିଥିଲା।

ସୂର୍ଯ୍ୟ ପାର୍ଶ୍ୱରେ ଦୁଇଟି ଛାୟା ମୂର୍ତ୍ତି ତିଆରି ହୋଇଥିଲା। ସକାଳେ ସୂର୍ଯ୍ୟ ଆକାଶକୁ ଉଠୁଥିବା ବେଳେ ଏହି ଦୁଇ ଛାୟାମୂର୍ତ୍ତି ମଧ୍ୟ ଉପରକୁ ଉଠିଥିଲେ। ଉତ୍ତର ଚୀନର ମୋହେ ସହର ହେଉଛି ଋଷ ସୀମାଠାରୁ ଅଳ୍ପ ଦୂରରେ ଥିବା ଏକ ସହର। ଆକାଶରେ ଏହି ଦୃଶ୍ୟ ପ୍ରାୟ ୩ ଘଣ୍ଟାଧରି ରହିଥିଲା। ପାଣିପାଗ ବିଶେଷଜ୍ଞଙ୍କ ମତରେ ଏହା ହେଉଛି ଏକ ପ୍ରାକୃତିକ ଘଟଣା। ଲୋକଙ୍କୁ ଏହା ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ ବେଳେ ବେଳେ ଏମିତି ଘଟେ। ଏହାକୁ ସନ୍ ଡଗ୍ସ କୁହାଯାଏ।

ତେବେ ସନ୍ ଡଗ୍ସ କଣ। ସନ ଡଗ୍ସ ଆଲୋକର ପ୍ରତିସରଣ କାରଣରୁ ସୃଷ୍ଟି ହୁଏ। ବାୟୁମଣ୍ଡଳର ଉପରିଭାଗରେ ବରଫ ସ୍ଫଟିକ ସୃଷ୍ଟି ହେଲେ ତା ମଧ୍ୟ ଦେଇ ଆଲୋକ ରଶ୍ମୀ ଗଲେ ସୂର୍ଯ୍ୟଙ୍କ ଛାୟାମୂର୍ତ୍ତି ଦେଖାଯାଏ। ଏହାକୁ କେହି କେହି ମକ ସନ୍ସ ଓ କେହି କେହି ପେରେଲିଆ ବୋଲି କହନ୍ତି। କାରଣ ଏହା ସୂର୍ଯ୍ୟଙ୍କ ସହ ହିଁ ଦେଖାଯାଏ। ବିନା ସୂର୍ଯ୍ୟରେ ଦେଖାଯାଏ ନାହିଁ। ଏମିତି ବେଳେ ବେଳେ ହୁଏ।

ଗତ ଜାନୁଆରୀ ମାସରେ ଚୀନରେ ଏପରି  ଦେଖାଇଥିଲା। ତା ପର ମାସରେ ଚୀନର ମଙ୍ଗୋଲିଆ ଆକାଶରେ ୫ଟି ସୂର୍ଯ୍ୟ ଦେଖାଯାଇଥିଲା। ବେଳେ ବେଳେ ଏହି ସୂର୍ଯ୍ୟ ଇନ୍ଦ୍ରଧନୁ ଭଳି ରଙ୍ଗୀନ ବି ହୋଇଥାଏ। ଚୀନରେ ଏକାଧିକ ସୂର୍ଯ୍ୟ ଦେଖାଯିବା କଥା ବହୁତ ପୁରୁଣା।

ଖ୍ରୀଷ୍ଟ ପୂର୍ବ ୩୪୦ରେ ଆରିଷ୍ଟଟଲ୍ ମେଟେରୋଲେଜି ନାମକ ତାଙ୍କର ଏକ ପୁସ୍ତକରେ ଏହି ଏକାଧିକ ସୂର୍ଯ୍ୟ ବିଷୟ ଉଲ୍ଲେଖ କରିଛନ୍ତି। ଦୃଷ୍ଟି ସମ୍ୱନ୍ଧୀୟ ଅନ୍ୟ ଏକ ପ୍ରାକୃତିକ ବିଷୟ ହେଉଛି ହାଲୋସ। ସୂର୍ଯ୍ୟ ବା ଚନ୍ଦ୍ର ଚାରିପଟେ ମଣ୍ଡଳ ସୃଷ୍ଟି ହେବାକୁ ହାଲୋସ କୁହାଯାଏ। ବାଦଲରେ ବରଫ ସ୍ଫଟିକ ଦେଇ ଆଲୋକ ରଶ୍ମୀ ଗଲା ବେଳେ ଏପରି ହୁଏ। କ୍ୱଚିତ ବରଫ ସ୍ଫଟିକରେ ଆଲୋକ ରଶ୍ମୀର ପ୍ରତିଫଳନରେ ସୂର୍ଯ୍ୟଙ୍କ ନିକଟରେ ସିଧା ସୁଡଙ୍ଗ ଥିବା ପରି ଦେଖାଯାଏ।

 

You might also like