କାହିଁକି ‘ମୋନାଲିସା’ ଏକ ରହସ୍ୟମୟ ଫଟୋ: ଯାହାକୁ ମିଳିଛି ଭିଆଇପି ଭଳି ସୁରକ୍ଷା

ଫଟୋ ପଛର କାହାଣୀରେ ଆଜି ଆମେ ‘ମୋନାଲିସା’ ପେଣ୍ଟିଂ ବିଷୟରେ ଜାଣିବା। 
  • ବିଶ୍ୱର ସବୁଠାରୁ ଦାମୀ ଓ ରହସ୍ୟମୟ ପେଣ୍ଟିଂ ହେଉଛି ‘ମୋନାଲିସା’ ପେଣ୍ଟିଂ। ଏହାର ରହସ୍ୟମୟ ଦିଗଟି ହେଉଛି, ପେଣ୍ଟିଂକୁ ବିଭିନ୍ନ ଆଙ୍ଗଲ୍‌ରୁ ଦେଖିଲେ ଏହା ଭିନ୍ନ ଭିନ୍ନ ରୂପରେ ଦେଖାଯାଏ।  
  • ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ପେଣ୍ଟିଂଟି ବାରମ୍ବାର ଆକ୍ରମଣର ଶିକାର ହୋଇଛି। କେତେବେଳେ ଏହାକୁ ଏସିଡ ମାଡ଼ ହୋଇଛି ତ ଆଉ କେତେବେଳେ ଏହି ପେଣ୍ଟିଂକୁ ପଥର ଫିଙ୍ଗାଯାଇ ନଷ୍ଟ କରିବାକୁ ଚେଷ୍ଟା କରାଯାଇଛି।
  • ଭିଆଇପିଙ୍କ ଭଳି ଏହି ପେଣ୍ଟିଂକୁ ସୁରକ୍ଷା ଦେବା ପାଇଁ ବୁଲେଟ୍ ପ୍ରୁଫ୍ କାଚର ବନ୍ଧନୀରେ ରଖାଯାଇଛି।
ଫଟୋର ବାମ ହାତର କହୁଣି ପାଖରେ ଥିବା ଧଳା ଚିହ୍ନ ପଥର ଆଘାତରେ ହୋଇଛି

ତେବେ ଏହି  ପେଣ୍ଟିଂରେ କେଉଁ ରହସ୍ୟ ଲୁଚି ରହିଛି, କିଏ ସେଇ ବିଚିତ୍ର ଚିତ୍ରକର, ଯିଏ ଆଙ୍କିଛି ଏଭଳି ରହସ୍ୟମୟ ଛବି। ଏ ସମସ୍ତ ପ୍ରଶ୍ନର ଉତ୍ତର ଆଜି ଆମେ ଆପଣଙ୍କୁ ଦେବୁ।

ଚର୍ଚ୍ଚିତ ‘ମୋନାଲିସା’ ପେଣ୍ଟିଂର ଚିତ୍ରକର ହେଲେ ପ୍ରଖ୍ୟାତ ଚିତ୍ରକର ଲିଓନାର୍ଡୋ ଦା ଭିନ୍‌ଚି। ସେ ଇଟାଲୀର ଭିନ୍‌ଚି ନାମକ ଏକ ସହରରେ ଜନ୍ମ ହୋଇଥିବାରୁ ତାଙ୍କ ନାଁ ଏପରି ହୋଇଛି।

ମୋନାଲିସା ପେଣ୍ଟିଂ ଲିଓନାର୍ଡୋଙ୍କର ଏକ ଅତୁଳନୀୟ କୃତି। ଏହା ଏକ ପ୍ରକାର ପତଳା କାଠ କ୍ୟାନଭାସରେ ଅଙ୍କା ଯାଇଥିବା ହାଫ୍ ଲେନ୍ଥ ବିଶିଷ୍ଟ ପୋର୍ଟରେଟ୍‌ ପେଣ୍ଟିଂ। ଏହାକୁ ବିଶ୍ୱର ସବୁଠାରୁ ଦାମୀ ପେଣ୍ଟିଂ ବୋଲି କୁହାଯାଇଥାଏ।

ଏହି ପେଣ୍ଟିଂଟି କେବେ ତିଆରି ହୋଇଥିଲା ସେ ନେଇ କୌଣସି ସଠିକ୍ ତଥ୍ୟ ନାହିଁ। କେତେକ କୁହନ୍ତି ୧୫୦୩ରେ ଏହି ଫଟୋ କାମ ଆରମ୍ଭ ହୋଇ ୧୫୦୬ରେ ସରିଥିଲା। ସେହିଭଳି ଆଉ କେତେକଙ୍କ ମତରେ  ପେଣ୍ଟିଂଟି ୧୫୧୩ ରୁ ଆରମ୍ଭ ହୋଇ ୧୫୧୯ରେ ଶେଷ ହୋଇଥିଲା। ଲିଓନାର୍ଡୋଙ୍କ ମୃତ୍ୟୁ ହେବା ଫଳରେ ଫଟୋଟି ସମ୍ପୂର୍ଣ୍ଣ ତିଆରି ନ ହୋଇ ଅଧାରେ ରହିଯାଇଛି ବୋଲି ଅନ୍ୟ କେତେକ ମତ ଦିଅନ୍ତି।
ସେହିଭଳି, ଚିତ୍ରରେ ଥିବା ମହିଳା ଜଣକ ପ୍ରକୃତରେ କିଏ, ସେ ନେଇ ମଧ୍ୟ ଅନେକ ଚର୍ଚ୍ଚା ହୋଇଥାଏ। କିଏ କହେ ଭିନ୍‌ଚି ନିଜକୁ ମହିଳାଙ୍କ ରୂପରେ ଆଙ୍କିଛନ୍ତି ତ ଆଉ କିଏ କହେ ଏହା ତାଙ୍କର ମାଆଙ୍କ ଛବି। ତେବେ ପେଣ୍ଟିଂରେ ଥିବା ମହିଳା ଜଣକ ଲିଜା ଘିରାର୍ଦିନି ବୋଲି ଅନେକ ଲୋକ କୁହନ୍ତି। ଲିଜା ଜଣେ କପଡ଼ା ବେପାରୀ ଫ୍ରାନ୍‌ସେସ୍କୋ ଡେଲ୍‌ ଜିଓକୋଣ୍ଡୋଙ୍କର ପତ୍ନୀ। ଦ୍ୱିତୀୟ ପିଲା ଆସିବାର ଖୁସିରେ ଜିଓକାଣ୍ଡୋ ତାଙ୍କ ବନ୍ଧୁ ଲିଓନାର୍ଡୋଙ୍କୁ କହି ଏହି ପେଣ୍ଟିଂ ବନାଇଥିଲେ ବୋଲି କୁହାଯାଏ।

ଫେଣ୍ଟିଂର ତିଆରି ଶୈଳୀ ପାଇଁ ଏହା ବେଶ୍‌ ଚର୍ଚ୍ଚିତ। ବିଭିନ୍ନ ଆଙ୍ଗଲ୍‌ରୁ ଦେଖିଲେ ଏହି ଚିତ୍ର ଅଲଗା ଅଲଗା ରୂପରେ ଦେଖାଯାଇଥାଏ। ପେଣ୍ଟିଂର ସବୁଠାରୁ ବଡ଼ ରହସ୍ୟ ହେଲା ଫଟୋର ଅଙ୍କାଯାଇଥିବା ମହିଳାଙ୍କର ହସ। କାହାକୁ ପେଣ୍ଟିଂରେ ଥିବା ମହିଳା ହସୁଥିବା ଭଳି ମନେ ହୁଏ ତ’ ଆଉ କାହାକୁ ସେ କାନ୍ଦୁଥିବା ପରି ପ୍ରତୀୟମାନ ହୁଏ। ପୁଣି ଆଉ କାହାକୁ ସେ ଅତ୍ୟନ୍ତ ଶାନ୍ତ ରୂପରେ ଥିବା ଭଳି ଦେଖାଯାଆନ୍ତି। ତେବେ ଜିଓକୋଣ୍ଡୋଙ୍କ ପତ୍ନୀ ଗର୍ଭବତୀ ଥିବା ସମୟରେ ଏହି ପେଣ୍ଟିଂ ଅଙ୍କାଯାଇଥିଲା, ସେଥିପାଇଁ ତାଙ୍କ ଏକ୍ସପ୍ରେସନ୍‌ ଏମିତି ଥିଲା ବୋଲି ଲୋକେ କହନ୍ତି। ଏହି ପେଣ୍ଟିଂ ଯେଉଁ ସମୟରେ ଅଙ୍କାଯାଇଥିଲା ସେହି ସମୟରେ ମହିଳାମାନଙ୍କୁ ଭ୍ରୁଲତା(ଆଇବ୍ରୋ) ରଖିବାକୁ ମନା କରାଯାଉଥିଲା। ସେଥିପାଇଁ ପେଣ୍ଟିଂରେ ମଧ୍ୟ ମହିଳାଙ୍କ ଭ୍ରୁଲତା ନାହିଁ।

ଫଟୋର ସଂଯୋଗ ସ୍ଥାନକୁ ଦେଖିଲେ ଅଦ୍‌ଭୁତ ଜୀବନର ଚିତ୍ର ଉଙ୍କିମାରିବ, ଯହାକୁ ଲୋକେ ଏଲିଅନ୍‌ ବୋଲି କହୁଛନ୍ତି

ଆହୁରି ଆଶ୍ଚର୍ଯ୍ୟ କରିଦେଲା ଭଳି କଥା ହେଲା,  ପେଣ୍ଟିଂଟିକୁ ବାମ ଓ ଡାହାଣରୁ ଯୋଡ଼ିଲେ, ଏହାର ସଂଯୋଗ ସ୍ଥଳରେ ଏକ କାଳ୍ପନିକ ଜୀବର ଛବି ଉଙ୍କିମାରେ। ଯାହାକୁ ଲୋକେ ଏଲିଅନ୍‌ ବୋଲି ଦାବି କରନ୍ତି। ଏହି ପେଣ୍ଟିରେ ଇଟାଲୀୟ ଭାଷାରେ ଲେଖାଯାଇଛି ‘ଲା ରିସ୍ପୋସ୍ତା ସି ତ୍ରୋଭା କ୍ୟୁ’। ଯାହାର ଓଡ଼ିଆ ଅର୍ଥ ହେଲା ‘ଉତ୍ତର ଏଇଠି ଅଛି’। ତେବେ ଲିଓନାର୍ଡ ଏଥିରେ କେଉଁ ପ୍ରଶ୍ନର ଉତ୍ତର ଚାହିଁଛନ୍ତି, ତାହା କାହାକୁ ବି ଜଣା ନାହିଁ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହି ଫଟୋକୁ ନଷ୍ଟ କରିଦେବା ପାଇଁ ଅନେକ ଯୋଜନା ହୋଇଥିଲା। ଫ୍ରାନ୍‌ସର ଲୋଭର୍‌ ମ୍ୟୁଜିୟମ୍‌ରେ ରଖାଯାଇଥିବା ବେଳେ ଏହି ପେଣ୍ଟିଂକୁ ଜଣେ ଚୋରି କରିନେଇ ଯାଇଥିଲେ। ପରେ ଏହା ଧରାପଡ଼ିଥିଲା। ପୁଣି ୧୯୫୬ରେ ଜଣେ ବ୍ୟକ୍ତି ଏହାକୁ ଏସିଡ ଫିଙ୍ଗି ନଷ୍ଟ କରିବାକୁ ଚେଷ୍ଟା କରିଥିଲେ। ସେଥିରୁ ବି ପେଣ୍ଟିଂଟି ରକ୍ଷା ପାଇଯାଇଥିଲା। ଆଉ ଥରେ ଜଣେ ବ୍ୟକ୍ତି ପେଣ୍ଟିଂ ଉପରକୁ ପଥର ଫିଙ୍ଗିଥିଲେ। ଏହି ପଥର ବାଜି ପେଣ୍ଟିଂଟି ସାମାନ୍ୟ ଖଣ୍ଡିଆ ବି ହୋଇଯାଇଛି। ତେବେ ବାରମ୍ବାର ଆକ୍ରମଣ ଫଳରେ ପେଣ୍ଟିଂଟିକୁ ସୁରକ୍ଷା ଦେବାକୁ ବୁଲେଟ୍‌ ପ୍ରୁଫ୍ ଗ୍ଲାସ୍‌ ଲଗାଯାଇ ବନ୍ଧାଇ ଦିଆଯାଇଛି।
ଏହି ପେଣ୍ଟିଂକୁ ନେଇ କୁହାଯାଏ, ଯଦି ଆପଣ ଖୁସି ଅଛନ୍ତି ତେବେ ଏହି ପେଣ୍ଟିଂରେ ଥିବା ମହିଳାଙ୍କ ଚିତ୍ର ଆପଣଙ୍କୁ ହସୁଥିବା ଭଳି ଲାଗିବ। ଆଉ ଯଦି ଆପଣଙ୍କ ମନ ଦୁଃଖ ଅଛି ତେବେ ପେଣ୍ଟିଂର ଚେହେରା ଉଦାସ ଥିବା ପରି ମନେ ହେବ। ପ୍ରକୃତରେ ଏହି ପେଣ୍ଟିଂର ନାମ ମୋନାଲିସା ନୁହେଁ। ଏହା ହେଉଛି ‘ମୋନା ଲିଜା’। ଇଟାଲୀୟ ଭାଷାରେ ‘ମୋନା ଲିଜା’ର ଅର୍ଥ ହେଉଛି ‘ମାଇଁ ଲେଡି’ ବା ମୋ ପ୍ରେୟସୀ। ଏହି ପେଣ୍ଟିଂଟି  ଫ୍ରାନ୍ସର କିମ୍ବଦନ୍ତୀ ଶାସକ ନେପୋଲିୟନ ବୋନାପାର୍ଟଙ୍କୁ ଖୁବ୍‌ ପସନ୍ଦ ଆସିଥିଲା। ଏଥିପାଇଁ ସେ ଏହାକୁ ନିଜ ପ୍ରାସାଦର ଏକ ବିଶେଷ ସ୍ଥାନରେ ଟାଙ୍ଗିଥିଲେ।

ଗତ ସପ୍ତାହର ଫଟୋ ପଛର କାହାଣୀ-  ଯେଉଁ ଫଟୋ ଦେଇଥିଲା ସଫଳତା, ସେଇ ଫଟୋ ନେଲା ଜୀବନ

You might also like