ମୁସଲିମ୍ ମହିଳାଙ୍କୁ ବନ୍ଧ୍ୟା କରୁଛି ଚୀନ୍!
ବେଜିଂ: ଉଇଘୁର ମୁସଲିମ୍ ସମ୍ପ୍ରଦାୟ ପ୍ରତି ଚୀନର ନରସଂହାରକୁ ନେଇ ସାରା ବିଶ୍ୱରେ ପ୍ରତିବାଦର ସ୍ୱର ଉଠୁଛି। ଉଇଘୁର ସମ୍ପ୍ରଦାୟ ଲୋକଙ୍କ ପରିଚୟକୁ ନଷ୍ଟ କରିବା ଠାରୁ ଆରମ୍ଭ କରି ସେମାନଙ୍କ ପ୍ରତି ହେଉଥିବା ଶୋଷଣ ଓ ନରସଂହାରର ଅଭିଯୋଗକୁ ନେଇ ଚୀନ ଚାରିଆଡ଼ୁ ସମାଲୋଚନା କରାଯାଉଛି। ଏବେ ଆମେରିକାରେ ରହୁଥିବା ଜଣେ ଉଇଘୁର ଲେଖକ ରେୟାନ୍ ଅସତ୍ ଚୀନରେ ଉଇଘୁର ମୁସଲିମ୍ ସମ୍ପ୍ରଦାୟଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ନେଇ ବଡ଼ ଖୁଲାସା କରିଛନ୍ତି। ରେୟାନଙ୍କ କହିବା ଅନୁଯାୟୀ, ଚୀନ୍ ଉଇଘୁର ସମ୍ପ୍ରଦାୟର ମହିଳାଙ୍କୁ ଜବରଦସ୍ତି ବନ୍ଧ୍ୟା କରିବା ସହିତ ଜନସଂଖ୍ୟା ଉପରେ ନଜର ରଖିବା ପାଇଁ ମହିଳାଙ୍କ ଗର୍ଭାଶୟରେ ଡିଭାଇସ୍ ବା ଉପକରଣ ମଧ୍ୟ ଲଗାଉଛି।
ଦି ଫରେନ୍ ପଲିସି ମାଗାଜିନରେ ଏକ ସ୍ତମ୍ଭରେ ରେୟାନ୍ ଅସତ୍ ଚୀନର ଏହି ନରସଂହାର ଉପରେ ଆଲୋକପାତ କରିଛନ୍ତି। ସେ ଲେଖିଛନ୍ତି, ସାରା ଦୁନିଆର ନଜରକୁ ଆସିବା ପରେ ଚୀନ୍ ସରକାର ଟେକ୍ନୋଲୋଜି ମାଧ୍ୟମରେ ନିରୀହ ଉଇଘୁର ସମ୍ପ୍ରଦାୟଙ୍କ ଉପରେ ନରସଂହାର କରିବା ଆରମ୍ଭ କରିଦେଇଛି। ଚୀନ ଉଇଗର ସମ୍ପ୍ରଦାୟର ଲୋକଙ୍କୁ କ୍ୟାମ୍ପରେ ବନ୍ଦ କରି ରଖିବା ସହ ସେମାନଙ୍କୁ ଗଭୀର ଶାରୀରିକ ଓ ମାନସିକ କ୍ଷତି ମଧ୍ୟ ପହଞ୍ଚାଉଛି। ଉଇଘୁର ସମ୍ପ୍ରଦାୟରେ ଯେପରି କମ୍ ପିଲା ଜନ୍ମ ନେବେ, ଚୀନ୍ ତା’ର ଆଧୁନିକ ଟେକନିକ୍ ଦ୍ୱାରା ସୁନିଶ୍ଚିତ କରୁଛି। ଏହାବ୍ୟତୀତ ଯେଉଁ ପିଲା ଜନ୍ମ ହେଉଛନ୍ତି, ସେମାନଙ୍କୁ ମଧ୍ୟ ଅନ୍ୟ ସମ୍ପ୍ରଦାୟକୁ ପଠାଇ ଦିଆଯାଉଛି, ଯାହାଦ୍ୱାରା ସେମାନେ ନିଜର ରହଣୀ ଓ ଜୀବନୀରୁ ଦୂରେଇ ରହିପାରିବେ।
ରେୟାନ୍ ଦାବି କରିଛନ୍ତି, ଚୀନ୍ ଶିନଜିଆଙ୍ଗ ପ୍ରାନ୍ତରେ ଗ୍ରୀଡ୍ ମ୍ୟାନେଜମେଣ୍ଟ ସିଷ୍ଟମ ଲାଗୁ କରିଛି। ଏହି ସିଷ୍ଟମ୍ ଦ୍ୱାରା ଉଇଘୁରଙ୍କ ଧାର୍ମିକ ଜୀବନୀ, ପାରିବାରିକ, ସାଂସ୍କୃତିକ ଓ ସାମାଜିକ ସମେତ ସମସ୍ତ ଗତିବିଧି ଉପରେ ଚୀନ୍ ନଜର ରଖିପାରିବ। ଏହି ସିଷ୍ଟମ ଅନୁଯାୟୀ, ସହର ଓ ଗାଁକୁ ପ୍ରାୟ ୫୦୦ ଲେଖାଏ ଲୋକଙ୍କୁ ବିଭିନ୍ନ ବର୍ଗରେ ଭାଗ କରାଯାଇଛି ଏବଂ ପ୍ରତି ବର୍ଗରେ ଗୋଟିଏ ପୁଲିସ୍ ଷ୍ଟେସନ୍ ରହିଛି, ଯାହାଦ୍ୱାରା ଲୋକଙ୍କ ଉପରେ କଡ଼ା ନଜର ରଖାଯାଇପାରିବ।
Overwhelming evidence of the Chinese government’s systematic campaign to destroy the Uighur people clearly meets conventional definitions of genocide, Yonah Diamond and Rayhan Asat write.https://t.co/xJG05j1yJw
— Foreign Policy (@ForeignPolicy) July 21, 2020
ରେୟାନ୍ ଆହୁରି ଅଭିଯୋଗ ଆଣିଛନ୍ତି ଯେ ପରିଚୟ ପତ୍ର, ଡିଏନଏ ନମୁନା, ଅଙ୍ଗୁଳି ଚିହ୍ନ ଆଦି ଜରିଆରେ ଚୀନ୍ ଉଇଘୁର ସମ୍ପ୍ରଦାୟ ଲୋକଙ୍କ ଉପରେ ତୀକ୍ଷ୍ଣ ନଜର ରଖୁଛି। ଏହାବ୍ୟତୀତ ଭିଡିଓ ସର୍ଭେଲାନ୍ସ, ସ୍ମାର୍ଟଫୋନରୁ ପ୍ରତିଟି ବ୍ୟକ୍ତିଙ୍କର ତଥ୍ୟ ସଂଗ୍ରହ କରାଯାଉଛି। ରେୟାନ୍ କହିଛନ୍ତି, ମୋର ବଡ଼ ଭାଇ ଅସତ୍ ଟାଇଗର୍ ଜଣେ ବ୍ୟବସାୟୀ, କିନ୍ତୁ ଚୀନର ସରକାର ତାଙ୍କୁ ଘୃଣା ଓ ହିଂସା ଅଭିଯୋଗରେ ୧୫ ବର୍ଷର ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ମୋ ଭାଇର ଏତିକି ଅପରାଧ ଥିଲା ଯେ ସେ ଉଇଘୁର ଲୋକଙ୍କ ଅଧିକାର ପାଇଁ ଯୁକ୍ତି ବାଢ଼ୁଥିଲେ।
ରେୟାନ୍ ଦାବି କରିଛନ୍ତି, ୨୦୧୭ରେ ଶିନଜିଆଙ୍ଗର ସରକାର ଉଇଘୁର ସମ୍ପ୍ରଦାୟର ମହିଳାଙ୍କ ପାଇଁ ପ୍ରଚାର ଆରମ୍ଭ କରିଥିଲେ। ଏହି ପ୍ରଚାର ଜରିଆରେ ଜନ୍ମ ନିୟନ୍ତ୍ରଣକୁ କଠୋର ଭାବେ ଲାଗୁ କରାଯାଇଛି ଏବଂ ମହିଳାଙ୍କ ଗର୍ଭାଶୟରେ ଜୋର୍ ଜବରଦସ୍ତ ଡିଭାଇସ୍ ଲଗାଯାଇଥିଲା। ଏହି ଡିଭାଇସ୍ ଲଗାଯିବା ଦ୍ୱାରା ମହିଳାମାନେ କେବେବି ଗର୍ଭବତୀ ହୋଇପାରିବେ ନାହିଁ ଏବଂ ଡିଭାଇସକୁ ବାହାର କରିବା ବେଆଇନ୍ ବୋଲି ଘୋଷିତ କରାଯାଇଥିଲା।
୨୦୧୮ରେ ଚୀନରେ ଜନସଂଖ୍ୟା ନିୟନ୍ତ୍ରଣ କରିବା ପାଇଁ ଯେଉଁ ମହିଳାଙ୍କ ଗର୍ଭାଶୟରେ ଡିଭାଇସ୍ ଲଗାଯାଇଥିଲା, ସେଥିରୁ କେବଳ ୮୦ ପ୍ରତିଶତ ହିଁ ଶିନଜିଆଙ୍ଗର ବାସିନ୍ଦା ଥିଲେ। ସେମିତି ଦେଖିବାକୁ ଗଲେ ଶିନଜିଆଙ୍ଗର ଜନସଂଖ୍ୟା ଚୀନ୍ ଜନସଂଖ୍ୟାର ୧.୮ ପ୍ରତିଶତ। ଏହି ଡିଭାଇସ୍ କେବଳ ସରକାରଙ୍କ ଅନୁମତି ପରେ ହିଁ ହଟାଯାଇ ପାରିବ। ୨୦୧୫ରୁ ୨୦୧୮ ମଧ୍ୟରେ ଉଇଘୁର ସମ୍ପ୍ରଦାୟର ଜନସଂଖ୍ୟା ବୃଦ୍ଧି ଦର ୮୪ ପ୍ରତିଶତ କମ୍ ହୋଇଥିଲା। ତେବେ ୨୦୧୭ ଓ ୨୦୧୮ ମଧ୍ୟରେ ଶିନଜିଆଙ୍ଗର ଏକ ଜିଲ୍ଲାରେ ୧୨୪ ପ୍ରତିଶତ ବନ୍ଧ୍ୟା ମହିଳା ଓ ୧୧୭ ପ୍ରତିଶତ ବିଧବା ମହିଳା ବୃଦ୍ଧି ପାଇଛନ୍ତି।