ବିଶ୍ୱର ସବୁଠାରୁ ଲମ୍ବା କେକ୍ ପ୍ରସ୍ତୁତ କଲା ଭାରତ

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ଲମ୍ବା କେକ୍, ଯାହାକି ଗିନିଜ୍ ୱାର୍ଲଡ୍‌ ରେକର୍ଡସ୍‌ରେ ସ୍ଥାନ ପାଇଛି। ସବୁଠାରୁ ବଡ଼ କଥା ଏହି କେକ୍‌ଟିକୁ ଅନ୍ୟ କୌଣସି ଦେଶ ନୁହେଁ ବରଂ ଭାରତ ଏହାକୁ ପ୍ରସ୍ତୁତ କରିଛି। ଏହି କେକ୍‌ର ଲମ୍ବା ୬.୫ କି.ମି.।

କେରଳର ୫୦୦ ବେକରୀରୁ ୧୦୦୦ରୁ ଅଧିକ ସେଫ୍‌ଙ୍କୁ ନେଇ ଏହି କେକ୍‌ଟି ପ୍ରସ୍ତୁତ ହୋଇଛି। କେକ୍‌ ଉପରେ ଚକୋଲେଟ୍‌ର ganache ଦେବା ଫଳରେ ଏହା ଆହୁରି ଅଧିକ ସୁନ୍ଦର ଓ ସୁସ୍ୱାଦୁ ହୋଇଛି। ଏହାସହ ଏଥିରେ ୧୨,୦୦୦ କି.ଗ୍ରା.ର ଚିନି ଓ ଅଟା ମଧ୍ୟ ବ୍ୟବହାର କରାଯାଇଥିଲା। ବୁଧବାର ଦିନ କେରଳର ତ୍ରିସୁରରେ ଏକ ଫେଷ୍ଟିଭାଲ୍‌ ଗ୍ରାଉଣ୍ଡ୍‌ରେ ଏହାକୁ ପ୍ରଦର୍ଶିତ କରାଯାଇଥିଲା।

ଭାନିଲା ଫ୍ଲେଭର୍‌ର ଏହି କେକ୍‌ଟିର ଓସାର ଓ ମୋଟେଇ ୧୦ ସେ.ମି. ଥିବାବେଳେ ଏହାର ଓଜନ ୨୦ ଟନ୍‌ରୁ ଅଧିକ। ଏହାକୁ ପ୍ରସ୍ତୁତ ବେଳେ ବେକର ଓ ସେଫ୍‌ମାନେ ପାରମ୍ପରିକ ଧଳା ରଙ୍ଗର ପୋଷାକ ପିନ୍ଧି ଥିବା ନଜର ଆସିଥିଲେ।

କେରଳର ବେକର୍ସ ଆସୋସିଏସନ୍‌ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏହି ଇଭେଣ୍ଟରେ ଲୋକଙ୍କ ଭିଡ଼ ଜମିଥିଲା।

ସୂଚନାଥାଉ କି, ୨୦୧୮ରେ ଚୀନ୍‌ ବେକର୍‌ମାନେ ୩.୨ କି.ମି. ଲମ୍ବାର ଏକ ଫ୍ରୁଟ୍‌ କେକ୍‌ ପ୍ରସ୍ତୁତ କରିଥିଲେ।

You might also like