“ବନସ୍ତେ ଡାକିଲା ଗଜ,

ବରଷକେ ଥରେ ଆସିଛି ରଜ ଲୋ

ଘେନି ନୂଆ ସଜବାଜ’

ଏହା ଯେ କେବଳ ଏକ ଗୀତ ନୁହେଁ, ଏହା ପ୍ରକୃତି ଓ ମନୁଷ୍ୟ ସହିତ କେଉଁ ଆବାହମାନ କାଳରୁ ଜଡିତ ଥିବା ଏକ ଗାଢ ସମ୍ପର୍କ।ବନସ୍ତରେ ଡାକୁଥିବା ଗଜର ଡାକ କିଏ ଶୁଣିପାରେ? ଯିଏ ଶୁଣିପାରେ ସିଏ ପ୍ରକୃତିମନସ୍କ । ସିଏ ବୁଝେ ରଜର ମହାତ୍ମ୍ୟ, ବୁଝେ ମାଟି-ମେଘ-ଆକାଶ-ଗଛବୃକ୍ଷ-ପଶୁପକ୍ଷୀ ଓ ମଣିଷ ଭିତରେ ଥିବା ଆନ୍ତରିକ ଅନୁରାଗର କଥା । ତେଣୁ ବରଷକେ ଥରେ ଚାରିଦିନ ପାଇଁ ସେ ପାଳନ କରେ ରଜପର୍ବ । ଏ ଯେ କେବଳ ଏକ ପର୍ବ ତାହା ନୁହେଁ ବରଂ କୃଷି, ସଂସ୍କୃତି ଓ ପ୍ରଜନନର ଆହ୍ୱାନ । ନିଜକୁ ପ୍ରକୃତି କୋଳରେ ସମର୍ପି ଦେବା ସହ ପ୍ରକୃତିକୁ ନିଜ ଭିତରେ ଅନୁଭବିବାର ଏକ ମାଧ୍ୟମ ।

ଆଷାଢ଼ ମାସରେ ପଡ଼ୁଥିବା ସଂକ୍ରାନ୍ତିକୁ ରଜ ସଂକ୍ରାନ୍ତି କୁହାଯାଏ । ଏହାର ପୂର୍ବଦିନ ପହିଲି ରଜ, ପରଦିନ ଭୂମି ଦହନ ଓ ରଜର ଚତୁର୍ଥ ଦିନକୁ ବସୁମତି ସ୍ନାନ ବୋଲି କୁହାଯାଏ । ନାରୀମାନଙ୍କ ପରି ବସୁଧା ମଧ୍ୟ ଋତୁମତି ପାଲଟେ । ରଜରେ ବସୁଧାକୁ ହାଣିବା ଖୋଳିବା ଓ କାଟିବାକୁ ବାରଣ ରହିଛି । ସେ ନିଜକୁ ସଜେଇ ରଖେ କିଛି ଦିନ ପାଇଁ। ଗ୍ରୀଷ୍ମର ପ୍ରକୋପରେ ଅତିଷ୍ଠ ହୋଇପଡିଥିବା ମାଟି ମା’ ନିଜକୁ ପ୍ରସ୍ତୁତ କରେ ପୁନର୍ବାର ଶସ୍ୟ ଶ୍ୟାମଳ ହେବାକୁ। କୋଟି କୋଟି ସନ୍ତାନଙ୍କ ମୁହଁରେ ଆହାର ଦେବାପାଇଁ ବର୍ଷକରେ ଥରେ ସୃଜନମନସ୍କ ହୁଏ ଧରଣୀ ।

ତେବେ ଏହି ଗଣପର୍ବ ରଜର ଉତ୍ପତିକୁ ନେଇ ସଠିକ ଭାବେ ପ୍ରାମାଣିକ ତଥ୍ୟ ନ ଥିଲେ ମଧ୍ୟ ଏହାର ଏକ କିମ୍ବଦନ୍ତୀ ରହିଛି । ଯେଉଁ କିମ୍ବଦନ୍ତୀ ଆଧାରରେ ଜଣାଯାଏ ତ୍ରେତୟାରେ ଲଙ୍କାରେ ରାବଣର ରାଜୁତି ସମୟରେ ମୟଦାନବ ନାମକ ଜଣେ ରାଜା ଅନ୍ୟ ଏକ ରାଜ୍ୟର ଅସୁର୍‌ରାଜ୍‌ ଥିଲେ। ଉଭୟ ରାବଣ ଓ ମୟଦାନବ ରାକ୍ଷସମାନଙ୍କର ରାଜା ହୋଇଥିବାରୁ ପରସ୍ପର ଅତି ଘନିଷ୍ଠ ଥିଲେ । ରାବଣ ମୟଙ୍କ ରାଜପ୍ରାସାଦକୁ ଯିବା ଆସିବା କରୁଥିଲେ । ରାଜା ମୟଙ୍କର ମନ୍ଦୋଦରୀ ନାମକ ଏକ ସୁନ୍ଦରୀ କନ୍ୟାଟିଏ ଥିଲେ । ରାବଣର ବାରମ୍ବାର ଯିବାଆସିବା ଯୋଗୁଁ ସେମାନେ ପରସ୍ପର ପ୍ରତି ଆକର୍ଷିତ ହୋଇଥିଲେ ।

ସେମାନଙ୍କ ମଧ୍ୟରେ ଗଢ଼ି ଉଠିଥିଲା ଗୁପ୍ତ ସମ୍ପର୍କ । ଯାହା ଫଳରେ ମନ୍ଦୋଦରୀ ଅନ୍ତସତ୍ତ୍ୱା ହୋଇ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ବାଡୁଅ ଅବସ୍ଥାରେ ମାତୃତ୍ୱ ଲାଭ ଲୋକଲଜ୍ଜାର କାରଣ ହୋଇଥିବାରୁ ରାଜା ମୟଦାନବ ନିର୍ଜନ ରାତିରେ ଉକ୍ତ କନ୍ୟା ସନ୍ତାନଟିକୁ ନେଇ ମିଥିଳା ନଗରୀର କୌଣସି ଏକ ସ୍ଥାନରେ ଗାତ ଖୋଳି ପୋତି ଦେଇ ଆସିଥିଲେ । ଶିଶୁ କନ୍ୟାଟିକୁ ମିଥିଳାରେ ପୋତା ହୋଇଥିବା ଯୋଗୁଁ ମିଥିଳାରେ ବର୍ଷା ହେଲା ନାହିଁ, ମରୁଡ଼ି ପଡ଼ିଲା । ଜଳାଶୟ ଆଦି ଶୁଖିବାରେ ଲାଗିଲା । ଯାହାଫଳରେ ମିଥିଳାରେ ହାହାକାର ସୃଷ୍ଟି ହେଲା । ମିଥିଳାର ରାଜା ଜନକ ପ୍ରଜାମାନଙ୍କର ଦୁଃସ୍ଥିତି ଦେଖି ଚିନ୍ତା ପ୍ରକଟକଲେ ଓ ଜ୍ୟୋତିଷ ବିଷାରଦମାନଙ୍କର ପରାମର୍ଶ ନେଲେ ।

ରାଜା ଜନକ ହଳ ଯୋଚିଲେ ଏହି ସଂକଟ ଦୂର ହେବ ବୋଲି ଜ୍ୟୋତିଷ ବିଷାରଦ ମତଦେଲେ । ‘ରଜ’ ଶବ୍ଦକୁ ଜ୍ୟୋତିଷ ବିଷାରଦମାନେ ବିଶେଷ ଭାବେ ବାଖ୍ୟା କଲେ । ‘ର’ ର ଅର୍ଥ ସଂସାର, ‘ଜ’ର ଅର୍ଥ ଯୋଚିବା । ତେଣୁ ରାଜା ଜନକ ସଂସାରର ହିତ ପାଇଁ ନିଜେ ହଳ ଯୋଚିଲେ । ଯାହାଫଳରେ ଇନ୍ଦ୍ରଦେବ ସନ୍ତୁଷ୍ଟ ହୋଇ ମୂଷଳ ଧାରାରେ ବର୍ଷା କଲେ । ସେହି ବର୍ଷାକୁ ଦେଖି ମିଥିଳାବାସୀ ଉଲ୍ଲସୀତ ହୋଇ ଗୀତ ଗାଇ ନାଚିବାକୁ ଆରମ୍ଭ କଲେ ।

ରାଜା ଜନକ ହଳ ଯୋଚି ଭୂଇଁରୁ ସେହି କନ୍ୟା ସନ୍ତାନଟିକୁ ଉଦ୍ଧାର କରିଥିଲେ, ଯାହାଙ୍କ ନାମ ଥିଲା ସୀତା। ଗ୍ରୀଷ୍ମ ଶେଷ ଓ ଆଷାଢ ଆରମ୍ଭରେ ଏହା ହୋଇଥିବାରୁ ମିଥିଳାବାସୀ ଏହାକୁ ନାରୀମାନଙ୍କ ଉଦ୍ଦେଶ୍ୟରେ ସମର୍ପିଦେ‍ଇ ରଜ ପର୍ବ ଭାବେ ଆରମ୍ଭ କରିଥିଲେ।  ସେବେଠୁ ରଜପର୍ବ ପାଳନ ହେଉଥିବା ବିଶ୍ୱାସ ରହିଛି।

ବର୍ଷଯାକର ପାରିବାରିକ ଜଞ୍ଜାଳ ଓ ଜୀବିକା ନିର୍ବାହରେ ବ୍ୟସ୍ତତା ଭିତରେ ମନରେ ଭରିଥିବା ଶୋକ ଓ ଯନ୍ତ୍ରଣା ସବୁକୁ ଏହି ଦିନରେ ଦୂର କରିଦେବାର ନାରୀମାନେ ସମୟ ପାଇଥାନ୍ତି । ଘରେ ଘରେ ପିଠା, ମିଠା, ଆମ୍ବ ଓ ପଣସ ଆଦିର ପସରା ଜମେ । ପିଲାଠୁ ବୁଢ଼ାଯାଏ ସମସ୍ତେ ରଜ ପାନ ଖାଇ ଦୋଳିରେ ଝୁଲି , ଲୁଡୁ, ତାସ, ପସା, କବାଡ଼ି, ଆଦି ଖେଳରେ ମସଗୁଲ ହୋଇଯାଆନ୍ତି। ବିଶେଷକରି କୁମାରୀ ଓ ଭୂଆସୁଣୀ ମାନଙ୍କ ପାଇଁ ଏହି ପର୍ବ ଅତି ଆନନ୍ଦର ପର୍ବ । ରଜପର୍ବ ନିଜକୁ ସଜେଇ ହେବାର ପର୍ବ। ହାତରେ ମେହେନ୍ଦି, ଦେହରେ ହଳଦୀ,ପାଦରେ ସରୁ ଅଳତାର ଗାର ଟାଣି ସଜେଇ ହୁଅନ୍ତି ନାରୀମାନେ ।

ଆଜି ଆମେ ପାଶ୍ଚାତ୍ୟ ସଂସ୍କୃତିର ମାୟାଜାଲରେ କବଳିତ। ଆଧୁନିକତାର ସ୍ପର୍ଶରେ ଆମ ପର୍ବପର୍ବାଣୀର ମହକ ଧିରେ ଧିରେ ହଜିବାକୁ ବସିଛି। ଏହାସତ୍ୱେ ବି ରଜପର୍ବ ଆମ ଜୀବନ ଜୀବୀକା ଓ ସଂସ୍କୃତି ସହ ସ୍ୱତଃପ୍ରବୃତ ଭାବେ ଜଡ଼ିତ । ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ଗାଁଠୁ ସହର ଯାଏ ସମସ୍ତେ ଏହି ପର୍ବରେ ଭାଗନେଇ କିଛି କ୍ଷଣ ପାଇଁ ହୋଇଯାଆନ୍ତି ପ୍ରକୃତିମନସ୍କ।

Other Stories