ସେ ଜଣେ ମୃତ୍ୟୁବିଜୟୀ; ୪ ଜଣଙ୍କୁ ଜୀବନ ଦେଇ ନିଜେ ଚାଲିଗଲେ

ସୁରତ/ନୂଆଦିଲ୍ଲୀ: ଜୀବନ ଅଛି ତ ମୃତ୍ୟୁ ସୁନିଶ୍ଚିତ। କିନ୍ତୁ କିଛି ଲୋକ ମୃତ୍ୟୁ ପରେ ବି ସମସ୍ତଙ୍କ ହୃଦୟରେ ଜୀବିତ ଥାନ୍ତି। କାରଣ କର୍ମ ହିଁ ତାଙ୍କୁ ସମସ୍ତଙ୍କ ହୃଦୟରେ ଜୀବିତ ରଖିଥାଏ। ତାଙ୍କୁ ହିଁ ପ୍ରକୃତରେ ମୃତ୍ୟୁବିଜୟୀ ବୋଲି କୁହାଯାଏ।

ଆଜି ଆମେ ଆପଣଙ୍କୁ ସେହିଭଳି ମୃତ୍ୟୁବିଜୟୀ ଯୁବକଙ୍କ କଥା କହିବୁ। ଯାହାଙ୍କ କାହାଣୀ ଜାଣିଲେ ଆପଣ ବି ସାଲ୍ୟୁଟ୍‌ ନ କରି ରହିପାରିବେନି।

ଏହି କାହାଣୀ ହେଉଛି ସୁରତ୍‌ର ୧୮ ବର୍ଷିୟ ମିହିର ପଟେଲ୍‌ଙ୍କର। ମିହିର ଜଣେ ଆଇଟିଆଇ ଛାତ୍ର। ସେପ୍ଟେମ୍ବର ୧୦ ତାରିଖ ସୋମବାର ଦିନ ଏକ ସଡ଼କ  ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା।

ଟ୍ରକ୍‌ ଟି ହଠାତ୍‌ ମିହିର୍‌ଙ୍କ ବାଇକ୍‌କୁ ଧକ୍କା ଦେବା ପରେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ ଦୁର୍ଘଟଣାରେ ଗଭୀର ଆଘାତ ଯୋଗୁଁ ମିହିର୍‌ ଧୀରେ ଧୀରେ ମୃତ୍ୟୁ ଆଡ଼କୁ ଅଗ୍ରସର ହେଉଥିଲେ। ପରିବାର ଲୋକେ ମିହିରଙ୍କୁ ଫେରିପାଇବାର ଆଶା ହରାଇ ସାରିଥିଲେ। କିନ୍ତୁ ତାଙ୍କ ଶେଷ ଯାତ୍ରାକୁ ସ୍ମରଣୀୟ କରିବା ପାଇଁ ତାଙ୍କ ଘର ଲୋକେ ମିହିରଙ୍କ ଅଙ୍ଗ ଦାନ କରିବାକୁ ନିଷ୍ପତ୍ତି ନେଲେ।

ମିହିରଙ୍କ ପାଇଁ ବଞ୍ଚିଗଲା ୪ ଟି ଜୀବନ

ଦିଲ୍ଲୀରେ ଏକ ଡାକ୍ତରଖାନାରେ ଚିକିତ୍ସା ହେଉଥିବା ଗୋବିନ୍ଦ ମେହେରଙ୍କ ହାର୍ଟ ନଷ୍ଟ ହୋଇ ଯାଇଥିଲା। କୌଣସି ମତେ ଏକଥା ମିହିର ପରିବାର ଲୋକେ ଜାଣିବା ପରେ ହାର୍ଟ ଦେବାକୁ ଉଦ୍ୟମ ଆରମ୍ଭ କଲେ। ମାତ୍ର ୧୧୭ ମିନିଟ୍‌ରେ ୧୧୫୮ କିମି ଅତିକ୍ରମ ମିହିରଙ୍କ ହାର୍ଟ ଆସି ଗୋବିନ୍ଦଙ୍କ ଛାତିରେ ଲାଗିପାରିଥିଲା।

ଖାଲି ହାର୍ଟ କାହିଁକି ମିହିରଙ୍କ ଆଖି, କିଡ୍‌ନୀ, ଲିଭର୍‌ ସବୁକିଛି ଦାନ କରିଦେଲେ ତାଙ୍କ ପରିବାର ଲୋକେ। ମିହିରଙ୍କ କିଡ୍‌ନୀ ଜଣେ ୩୦ ବର୍ଷର ଯୁବକ ଓ ଜଣେ ୧୨ ବର୍ଷିୟ ବାଳକକୁ ଦିଆଗଲା। ସେହିଭଳି ତାଙ୍କ ଲିଭର୍‌ ଜଣେ ୫୦ ବର୍ଷର ମହିଳାଙ୍କ ଜୀବନ ବଞ୍ଚାଇଲା । ତାଙ୍କ ଆଖିକୁ ମଧ୍ୟ ଦାନ କରିଦିଆଗଲା।

ଦୁର୍ଘଟଣା ରୂପରେ ଆସିଥିବା ମୃତ୍ୟୁ ମହିରିଙ୍କ ଦେହକୁ କେବଳ ନେଇପାରିଥିଲା। କିନ୍ତୁ ଲୋକଙ୍କ ହୃଦୟରେ ସେ ଏବେ ବି ଜୀବିତ। ଗୋଟିଏ ଜୀବନ ନେଇ ପୃଥିବୀକୁ ଆସିଥିବା ମିହିରଙ୍କ ଆତ୍ମା ଏହି ଚାରିଜଣଙ୍କ ଠାରେ ମିଶିଗଲା।

You might also like