ଦୁର୍ଦ୍ଦିନରେ ମନ୍ଦିର ସେବାୟତ, ଓଳିଏ ଖାଇଲେ ଓଳିଏ ଉପାସ..

ଭୁବନେଶ୍ୱର: ବିଶ୍ୱକଲ୍ୟାଣ ପାଇଁ ବିଶ୍ୱନିୟନ୍ତାଙ୍କୁ ଗୁହାରୀ କରୁଥିବା ପୂଜକ କୂଳ ଆଜି ଦୁର୍ଦ୍ଦିନରେ । କରୋନାର ପ୍ରଥମ ଲହର ବେଳେ ଭକ୍ତଙ୍କ ପାଇଁ ମନ୍ଦିରରେ ତାଲା ପଡ଼ିବା ପରେ ଉଜୁଡ଼ି ଯାଇଥିଲା ଜୀବିକା । ସେହି ସଙ୍କଟରୁ ମୁକୁଳିବା ଆଗରୁ ପୁଣି ଏବେ ପାହାର ପକାଇଛି ଦ୍ୱିତୀୟ ଲହର । ମନ୍ଦିର ଗୁଡ଼ିକ ସର୍ବସାଧାରଣ ଦର୍ଶନ ବନ୍ଦ ପରେ ଭୁଶୁଡ଼ି ଯାଇଛି ଆର୍ଥିକ ମେରୁଦଣ୍ଡ । ଶ୍ରୀମନ୍ଦିରରୁ ସମଲେଇ ମନ୍ଦିର, ଯାଜପୁରର ବିରଜା ପୀଠରୁ ଜୟପୁରର ଭଗବତୀ ମନ୍ଦିର । ଘୋର ଆର୍ଥିକ ଦୁର୍ଦ୍ଦଶା ଦେଇ ଗତି କରୁଛନ୍ତି ସେବା ପୂଜା ସହ ଜଡ଼ିତ ଏଠାକାର ପୂଜକ ଏବଂ ସେବାୟତ ।

ଦିନେ ବଡ଼ଦାଣ୍ଡରେ ଲହଡ଼ି ଭାଙ୍ଗୁଥିଲା ଭକ୍ତଙ୍କର । ବଡ଼ ଦେଉଳର ସେହି ବଡ଼ଠାକୁରଙ୍କୁ ଡାକ ପକାଇ ଭକ୍ତ ଛୁଟି ଆସୁଥିଲା ଶ୍ରୀମନ୍ଦିର । ହେଲେ ମହାମାରୀର ମହାତାଣ୍ଡବ ପରଠୁ ଶୂନଶାନ୍, ଖାଁ ଖାଁ ଚତୁର୍ଦ୍ଦିଗ । ଯେଉଁ ହାତରେ ଭକ୍ତର ମଙ୍ଗଳକାମନା କରି ପ୍ରାର୍ଥନା କରୁଥିଲେ ସେବାୟତ, ସେହି ହାତକୁ ବାନ୍ଧି ବସିଛନ୍ତି ଭକ୍ତଶୂନ୍ୟ ଶ୍ରୀମନ୍ଦିରରେ । ବିଗିଡ଼ିଗଲାଣି ଆର୍ଥିକ ସ୍ଥିତି । କେବଳ ଯାହା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେବାୟତଙ୍କ ପରିବାର ପିଛା ମିଳୁଛି ମାତ୍ର ୫ ହଜାର । ତାପୁଣି ୩ ମାସକୁ ଥରେ । ହେଲେ ସେହି ସହାୟତାରେ ନା ପେଟ ପୁରୁଛି ନା ଆବଶ୍ୟକତା ମେଣ୍ଟାଇ ହେଉଛି । ଫଳରେ ଧନ୍ଧି ହୋଇଯାଉଛନ୍ତି ଶ୍ରୀମନ୍ଦିରର ନୀତିକାନ୍ତି ସହ ଜଡ଼ିତ ସେବାୟତ । ତେଣୁ ସ୍ୱତନ୍ତ୍ର ପ୍ୟାକେଜ୍ ଦାବି କରିଛନ୍ତି ସମସ୍ତେ ।

ବଡ଼ଦେଉଳ ସେବାୟତଙ୍କ ଯେତେବେଳେ ଏତେ ବଡ଼ ସଙ୍କଟ, ଅନ୍ୟ ଦେଉଳ ଏବଂ ପୀଠ ଗୁଡ଼ିକର ସେବାୟତ ଓ ପୂଜକଙ୍କ ଅବସ୍ଥା କଣ ନହେଉନଥିବ । ଯାଜପୁରର ପ୍ରସିଦ୍ଧ ଶକ୍ତିପୀଠ ମା’ ବିରଜାଙ୍କ ସେବାୟତ ରାମଚନ୍ଦ୍ର ପାଣିଙ୍କ ପରିବାରରେ ବୟସ୍କ ବାପା, ମା ଏବଂ ଛୋଟ ଛୋଟ ପିଲା ରହିଛନ୍ତି । ସର୍ବସାଧାରଣଙ୍କ ପାଇଁ ମନ୍ଦିର ବନ୍ଦ ଥିବାରୁ ଦୁଃଖର ପାହାଡ଼ ତାଙ୍କ ଉପରେ ଲଦି ହୋଇଯାଇଛି । କେବଳ ସେ ଜଣେ ନୁହଁନ୍ତି, ଅନେକ ସେବାୟତଙ୍କ ଅବସ୍ଥା ଦୟନୀୟ । ଓଳିଏ ଖାଇ ଓଳିଏ ଉପାସ ଅବସ୍ଥା ସମସ୍ତଙ୍କର । କାରଣ ସେବା ପୂଜାରେ ଭକ୍ତଙ୍କଠାରୁ ଯାହା କିଛି ଅର୍ଥ ମିଳିଥାଏ ହାତକୁ । ହେଲେ ଆଜିକୁ ଦୀର୍ଘ ମାସ ହୋଇ ଗଲାଣି ଭକ୍ତଶୂନ୍ୟ ହୋଇପଡ଼ିଛି ମନ୍ଦିର । ଦକ୍ଷିଣା ବିହୀନ ହୋଇଛନ୍ତି ସେବାୟତ ।

ସେହିଭଳି ଜୟପୁରର ଶ୍ରୀଜଗନ୍ନାଥ ମନ୍ଦିର ବାହାରେ ବି ତାଲା । ଭିତରେ ପୂଜା ପାଉଛନ୍ତି ଠାକୁର । ମନ୍ଦିରରୁ ଭକ୍ତଙ୍କୁ ଦୂରେଇ ଦେଇଛି ତାଲାବନ୍ଦ କଟକଣା । ତାହାରି ଭିତରେ ଘରେ ରହି ଭକ୍ତ ସିନା ଭଗବାନଙ୍କୁ ଡାକୁଛି, କିନ୍ତୁ ଭକ୍ତଙ୍କ ନିଇତି ଦାନ ଦକ୍ଷିଣାରେ ନିର୍ଭରଶୀଳ ପୂଜକଙ୍କ କିନ୍ତୁ ଏବେ ପେଟ ପୋଡୁଛି । ସହରର ଜଗନ୍ନାଥ ମନ୍ଦିର ହେଉ କିମ୍ବା ମାଭଗବତୀଙ୍କ ମନ୍ଦିର ସବୁଠି ଦୁର୍ଦ୍ଦଶା ଭିତରକୁ ଠେଲି ହୋଇଯାଇଛନ୍ତି ପୂଜକ । ସମ୍ବଲପୁରର ପ୍ରସିଦ୍ଧ ସମଲେଶ୍ୱରୀ ମନ୍ଦିରର ପୂଜକଙ୍କ ବି ସମାନ ଅବସ୍ଥା । ମନ୍ଦିର ବନ୍ଦ ଯୋଗୁ ଦାନ ନାହିଁ କି ଦକ୍ଷିଣା ନାର୍ହି । ତେଣୁ ମୁଖ୍ୟ ପୂଜକଙ୍କ କ୍ଷୋଭ, ରାସ୍ତାକଡ଼ ବେପାରୀଙ୍କ ପାଇଁ ସରକାରୀ ସହାୟତା, କିନ୍ତୁ ଧର୍ମ ଓ ସଂସ୍କୃତିର ରକ୍ଷା ସହ ବିଶ୍ୱର ମଙ୍ଗଳକାମନା କରୁଥିବା ପୂଜକଙ୍କ ପ୍ରତି ସରକାର ଚିନ୍ତା କରୁନାହାନ୍ତି ।

You might also like