ଗୁଗଲ ପ୍ଲେଷ୍ଟୋରରେ ସର୍ବାଧିକ ଡାଉନ୍ଲୋଡ୍ ହୋଇଥିବା ଆପ୍ ହେଲା ଟେଲିଗ୍ରାମ
ନୂଆଦିଲ୍ଲୀ: ହ୍ୱାଟ୍ସଆପ୍କୁ ମହଙ୍ଗାପଡ଼ିଲା ବ୍ୟବସାୟରେ ମନମାନି କରିବା। ନୂଆ ପ୍ରାଇଭେସ୍ ପଲିସି ଆଣିବା ପରେ ହ୍ୱାଟ୍ସଆପ୍ ଛାଡ଼ି ଗ୍ରାହକ ଏବେ ଟେଲିଗ୍ରାମ ମୁହାଁ ହୋଇଛନ୍ତି। ଧୀରେ ଧୀରେ ହ୍ୱାଟ୍ସଆପ୍ ବ୍ୟବସାୟରେ ଘାଟା ହେଉଥିବା ବେଳେ ଟେଲିଗ୍ରାମ ଲାଭ ହେଉଥିବା ଦେଖିବାକୁ ମିଳୁଛି। ଗ୍ରାହକ ଏବେ ହ୍ୱାଟ୍ସଆପ ଠାରୁ ମୁହଁ ଫେରାଇ ପ୍ଲେଷ୍ଟୋର୍ରୁ ଟେଲିଗ୍ରାମ ଆପ୍ ଇନ୍ଷ୍ଟଲ କରୁଛନ୍ତି।
ସେନ୍ସର ଟାୱାରର ଅପ୍ଡେଟ୍ ରିପୋର୍ଟ ଅନୁସାରେ, ଟେଲିଗ୍ରାମକୁ ଗୁଗୁଲ ପ୍ଲେଷ୍ଟୋର୍ରେ ସର୍ବାଧିକ ଥର ଡାଉନ୍ଲୋଡ୍ କରାଯାଇଛି। ଗୁଗୁଲ ପ୍ଲେଷ୍ଟୋର ଟପ୍ ଆପ୍ ମଧ୍ୟରୁ ଟେଲିଗ୍ରାମ ନବମସ୍ଥାନକୁ ଉତ୍ତିନ୍ନ ହୋଇଛି। ସେହିପରି ଆପଲ୍ ଆପ୍ ଷ୍ଟୋର୍ରେ ଟେଲିଗ୍ରାମ ଚତୁର୍ଥ ସର୍ବାଧିକ ଡାଉନ୍ଲୋଡ୍ ଆପ୍ ହୋଇପାରିଛି। ତେବେ ମୋଟ ଡାଉନ୍ଲୋଡ୍କୁ ଦେଖିଲେ ଟେଲିଗ୍ରାମ ସର୍ବାଧିକ ଡାଉନ୍ଲୋଡ୍ ହୋଇଥିବା ଆପ୍ ବୋଲି କମ୍ପାନୀ ଦାବି କରିଛି।
ରିପୋର୍ଟ ଅନୁସାରେ “ ନନ୍ ଗେମିଁ ଆପ୍ ହିସାବରେ ଟେଲିଗ୍ରାମ ୨୦୨୧ ଜାନୁଆରୀ ମାସ ସୁଧା ସାରା ବିଶ୍ୱରେ ସର୍ବାଧିକ ଥର ଡାଉନ୍ଲୋଡ ହୋଇଛି। ୬୩ ମିଲିୟନ ଥର ଇନ୍ଷ୍ଟଲ୍ ହୋଇଥିବା ବେଳେ ୨୦୨୦ ଜାନୁଆରୀରେ ଏହି ଆପ୍କୁ ୩.୮ ଥର ଡାଉନ୍ଲୋଡ କରାଯାଇଛି। ତେବେ ଭାରତରେ ଏହି ଆପ୍କୁ ସବୁଠାରୁ ଅଧିକ ଡାଉନ୍ଲୋଡ କରାଯାଇଛି। ଭାରତରେ ୨୪ ପ୍ରତିଶତ ଡାଉନଲୋଡ ହୋଇଥିବା ବେଳେ ଇଣ୍ଡୋନେସିଆ ୧୦ ପ୍ରତିଶତ ଟେଲିଗ୍ରାମ ଡାଉନଲୋଡ ହୋଇଛି।”
ଆଶ୍ଚର୍ଯ୍ୟର କଥା ହେଲା ଭାରତରେ ବ୍ୟାନ ସତ୍ତ୍ୱେ ଟିକ୍ଟକ୍ ଦ୍ୱିତୀୟ ନନ୍ ଗେମିଂ ଆପ୍ ଭାବେ ସର୍ବାଧିକ ଡାଉନ୍ଲୋଡ ହୋଇଛି। ରିପୋର୍ଟରେ କୁହାଯାଇଛି “ଗତ ମାସରେ ୬୨ ମିଲିୟନ ଇନଷ୍ଟଲ୍ ସହିତ ଟିକ୍ଟକ୍ ସାରା ବିଶ୍ୱରେ ସର୍ବାଧିକ ଡାଉନ୍ଲୋଡ ହୋଇଥିବା ନନ୍ ଗେମିଂ ଆପ୍ ମଧ୍ୟରେ ଦ୍ୱିତୀୟ ସ୍ଥାନରେ ରହିଛି। ଚାଇନାରେ ଦୌୟିନ ଆପ୍ ନାମରେ ପରିଚିତ ଟିକ୍ଟକ୍ ଆପ୍କୁ ସର୍ବାଧିକ ୧୭ ପ୍ରତିଶତ ଡାଉନ୍ଲୋଡ କରାଯାଇଛି। ସେହିପରି ଆମେରିକାରେ ଟିକ୍ଟକ୍ ୧୦ ପ୍ରତିଶତ ଡାଉନ୍ଲୋଡ କରାଯାଇଛି। ଅନ୍ୟପଟେ ଜାନୁଆରୀ ମାସ ସୁଧା ସିଗ୍ନାଲ, ଫେସ୍ବୁକ, ଏବଂ ହ୍ୱାଟ୍ସଆପ୍ ସର୍ବାଧିକ ଡାଉନ୍ଲୋଡ ହୋଇଥିବା ନନ୍ ଗେମିଂ ଆପ୍ ମଧ୍ୟରେ ଟପ୍ ୫ ସ୍ଥାନରେ ରହିଛନ୍ତି।”
ତେବେ ହ୍ୱାଟ୍ସଆପ୍ ଠାରୁ ଗ୍ରାହକଙ୍କୁ କେମିତି ଅଧିକ ସୁବିଧା ଦେଇ ହେବ ସନେଇ କାମରେ ଲାଗିପଡ଼ିଛି ଟେଲିଗ୍ରାମ। ନିକଟରେ ଟେଲିଗ୍ରାମ ନିଜର ସଫଳତା ବଖାଣିଥିଲା। ଜାନୁଆରୀ ମାସରେ ହିଁ ୧୦ ମିଲିୟନ୍ ୟୁଜର୍ସ ବଢ଼ିଥିବା ଟେଲିଗ୍ରାମ କହିଥିଲା। ତା ସହିତ କେମିତି ହ୍ୱାଟ୍ସଆପ୍ରୁ ସବୁ ଚାଟ୍ ଟେଲିଗ୍ରାମକୁ ଆଣିପାରିବେ ସେ ନେଇ ମଧ୍ୟ ଟିପ୍ସ ଲୋକଙ୍କୁ କହିଥିଲା କମ୍ପାନୀ।