କାଶ୍ମୀରରୁ କନ୍ୟାକୁମାରୀ, ଗୋଟିଏ ଗୋଡ଼ରେ ୨୮୦୦ କିମି ସାଇକେଲ ଚଳାଇ ନୂଆ କୀର୍ତ୍ତିମାନ କଲେ ତାନ୍ୟା ଡାଗା

୩୦୦୦ ହଜାର ଷ୍ଟିଚ୍, ୨ ଟି ଅସ୍ତ୍ରୋପଚାର ୬ ମାସର ଚିକିତ୍ସା, ସମୟର ପ୍ରତିକୂଳ ସ୍ରୋତ ଛଡ଼ାଇ ପାରିଲାନ୍ତି ଆତ୍ମବିଶ୍ୱାସ

ରାଜଗଡ : ତାନ୍ୟା ଏକ କାହାଣୀ, ତାନ୍ୟା ଏକ ପ୍ରେରଣା, ତାନ୍ୟା ଏକ ଆଶାର କିରଣ । ସେହି ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଯେଉଁମାନେ କଠିନ ପରିସ୍ଥିତିରେ ହାର ମାନିଯାଆନ୍ତି । ସମୟର ପ୍ରତିକୂଳ ସ୍ରୋତ ଛଡ଼ାଇ ପାରିଲାନ୍ତି ଆତ୍ମବିଶ୍ୱାସ ।  ଗୋଡ଼ ହରାଇଲା ପରେ ବି ସକ୍ଷମଙ୍କ ପରି ସଂଘର୍ଷ କରି ସଫଳ ହୋଇଛନ୍ତି ଦିବ୍ୟାଙ୍ଗ ଯୁବତୀ । କିଛି ଭିନ୍ନ କରିବାର ପ୍ରୟାସ ନେଇ ଗୋଟିଏ ଗୋଡରେ ସାଇକେଲ ଚଲାଇ କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଯାଇଛନ୍ତି । ୪୩ ଦିନରେ  ଦେଶର ଏ ପ୍ରାନ୍ତରୁ ସେ ପ୍ରାନ୍ତ ପର୍ଯ୍ୟନ୍ତ ୨୮୦୦ କିଲୋମିଟର ଯାତ୍ରା କରି ଉଦାହରଣ ସୃଷ୍ଟି କରିଛନ୍ତି ।

ମଧ୍ୟପ୍ରଦେଶର ରାଜଗଡ ଜିଲ୍ଲାର ୨୫ ବର୍ଷିୟ ତାନ୍ୟା ଡାଗା । ଏମବିଏ ପଢ଼ିବା ପାଇଁ ଦେହରାଡୁନ୍ ଯାଇଥିବା ସମୟରେ ଭୟଙ୍କର ଦୁର୍ଘଟଣାର ଶିକାର ହୋଇ ଗୋଟିଏ ଗୋଡ଼ ହରାଇଥିଲେ । ୩୦୦୦ ହଜାର ଷ୍ଟିଚ୍, ୨ ଟି ଅସ୍ତ୍ରୋପଚାର ୬ ମାସର ଚିକିତ୍ସା ମଧ୍ୟରେ ବଞ୍ଚିବାର ଗ୍ୟାରେଣ୍ଟି ନଥିଲା । ଦୁର୍ଘଟଣାରେ ଗୋଟିଏ ଗୋଡ ହରାଇବା ପରେ ମଧ୍ୟ ସେ ହାର ମାନିନଥିଲେ ଏବଂ ପାରା ଆଥଲେଟ୍ ଭାବରେ ଜୀବନ ସଂଘର୍ଷ ଆରମ୍ଭ କରିଥିଲେ । ଗୋଡ଼ କଟିବା ପରେ ତାନ୍ୟା, ମେହତା ଫାଉଣ୍ଡେସନ ସହ ଯୋଡ଼ିହୋଇ ସାଇକେଲିଂ ଆରମ୍ଭ କରିଥିଲେ । ସାଇକେଲ ଚଳାଇବା ସମୟରେ ଗୋଡ଼ରୁ ତାଙ୍କର ଧାର ଧାର ରକ୍ତ ବୋହି ଯାଉଥିଲା । କଷ୍ଟ ଅସହ୍ୟ ହେଉଥିଲେ ହେଁ, ଥକିଯାଇ ନଥିଲେ ତାନ୍ୟା । ଲଗାତାର ପ୍ରୟାସ ଜାରି ରଖିଥିଲେ ।  ତେବେ ଏହି ସଂଘର୍ଷ ସମୟରେ ତାଙ୍କ ବାପା ତାଙ୍କର ମନୋବଳ ବଢାଇଥିଲେ ।

୨୦୨୦ ନଭେମ୍ବର ୧୯ ତାରିଖରେ କାଶ୍ମୀରରୁ କନ୍ୟାକୁମାରୀ ଯାତ୍ରା ପାଇଁ ନିଜ ଅଭିଯାନ ଆରମ୍ଭ କରିଥିଲେ । ଏହି ଅଭିଯାନରେ ବାହାରିଥିବା ୩୦ ଜଣିଆ ଗ୍ରୁପରେ ତାନ୍ୟାଙ୍କ ସମେତ ଥିଲେ ୮ଜଣ  ଥିଲେ ପାରା ସାଇକେଲ ଚାଳକ । ସାରା ଦେଶରେ ପାରା ସ୍ପୋର୍ଟ୍ସ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ପାଣ୍ଠି ସଂଗ୍ରହ ପାଇଁ  ଏହା ଥିଲା ଏକ ସମର୍ଥନ ଅଭିଯାନ ।  କିନ୍ତୁ ଏତିକିରେ ତାଙ୍କର ପିଛା ଛାଡ଼ିଲାନି ଦୁର୍ଭାଗ୍ୟ । ଯାତ୍ରାର କିଛି ଦିନ ପରେ ହିଁ ତାଙ୍କ ବାପାଙ୍କ ଦେହାନ୍ତ ହୋଇଗଲା । ବାପାଙ୍କ ମୃତ୍ୟୁ ପରେ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲେ ତାନ୍ୟା । ଅଭିଯାନ ଅଧାରେ ଛାଡି ତାଙ୍କୁ ଘରକୁ ଫେରିବାକୁ ପଡ଼ିଲା । ତଥାପି ତାଙ୍କର ମନୋବଳ ଭାଙ୍ଗିଲାନି ।  ଅନ୍ତିମ ସଂସ୍କାର ପରେ ବାପାଙ୍କ ସ୍ୱପ୍ନ ପୁରା କରିବାକୁ ସେ ପୁଣି ଅଭିଯାନ ଆରମ୍ଭ କଲେ । ଆଉ ସଫଳତା ପୂର୍ଣ୍ଣ ଯାତ୍ରା ସମାପ୍ତ କରିଥିଲେ ।

ତେବେ ଯାତ୍ରା ଶେଷ ନିଜ ସହରକୁ ଫେରିବା ପରେ ଲୋକମାନେ ତାଙ୍କୁ ଫୁଲମାଳ ସହିତ ବିରାଟ ସମାରୋହର ଆୟୋଜନ କରି ସ୍ୱାଗତ କରିଥିଲେ ଏବଂ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ । ସବୁଠାରୁ ବଡ଼ କଥା ହେଲା ଦେଶର ପ୍ରଥମ ମହିଳା ପାରା ସାଇକେଲ ଚାଳକ ଭାବେ ନୂଆ କୀର୍ତ୍ତିମାନ କରିଛନ୍ତି ତାନ୍ୟା ।

ସେପଟେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ସଫଳତାଙ୍କ ସାହସକୁ ଭୁରି ଭୁରି ପ୍ରଶଂସା କରିଛନ୍ତି । ସାହସ, ପ୍ରବଳ ଇଛାଶକ୍ତି ଆଗରେ ସମସ୍ତ ବାଧାବିଘ୍ନ ହାର ମାନେ । ସେ ରାଜ୍ୟକୁ ଗୌରବାନ୍ୱିତ କରି  ସଫଳତାର ଫର୍ଦ୍ଦ ଯୋଡ଼ିଛନ୍ତି ।ଜୀବନର ସବୁ ଚ୍ୟାଲେଞ୍ଜକୁ ପାର କରି ଆଗେ ଯାଅ, ମୋର ଶୁଭେଚ୍ଛା ଓ  ଶୁଭକାମନା ସବୁବେଳେ ତୁମ ସହ ଅଛି ବୋଲି ସେ କହିଛନ୍ତି ।

You might also like