ଡାକ୍ତରୀ ପାଠ ପଢ଼ି ନାହାନ୍ତି କିନ୍ତୁ ଡାକ୍ତରଙ୍କଠୁ କମ୍‌ ନୁହନ୍ତି

ଭୁବନେଶ୍ୱର: ଯେଉଁ କାମ କଥା ଭାବିଲେ ସାଧାରଣ ଲୋକଙ୍କ ଦେହ ଶିହିରି ଉଠେ, ସେହି କାର୍ଯ୍ୟରେ ଦିନ ତମାମ ବ୍ୟସ୍ତ ଥାନ୍ତି ରାମଚନ୍ଦ୍ର ବାଇଡଙ୍ଗ(୬୨)। ନିଜର ଅଧିକାଂଶ ସମୟ କଟାଇ ଦେଇଛନ୍ତି ଶବ ବ୍ୟବଚ୍ଛେଦ ଗୃହରେ। ନା ସେ ଡାକ୍ତରୀ ପାଠ ପଢ଼ିଛନ୍ତି ନା ତାଲିମ ନେଇଛନ୍ତି। ହେଲେ ସେ ଯାହା କରୁଛନ୍ତି ତାହା କୌଣସି ଡାକ୍ତରଙ୍କଠୁ କମ୍ ନୁହେଁ।

ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲ୍‌ର ଚତୁର୍ଥ ଶ୍ରେଣୀ କର୍ମଚାରୀ ହେଉଛନ୍ତି ରାମଚନ୍ଦ୍ର। ଗତ ୨୦ ବର୍ଷ ଧରି ଫରେନ୍ସିକ ବିଭାଗରେ ସେ କାମ କରୁଛନ୍ତି। ମୃତଦେହ ବ୍ୟବଚ୍ଛେଦରେ ତାଙ୍କର ପ୍ରଚ୍ଛନ୍ନ ହାତ ରହିଛି। ଇତି ମଧ୍ୟରେ ସେ ୨୦ ହଜାରରୁ ଅଧିକ ମୃତଦେହ ବ୍ୟବଚ୍ଛେଦରେ ସହାୟତା କରି ଆସିଛନ୍ତି। ସକାଳଠୁ ସଞ୍ଜ ଯାଏ ମୃତଦେହ ସହ ରହୁଥିବା ରାମଚନ୍ଦ୍ର ଅବସର ନେଲେଣି, ହେଲେ ତାଙ୍କୁ ପୁଣି ଟାଣି ଆଣିଛି ହସ୍ପିଟାଲ୍।

ହସ୍ପିଟାଲ୍‌ର ଫରେନ୍ସିକ ବିଭାଗକୁ ଆସୁଥିବା ପ୍ରତ୍ୟେକଟି ମୃତଦେହ ବ୍ୟବଚ୍ଛେଦ ବେଳେ ରାମଚନ୍ଦ୍ରଙ୍କ ଭୂମିକା ରହିଛି। ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ପ୍ରତ୍ୟେଙ୍ଗ ବାହାର କରିବା କାମରେ ରାମଚନ୍ଦ୍ର ଡାକ୍ତରୀ ଟିମ୍‌କୁ ସହାୟତା କରିଥାନ୍ତି। ବର୍ଷେ କି ଦୁଇ ବର୍ଷ ନୁହେଁ, ଗତ ୨୦ ବର୍ଷ ଧରି ସେ ଏଭଳି କାମ କରି ଆସୁଛନ୍ତି। ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ଏଥିପାଇଁ ରାମଚନ୍ଦ୍ର କୌଣସି ଡାକ୍ତରୀ ଡିଗ୍ରୀ ହାସଲ କରି ନାହାନ୍ତି। ହେଲେ ଡାକ୍ତରୀ ପାଠ ପଢ଼ି ଆସୁଥିବା ପିଲା ବି ରାମଚନ୍ଦ୍ରଙ୍କଠୁ ତାଲିମ ନେଇଥାନ୍ତି।

୨୦୦୦ ମସିହାରେ ପ୍ରଥମେ ପ୍ରଥମେ କିଛିଟା ଡର ଅନୁଭବ କରିଥିଲେ ରାମଚନ୍ଦ୍ର। ହେଲେ ଏବେ ଆଉ ସେଭଳି ପରିସ୍ଥିତି ଉପୁଜିନି। ପ୍ରତିଦିନ ୩ରୁ ୪ଟି ମୃତଦେହ ବ୍ୟବଚ୍ଛେଦରେ ସେ ସହାୟତା କରିଥାନ୍ତି। କ୍ୟାପିଟାଲ୍ ହସ୍ପିଟାଲ୍ ଫରେନ୍ସିକ ବିଭାଗରେ ଡାକ୍ତର ଆସନ୍ତିଯାନ୍ତି, ହେଲେ ରାମଚନ୍ଦ୍ର ସେହିଭଳି ରହିଛନ୍ତି। ୨ ବର୍ଷ ତଳୁ ଅବସର ନେଲେଣି, ତଥାପି ସ୍ୱଳ୍ପ ପାରିଶ୍ରମିକରେ ଏବେ ବି କାମ କରୁଛନ୍ତି।

You might also like