ବିଶ୍ୱବିଜୟୀ ସ୍ୱାମୀ ବିବେକାନନ୍ଦ, ମାତ୍ର ୩୦ବର୍ଷ ବୟସରେ ଧର୍ମ ସଂସଦରେ ଦେଇଥିଲେ ମର୍ମସ୍ପର୍ଶୀ ଭାଷଣ

ଅଗ୍ନିଶିଖା ସଦୃଶ ଥିଲା ତାଙ୍କ ଭାଷଣ

ଯୁବପିଢୀଙ୍କ ପାଇଁ ପ୍ରେରଣାର ସ୍ରୋତ ସ୍ୱାମୀ ବିବେକାନନ୍ଦ। ସନାତନ ଧର୍ମକୁ ବିଶ୍ୱଦରବାରରେ ପରିଚିତ କରିବାରେ ଏହି ମହାନ୍ ବ୍ୟକ୍ତିଙ୍କ ଅବଦାନ ଅତୁଳନୀୟ । ଗୈରିକ ବସନ, ମଥାରେ ଗେରୁଆ ପଗଡ଼ି, ଢ଼ିଲା ପାଇଜାମାରେ ଶାନ୍ତ ସୌମ୍ୟ ଚେହେରା । ମୁଖମଣ୍ଡଳରେ  ଅଗ୍ନି ପରି ତେଜ । ଆକାଶର ବ୍ୟାପ୍ତି ଆଉ ହୃଦୟ ତାଙ୍କର ସିନ୍ଧୁ ପରି ଗଭୀର । ସେ ଥିଲେ ଜଣେ ପୂର୍ଣ୍ଣାଙ୍ଗ ପୁରୁଷ । ବିବେକାନନ୍ଦଙ୍କ ଅମୂଲ୍ୟ ବିଚାର ମନରେ ନୂତନ ଶକ୍ତିର ସଞ୍ଚାର କରେ। ତାଙ୍କ ବିଚାରରେ ଏପରି ଅଦ୍ଭୁତ କ୍ଷମତା ଥିଲା, ଯାହା ଅନ୍ୟକୁ ଖୁବ ଶୀଘ୍ର ପ୍ରଭାବିତ କରିପାରୁଥିଲା । ଛୋଟବେଳୁ ତାଙ୍କ ମନରେ ଧର୍ମଭାବ ପରିଲକ୍ଷିତ ହୋଇଥିଲା । ଭାରତୀୟ ସଂସ୍କୁତି ବିବେକାନନ୍ଦଙ୍କୁ ବହୁତ ଆନନ୍ଦ ଦେଇଥିଲା କିନ୍ତୁ ଦେଶର ଦ୍ରାରିଦ୍ୟ ଓ ଅଶିକ୍ଷା ତାଙ୍କୁ ମର୍ମାହତ କରୁଥିଲା । ମାତ୍ର ୨୫ ବର୍ଷ ବୟସରୁ ଘର ଛାଡ଼ି ହିନ୍ଦୁ ଧର୍ମର ପ୍ରଚାର କରୁଥିଲେ ସ୍ୱାମୀ ବିବେକାନନ୍ଦ ।

ଏକ ନକ୍ଷତ୍ରର ଉଦୟ . . . 
୧୮୬୩ ଜାନୁଆରୀ ୧୨ ତାରିଖ! ମକର ସଂକ୍ରାନ୍ତିରେ କଲିକତାରେ ବିଶ୍ୱନାଥ ଦତ୍ତ ଓ ଭୁବନେଶ୍ୱରୀ ଦେବୀଙ୍କର କୋଳରେ ଇଶ୍ୱରୀୟ ଶକ୍ତି ନେଇ ଜନ୍ମ ନେଇଥିଲେ ନରେନ୍ଦ୍ରନାଥ ଦତ୍ତ । ବାପାମା’ ତାଙ୍କୁ ଆଦରରେ ବିଲେ ବୋଲି ଡାକୁଥିଲେ।  ପ୍ରଖର ମେଧା, ଅଦ୍ଭୁତ ଧୀଶକ୍ତି ନେଇ ଜନ୍ମଗ୍ରହଣ କରିଥିଲେ ସ୍ୱାମୀ ବିବେକାନନ୍ଦ । ପିଲାବେଳେ ନରେନ୍ଦ୍ର ଖୁବ୍‌ ଏକଜିଦିଆ ଓ ଦୁଷ୍ଟ ଥିଲେ।

ହେଲେ ଖୁବ ଉଦାର ଥିଲେ ସ୍ୱାମୀ ବିବେକାନନ୍ଦ। ଦୁଃଖୀରଙ୍କି ଓ ସାଧୁ ଫକିରଙ୍କୁ ଦେଖି ତାଙ୍କର ହୃଦୟ ବିଳପି ଉଠୁଥିଲା । କେହି ଭିକ ମାଗିବା ପାଇଁ ଆସିଲେ ଘରୁ ସେ ଚାଉଳ ଡାଲି, ପଇସା, ଯାହା ପାଆନ୍ତି ସବୁ ଦେଇଦିଅନ୍ତି । ଏପରିକି ଦୁଃସ୍ଥ, ଅସହାୟଙ୍କ ପାଇଁ ନିଜର ପିନ୍ଧାଲୁଗା ଖଣ୍ଡିକ ମଧ୍ୟ ସେ କାଢ଼ି ଦେଇଛନ୍ତି । ସର୍ବହରାମାନଙ୍କ ମୁହଁରେ ହସ ଦେଖି ତାଙ୍କ ପ୍ରାଣ  ଆତ୍ମତୃପ୍ତିରେ ଭରି ଉଠେ ।

ଆହୁରି ପଢ଼ନ୍ତୁ: ସ୍ୱାମୀ ବିବେକାନନ୍ଦଙ୍କ ସ୍କୁଲ୍‌ ଜୀବନର ୨ଟି ଅଦ୍ଭୁତ ଘଟଣା

ପାଠ ପଢ଼ିବାରେ ସ୍ୱାମୀ ବିବେକାନନ୍ଦ ଏକ ଅଦ୍ଭୁତ ଦକ୍ଷତା ଥିଲା। ଗୋଟିଏପଟେ ସେ ଭଗବଦ୍-ଗୀତା, ବେଦ-ଉପନିଷଦ ଉପରେ ରୁଚି ରଖୁଥିବା ବେଳେ ଅନ୍ୟପଟେ ସେ ପାଶ୍ଚାତ୍ୟ ଦର୍ଶନ, ଇତିହାସ ଏବଂ ଆଧ୍ୟାତ୍ମିକତାକୁ ମଧ୍ୟ ଗଭୀର ଭାବରେ ଅଧ୍ୟୟନ କରିଥିଲେ। ବିବେକାନନ୍ଦ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତରେ ନିପୁଣ ଥିଲେ। ଶାରିରୀକ ବ୍ୟାୟାମ ଓ କ୍ରୀଡ଼ାରେ ମଧ୍ୟ ସକ୍ରିୟ ଅଂଶ ଗ୍ରହଣ କରୁଥିଲେ ।

୧୮୯୩ ମସିହା ସେପ୍ଟେମ୍ବର ୧୧!  ପ୍ରାଚ୍ୟ ଦେଶର ଜଣେ ଶ୍ୟାମଳ ସନ୍ୟାସୀ ଚିକାଗୋରେ ଅନୁଷ୍ଠିତ ହୋଇଥିବା ବିଶ୍ୱ ଧର୍ମ ସମ୍ମିଳନୀରେ ଐତିହାସିକ ଭାଷଣ ଦେଇ ବିଶ୍ୱରେ ଚହଳ ପକାଇଥିଲେ। ହିନ୍ଦୁ ଧର୍ମ ଉପରେ ମର୍ମସ୍ପର୍ଶୀ ଭାଷଣଦେଇ ଇତିହାସ ସୃଷ୍ଟି କରିଥିଲେ । ପ୍ରଥମେ ମୋର ଆମେରିକାର ପ୍ରିୟ ଭାଇ ଓ ଭଉଣୀମାନେ ରୁ ନିଜ ଭାଷଣ ଆରମ୍ଭ କରିଥିଲେ ବିବେକାନନ୍ଦ । ଆଉ ସେତେବେଳେ ସଭାଗୃହ କରତାଳିରେ ଫାଟି ପଡ଼ିଥିଲା । ପ୍ରାୟ ପାଞ୍ଚ ମିନିଟ ପର୍ଯ୍ୟନ୍ତ ଗୃହରେ ଲଗାତାର ତାଳି ମାଡ଼ ହୋଇଥିଲା। ତାଙ୍କ ଭାଷଣ  ଅଗ୍ନିଶିଖା ସଦୃଶ ଥିଲା । ବିଶ୍ୱ ଧର୍ମ ମହାସଭାରେ ଭାରତକୁ ଗୌରବାନ୍ୱିତ କରିବା ପରେ, ତାଙ୍କୁ ବିଭିନ୍ନ ଫୋରମ୍ ତଥା ସସଂସ୍ଥା ପକ୍ଷରୁ  ଭାଷଣ ଦେବାକୁ ନିମନ୍ତ୍ରଣ କରାଯାଉଥିଲା । ତାଙ୍କ ଭାଷଣରେ ଥିଲା ସତେ କି ଯାଦୁ, ଶୁଣୁଥିବା ଲୋକ ଅଭିଭୂତ ହେବା ସହ ମନ୍ତ୍ରମୁଗ୍ଧ ହୋଇ ଶୁଣୁଥିଲେ ।

ତେବେ ଆଜି ଆମ ଗହଣରେ ସ୍ୱାମୀ ବିବେକାନନ୍ଦ ନଥିଲେ ବି ତାଙ୍କର ବିଚାରଧାରରୁ ଏବେ ପ୍ରେରଣା ପାଉଛନ୍ତି ଯୁବଗୋଷ୍ଠୀ । ବିଶ୍ୱବିଜୟୀ ବିବେକାନନ୍ଦ ଏବେ ବି ସମସ୍ତଙ୍କ ହୃଦୟରେ ଅଛନ୍ତି।

You might also like