ସୁଷମାଙ୍କ ଯୁକ୍ତିରେ ପ୍ରଶ୍ନ ଭୁଲିଗଲେ ପାକିସ୍ତାନ ଆଙ୍କର୍

ତୁମେ ପୂର୍ବପୁରୁଷମାନେ ନେଇଥିବା ନିଷ୍ପତିର ଭୁଲ ବିଚାର କରୁଛ। ତୃତୀୟ ପକ୍ଷ ଉପସ୍ଥିତି ଦ୍ୱାରା ନା ପାକିସ୍ତାନର ଲାଭ ହେବ ନା ହିନ୍ଦୁସ୍ଥାନର। ତୃତୀୟ ଯିଏ ଆସିବ ସିଏ ନା ପାକିସ୍ତାନର ହେବ ନା ହିନ୍ଦୁସ୍ଥାନର। ସେ ତା' ନିଜର କଥା ହିଁ କହିବ। ତେଣୁ ଆପଣ ବି ନିଜ ଦେଶକୁ କହିଦିଅନ୍ତୁ, ତୃତୀୟ ପକ୍ଷକୁ ଡାକି ନିଜର ଆଉ କ୍ଷତି ନ କରନ୍ତୁ।

ନୂଆଦିଲ୍ଲୀ: ଲାଜବାବ୍‌ ସୁଷମାଙ୍କ ଭାଷଣ। ଅକାଟ୍ୟ ତାଙ୍କର ଯୁକ୍ତି। ତାଙ୍କ ବକ୍ତବ୍ୟର ପ୍ରତ୍ୟେକଟି ଶବ୍ଦ କହେ ଗୋଟିଏ ଗୋଟିଏ କଥା। ସେ ଶବ୍ଦର ଯେମିତି ବିକଳ୍ପ ନାହିଁ।  କୋମଳ, ଲାଳିତ୍ୟପୂର୍ଣ୍ଣ ଢଙ୍ଗରେ ସେ ଏମିତି ତାଙ୍କର ଯୁକ୍ତି ଉପସ୍ଥାପନ କରନ୍ତି, ପ୍ରତିପକ୍ଷ ଚୁପ୍‌ ହେବାକୁ ବାଧ୍ୟ ହୋଇଥାଏ। ତାଙ୍କର ଆବର୍ତ୍ତମାନରେ ଆଜି ମନେପଡେ ସେଇସବୁ କଥା, ଯୁକ୍ତି, ଭାଷଣ ଆଉ ଅଭିଭାଷଣ।

ଏଇ ପରିପ୍ରେକ୍ଷୀରେ ଆମେ ତାଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ସାକ୍ଷାତକାର ଉପରେ କହିବାକୁ ଚାହିଁବୁ ଯାହା ସେ ଦେଇଥିଲେ ପାକିସ୍ତାନର ‘ପି’ ଟିଭିକୁ। ତାଙ୍କର ଅକାଟ୍ୟ ଯୁକ୍ତି ଚୁପ୍‌ କରିଦେଇଥିଲା ପାକ ଆଙ୍କରଙ୍କୁ।

କାରଗିଲ୍‌ ଯୁଦ୍ଧର ରକ୍ତଛିଟା ଭାରତୀୟଙ୍କ ମନରୁ ଲିଭି ନ ଥାଏ। ମାର୍ଚ୍ଚ ୨୦୦୨ରେ ପାକିସ୍ତାନରେ ଆୟୋଜିତ ହେଲା ସାର୍କ ବୈଠକ। ବିବାଦ ସତ୍ତ୍ୱେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ ତତ୍କାଳୀନ ସୂଚନା ଓ ପ୍ରତିରକ୍ଷା ମନ୍ତ୍ରୀ ସୁଷମା ସ୍ୱରାଜ। ସେହି ସମୟରେ ପାକ୍‌ ଟିଭି ପକ୍ଷରୁ ଏକ ସାକ୍ଷାତ୍‌କାର ନିଆଯାଇଥିଲା ଏବଂ ଟେଲିଭିଜନରେ ଏହାର ସିଧା ପ୍ରସାରଣ କରାଯାଇଥିଲା। ‘ପି’ ଟିଭିରେ ସୁଷମାଙ୍କର ସେହି ସାକ୍ଷାତକାରକୁ ଭାରତ ଘରେ ଘରେ ଲୋକେ ଦେଖୁଥିଲେ। ଆଉ ଗର୍ବର ସହ କହୁଥିଲେ, ‘ପାକିସ୍ତାନ ମାଟିରେ ଧନ୍ୟ କରିଦେଲେ ଭାରତକୁ ।’

ପାକ୍‌ ଆଙ୍କର ସଇଦ୍‌ ତଲତ ହୁସେନଙ୍କ ପ୍ରଶ୍ନର ଉତ୍ତର ହସି ହସି ଦୃଢତା ଆଉ ବୀରତାର ସହ ଦେଉଥିଲେ ସୁଷମା। ସେ ଉତ୍ତର ଥିଲା ଯେତିକି ସାବଲୀଳ ସେତିକି ଶାଣିତ । ସେ ଶବ୍ଦର ଖଣ୍ଡାଧାରରୁ ବର୍ତ୍ତିବା ପାଇଁ ଭାଷା ନ ଥିଲା ତଲତଙ୍କ ପାଖରେ। ଚୁପ୍‌ ହୋଇଯାଇଥିଲେ। ପଢ଼ନ୍ତୁ ସେଇ ସାକ୍ଷାତକାରରୁ କିଛି ଅଂଶ…

ତଲତଙ୍କ ପ୍ରଶ୍ନ ଥିଲା ପ୍ରେସିଡେଣ୍ଟ ମୁଶାରଫ ଭିଜା ଏବଂ ବିମାନ ଉଡ଼ାଣ ଉପରେ କଟକଣା ଲଗାଇଲେ। ଏ ପ୍ରସଙ୍ଗରେ ହିନ୍ଦୁସ୍ଥାନ ସରକାରଙ୍କ ମତ କ’ଣ ?

ସୁଷମାଙ୍କ ଉତ୍ତର ଥିଲା ଖୁବ୍‌ ସାବଲୀଳ। ହସି ହସି କହିଥିଲେ, ଆଶ୍ଚର୍ଯ୍ୟ ଲାଗୁଛି ମୁଶାରଫ ସାର୍କ ବୈଠକରେ ଏପରି ଦ୍ୱିପାକ୍ଷିକ ପ୍ରସଙ୍ଗ ଉଠାଇଲେ କିପରି ? କାରଣ ସାର୍କ ବୈଠକରେ ଦ୍ୱିପାକ୍ଷିକ ପ୍ରସଙ୍ଗକୁ ବାରଣ କରାଯାଇଛି। ବୋଧହୁଏ ଏଥିପାଇଁ ଉଠାଇଲେ ଯେ, ଜେନରାଲ ମୁଶାରଫ ପାକିସ୍ତାନର ରାଷ୍ଟ୍ରପତି। ଯେ କୌଣସି ନିଷ୍ପତ୍ତି ନେବାର ଏବଂ ଯେ କୌଣସି ମୁହୂର୍ତ୍ତରେ ଏହାକୁ ଘୋଷଣା କରିବାର ସ୍ୱାଧୀନତା ତାଙ୍କର ରହିଛି। କିନ୍ତୁ ଭାରତରେ ଏପରି ଘୋଷଣା କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କର ବି ସ୍ୱାଧୀନତା ନ ଥାଏ। କିଛି ଘୋଷଣା କରିବା ପୂର୍ବରୁ କ୍ୟାବିନେଟ, ପାର୍ଲାମେଣ୍ଟରେ ଆଲୋଚନା ହୁଏ। ତାପରେ ପାସ୍ ହୁଏ। ତେଣୁ ଏ କ୍ଷେତ୍ରରେ ମଧ୍ୟ ଆମେ ଠିକ୍‌ ସେମିତି ପ୍ରୋସେସ୍‌ରେ ନିଷ୍ପତି ନେବୁ।

ଦ୍ୱିପାକ୍ଷିକ ପ୍ରସଙ୍ଗକୁ ନେଇ ତଲତଙ୍କ ପୁଣି ପ୍ରଶ୍ନ- ପାକିସ୍ତାନ ଲୋକେ ଆପଣଙ୍କୁ ପଚାରିବାକୁ ଚାହୁଁଛନ୍ତି , ଭାରତ ସରକାର ସୀମାରୁ କେବେ ତାର ସୈନ୍ୟ ପ୍ରତ୍ୟାହାର କରିବେ ?

ତଲତଙ୍କୁ ପୁଣି ଥରେ ହସି ହସି ସୁଷମା  ମନେ ପକାଇ ଦେଇଥିଲେ ଦ୍ୱିପାକ୍ଷିକ ପ୍ରସଙ୍ଗ କଥା। ତଥାପି ତଲତ ଉତ୍ତର ଚାହିଁବାରୁ ସୁଷମା ସେ ପ୍ରସଙ୍ଗକୁ ଏମିତି ଏଡ଼ାଇ ଦେଇଥିଲେ-

‘ ବିନା କାରଣରେ କେହି ସୀମାରେ ଫୋର୍ସ ମୁତୟନ କରେ ନାହିଁ। ସେନା ମୁତୟନ କିଛି ସାଧାରଣ କଥା ନୁହେଁ। ସେଠିକାର ପରିସ୍ଥିତି ନିଶ୍ଚୟ ବାଧ୍ୟ କରିଥିବ ଫୋର୍ସ ମୁତୟନ କରିବାକୁ। ସୈନ୍ୟ ପ୍ରତ୍ୟାହାର କଥା ସେତେବେଳେ ଉଠିବ ଯେତେବେଳେ ପରିସ୍ଥିତିରେ ପରିବର୍ତ୍ତନ ଆସିବ।’

କାଶ୍ମୀର ପ୍ରସଙ୍ଗରେ ତୃତୀୟ ପକ୍ଷର ମଧ୍ୟସ୍ଥତା ପ୍ରସଙ୍ଗ ଉଠାଇଥଲେ ପାକ୍‌ ଆଙ୍କର। ହେଲେ କାଶ୍ମୀର ମାମଲାରେ ତୃତୀୟ ପକ୍ଷର  ଆବଶ୍ୟକତାକୁ ଦୃଢ ଭାବେ ଖଣ୍ଡନ କରିଥିଲେ ସୁଷମା।
ଏହାପରେ ତଲତଙ୍କ ଯୁକ୍ତି ଥିଲା, ଯଦି ଭାରତ କହୁଛି କାଶ୍ମୀର ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ, ତେବେ ଅନ୍ତର୍ଜାତୀୟ ଫୋରମରେ ଭାରତ  କାହିଁକି  ବାରମ୍ବାର କାଶ୍ମୀର ଆତଙ୍କବାଦ କଥା ଉଠାଉଛି ?
ସୁଷମା ଯୁକ୍ତି ଛଳରେ କେବଳ ପାକିସ୍ତାନକୁ ନୁହେଁ, ସାରା ବିଶ୍ୱକୁ ବୁଝାଇ ଦେଇଥିଲେ କାଶ୍ମୀର ସମସ୍ୟା ଆଉ କାଶ୍ମୀରରେ ଆତଙ୍କବାଦ ସମସ୍ୟା ମଧ୍ୟରେ ଥିବା ପାର୍ଥକ୍ୟକୁ।

କହିଥିଲେ-କାଶ୍ମୀର ହିନ୍ଦୁସ୍ଥାନ ଓ ପାକିସ୍ତାନର ଦ୍ୱିପାକ୍ଷିକ ସମସ୍ୟା। ଦୁଇ ରାଷ୍ଟ୍ର ଆଲୋଚନା ମାଧ୍ୟମରେ ଏହାର ସମାଧାନ କରିବେ। କିନ୍ତୁ ଭାରତ ଆନ୍ତର୍ଜାତିକ ସ୍ତରରେ କାଶ୍ମୀର ପ୍ରସଙ୍ଗ ନୁହେଁ, କାଶ୍ମୀରେ ଚାଲିଥିବା ଆତଙ୍କବାଦ ପ୍ରସଙ୍ଗ ଉଠାଇଛି। ସୀମାପାର ଆତଙ୍କବାଦ ପ୍ରସଙ୍ଗ ଉଠାଇଛି। ଆଉ ଏଇ ପ୍ରସଙ୍ଗ ଉଠାଇ ସାରା ବିଶ୍ୱର ଆଖି ଖୋଲି ଦେଇଛି, ଏ ପ୍ରସଙ୍ଗରେ ଚିନ୍ତା କରିବା ପାଇଁ, ଏହାର ପ୍ରତିକାର କରିବା ପାଇଁ। ପାକିସ୍ତାନ ବି ଏହି ପ୍ରସଙ୍ଗରେ ସାମିଲ ହୋଇଛି।

ପାକ୍‌ ଆଙ୍କରଙ୍କ ପରବର୍ତ୍ତୀ ପ୍ରଶ୍ନ ଥିଲା ଆହୁରି ତୀକ୍ଷ୍ଣ।

କେଉଁ ପ୍ରସଙ୍ଗ ଆନ୍ତର୍ଜାତୀୟ ସ୍ତରରେ ପଡିବ ଏବଂ ଆଉ କେଉଁ ପ୍ରସଙ୍ଗ ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ ସମାଧାନ ହେବ ସେ ନିଷ୍ପତି କ’ଣ ଆପଣ ନେବେ !

ସୁଷମାଙ୍କ ତତ୍‌କ୍ଷଣାତ୍‌ ଉତ୍ତର-ଏକଥା ମୁଁ ନୁହେଁ, ଏହାର ନିଷ୍ପତି ନେଇଛନ୍ତି ତତ୍କାଳୀନ ଭାରତ ଏବଂ ପାକିସ୍ତାନର ପ୍ରଧାନମନ୍ତ୍ରୀ। ସିମ୍‌ଲାରେ, ଲାହୋରରେ..। ମୁଁ କେବଳ ଏହାର ପୁନରାବୃତ୍ତି କରୁଛି।

କାଶ୍ମୀର ମାମଲାରେ ମଧ୍ୟସ୍ଥତା ନେଇ ତଲତ ଯୁକ୍ତି କରିଥିଲେ-କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ କହୁଛି ଆମେ ଠିକ୍‌ କରୁଛୁ…ହିନ୍ଦୁସ୍ଥାନ ବି କହୁଛି ଆମେ ଯାହା କରୁଛୁ ଠିକ୍‌..। ଏପରି କ୍ଷେତ୍ରରେ କିଏ ଠିକ୍‌-କିଏ ଭୁଲ୍‌ ଏକଥାର ବିଚାର କିଏ କରିବ ? ଜଣେ ଜଜ୍‌ କରିବେ ତ ? ତେବେ ହିନ୍ଦୁସ୍ଥାନ ସରକାର ଏ ପ୍ରସଙ୍ଗରେ ରାଜି ହେଉନି କାହିଁକି ?

ସୁଷମାଙ୍କ ଉତ୍ତର-ତଲତ୍‌, ତୁମେ ପୂର୍ବପୁରୁଷମାନେ ନେଇଥିବା ନିଷ୍ପତିର ଭୁଲ ବିଚାର କରୁଛ। ଆମ ପୂର୍ବଜମାନେ ନିଷ୍ପତି ନେଇଥିଲେ ଯେ କାଶ୍ମୀର ପ୍ରସଙ୍ଗରେ ତୃତୀୟ ପକ୍ଷ କେହି ରହିବେ ନାହିଁ। ଆମେ ଦୁଇ ଦେଶ ଆଲୋଚନା ମାଧ୍ୟମରେ ଏହାର ସମାଧାନ କରିବା ଦୁହେଁ ଦୁହିଁଙ୍କର ଜଜ୍‌ ହେବା। ତୃତୀୟ ପକ୍ଷ ଉପସ୍ଥିତି ଦ୍ୱାରା ନା ପାକିସ୍ତାନର ଲାଭ ହେବ ନା ହିନ୍ଦୁସ୍ଥାନର। ତୃତୀୟ ଯିଏ ଆସିବ ସିଏ ନା ପାକିସ୍ତାନର ହେବ ନା ହିନ୍ଦୁସ୍ଥାନର। ସେ ତା’ ନିଜର କଥା ହିଁ କହିବ। ତେଣୁ ଆପଣ ବି ନିଜ ଦେଶକୁ କହିଦିଅନ୍ତୁ, ତୃତୀୟ ପକ୍ଷକୁ ଡାକି ନିଜର ଆଉ କ୍ଷତି ନ କରନ୍ତୁ।

ତା’ ଛଡା କାଶ୍ମୀର ପ୍ରସଙ୍ଗରେ ଜଜ୍‌ର ଆବଶ୍ୟକତା ଏଥିପାଇଁ ନାହିଁ ଯେ, ଏଠି ‘ପରିସ୍ଥିତି’ ହେଉଛି ଜଜ୍‌।  ଜଣେ କ’ଣ କରିଛି ସେ କଥା ପରିସ୍ଥିତି ହିଁ କହିବ। ଏହା କୌଣସି ଅନୁଭବର କଥା ନୁହେଁ, ଏହା ବାସ୍ତବତାର କଥା।
ପାକ୍‌ ଆଙ୍କରଙ୍କ ପ୍ରଶ୍ନ-କାଶ୍ମୀରରେ ଅନୁପ୍ରବେଶକାରୀଙ୍କ ସଂଖ୍ୟା କେତେ ?

ସୁଷମାଙ୍କ ଉତ୍ତରର- ଦୁଇ ଦେଶର ସରକାରଙ୍କ ପାଖରେ ଏହାର ତଥ୍ୟ ରହିଛି। ଟିଭି ଚ୍ୟାନେଲ୍‌ରେ ସେ ସଂଖ୍ୟା କହିବାର ଆବଶ୍ୟକତା ନାହିଁ।

ତଲତଙ୍କ ବ୍ୟଙ୍ଗଭରା ପ୍ରଶ୍ନ-ଏବେ ଷ୍ଟାଟିଷ୍ଟିକ୍ସ କଥା କହୁଥିଲେ। ଏବେ ଦେବେନି ବୋଲି କହୁଛନ୍ତି ?

ସୁଷମାଙ୍କ ତତ୍‌କ୍ଷଣାତ୍‌ ଉତ୍ତର-ଦେବିନିର ଅର୍ଥ ତୁମେ ପ୍ରଶ୍ନ କ’ଣ ପଚାରିବ ଜାଣିଥିଲେ ମୁଁ ତାର ଷ୍ଟାଟିଷ୍ଟିକ୍‌ସ ଆଣିଥାନ୍ତି ଆଉ ଦେଇଥାନ୍ତି ? ତେବେ ପ୍ରତିବର୍ଷ କେତେ ଅନୁପ୍ରବେଶକାରୀ ଆସୁଛନ୍ତି ତାର ହିସାବ ଦିଆଯାଇଛି ଏବଂ ଏହା ଦୁଇ ଦେଶର ସରକାରଙ୍କ ପାଖରେ ରହିଛି।

ପୁଣି ଏକ ଶାଣିତ ପ୍ରଶ୍ନ-କାଶ୍ମୀରରେ ଯାହା ହେଉଛି ତାହା ପାକିସ୍ତାନ କରୁଛି ବୋଲି ଆପଣ ଭାବୁଛନ୍ତି ?

ସୁଷମାଙ୍କ ତେର୍‌ଛା ଉତ୍ତର-କିଛି ପ୍ରଶ୍ନର ଉତ୍ତର ତେଢା ଭାବେ ଦେବାକୁ ପଡିଥାଏ। ଆଉ ଏକଥା ସିଧା ଯେ, ଏହି ପ୍ରଶ୍ନର ଉତ୍ତର ନିଶ୍ଚିତ ଭାବେ ତେଢାରେ ଦେବାକୁ ପଡ଼ିବ। କିନ୍ତୁ ମୁଁ ସେମିତି କରିବି ନାହିଁ। ଅତିଥି ଭାବେ ଆସିଛି। ପାକିସ୍ତାନ ମାଟିରେ ବସି ସେ ଦେଶକୁ ଅସମ୍ମାନ କରିବି ନାହିଁ। ଏହା ମୋ ଦେଶ ମୋତେ ଶିଖାଇ ନାହିଁ।

ପୋଖରାନ ପରୀକ୍ଷଣ ଉପରେ ପ୍ରଶ୍ନ ଉଠାଇ ପାକ୍‌ ଆଙ୍କର ପ୍ରଶ୍ନ କରିଥିଲେ-ଭାରତ ଆଣବିକ ଅସ୍ତ୍ର ତିଆରି କରୁଛି। ଏପଟେ ଶାନ୍ତିର ବାର୍ତ୍ତା ବାଣ୍ଟୁଛି ! କ’ଣ ହେଇପାରେ ଏହାର ଅର୍ଥ ?

ସୁଷମାଙ୍କ ଉତ୍ତର-ଆମେ ନ୍ୟୁକ୍ଲିୟର ବମ୍‌ କରିଛୁ। ଏକଥା ସତ। କିନ୍ତୁ ଶକ୍ତିର ଅଧିକାରୀ ହୋଇ ବି ଶାନ୍ତିର ଯାତ୍ରା ଭାରତ ବନ୍ଦ କରିନାହିଁ। ଭାରତ-ପାକିସ୍ତାନ ଦୁହିଁଙ୍କ ପାଖରେ ପରମାଣୁ ଅସ୍ତ୍ର ରହିଛି। ଉଭୟ ଦେଶ ଉଭୟଙ୍କୁ ଭୟ କରୁଛି। କିନ୍ତୁ ବଡ ଦେଶ ଭାବେ ପ୍ରଥମେ ବାଜପେୟୀ ଲାହୋର ଗସ୍ତ କରିଥିଲେ। ଶାନ୍ତି-ସୌହାର୍ଦ୍ଦ୍ୟର ହାତ ବଢାଇଥିଲେ। କିନ୍ତୁ କ’ଣ ମିଳିଲା ? କାରଗିଲ୍‌….

ପାକ୍‌ ଆଙ୍କର ଉଠାଇଥିଲେ ମୁଶାରଫଙ୍କ ସମୟର ଆଗ୍ରା ଏଗ୍ରିମେଣ୍ଟ ପ୍ରସଙ୍ଗ।

ଅଲୋଚନା ମଝିରେ କେହି ଜଣେ ଆସି ତଲତଙ୍କୁ ଦେଇଗଲେ କିଛି କାଗଜ। ତା’ ପରେ ତଲତଙ୍କ ଆଉ ଏକ ପ୍ରଶ୍ନବାଣ ଥିଲା  ଆଗ୍ରା ଏଗ୍ରିମେଣ୍ଟକୁ ନେଇ।

ପଚାରିଥିଲେ-ମୋ ହାତରେ ଅଛି ଆଗ୍ରା ଡିକ୍ଲାୟରେସନ୍‌ କିଛି ଅନ୍‌ସାଇନ୍‌ଡ ପେପର୍‌ । ମୁଁ ପଢି ଶୁଣାଇବାକୁ ଚାହୁଁଛି….

ସୁଷମାଙ୍କ ମଧୁର ବିରୋଧ… ତୁମେ ଆଗ୍ରା ଡିକ୍ଲାୟରେସନ୍‌ର ଦସ୍ତାବିଜ୍ ପଢୁଛ କି ଆଉ କ’ଣ ମୁଁ କେମିତି ଜାଣିବି ? ତୁମେ ନିଜେ ହିଁ ତ କହୁଛ  ଏହା ଅନସାଇନଡ୍‌…।

ପାକ୍‌ ଆଙ୍କର ବାରମ୍ବାର ଏହି ପେପର ପଢିବାକୁ ଚେଷ୍ଟା କରିବାରୁ ସୁଷମା ଏହାକୁ ବିରୋଧ କରି କହିଥିଲେ, ଯଦି ମୁଁ କହିବି ଏହା ଆଗ୍ରା ଏଗ୍ରିମେଣ୍ଟ ନୁହଁ ବୋଲି….

ତଲକଙ୍କ ପ୍ରଶ୍ନ- ଟିଭି ସାମ୍ନାରେ ବସି ମୁଁ କଣ ମିଛ କହୁଛି ?

ହସି ହସି ସୁଷମା କହିଥିଲେ- ସତ ମିଛର ପ୍ରଶ୍ନ ଏଠି ଆସୁନି। ଏଠି ପ୍ରଶ୍ନ ଆସୁଛି ଡିପ୍ଲୋମାଟିକ ପ୍ରୋସେସ୍‌ର। ..ଏଗ୍ରିମେଣ୍ଟ ପ୍ରସ୍ତୁତ ହେବା ପୂର୍ବରୁ ଥରେ ନୁହେଁ, ଅନେକ ଥର ଏହା ଲେଖା  ହୁଏ। ରିଜେକ୍ଟ ହୁଏ। ଏମିତି ପ୍ରୋସେସିଂ ପରେ ଫାଇନାଲ୍‌  ଡ୍ରାଫ୍ଟ ସେତିକି ବେଳେ ହୁଏ ଯେତେବେଳେ ଏହା ସାଇନ୍‌ଡ ହୁଏ। ସେତେବେଳେ ଏହାକୁ କୁହାଯାଏ ଏଗ୍ରିମେଣ୍ଟ । ତେଣୁ ତୁମେ କେଉଁ ଲେଖା ପଢୁଛ ମୁଁ କେମିତି ଜାଣିବି ଆଉ ଏହାର ଉତ୍ତର କାହିଁକି ଦେବି ?

ଚୁପ୍‌ ହୋଇ ଯାଇଥିଲେ ପାକ୍‌ ଆଙ୍କର।

ଆଜି ସୁଷମା ନାହାନ୍ତି। ତାଙ୍କ ଆବର୍ତ୍ତମାନରେ ପାକ୍‌ ଟିଭିର ଏଇ ସାକ୍ଷାତକାର ଭାଇରାଲ ହୋଇଛି। ଶୁଣିବା ପରେ ସମସ୍ତଙ୍କ ମୁହଁରେ ଗୋଟିଏ କଥା-

କି ବୁଦ୍ଧିମତ୍ତା ! କି ଶାଣିତ ଯୁକ୍ତି ! ଦେଶ ପ୍ରତି କେତେ ବିଶ୍ୱସନୀୟତା !

ଆପଣ ଯଦି ସୁଷମାଙ୍କର ଏହି ସୁନ୍ଦର ତାର୍କିକ ସାକ୍ଷାତ୍‌କାରକୁ ଦେଖିବାକୁ ଚାହୁଁଛନ୍ତି ତେବେ ଦେଖନ୍ତୁ ଏହି ଭିଡିଓ

ସୌଜନ୍ୟ-ୟୁଟ୍ୟୁବ୍‌-

You might also like