ସୂର୍ଯ୍ୟ କିରଣରେ କମୁଛି କରୋନା ମୃତ୍ୟୁହାର !

କରୋନା ଯେତିକି ରହସ୍ୟ, କୋଭିଡ୍ ଭୂତାଣୁକୁ ନେଇ ହେଉଥିବା ଗବେଷଣା ମଧ୍ୟ ସେତିକି ଉତ୍କଣ୍ଠାପୂର୍ଣ୍ଣ। ଚୀନ୍‌ର ଉହାନ୍‌ରୁ ଉତ୍ପତ୍ତି ହୋଇଥିବା ଏହି ମାରାତ୍ମକ ଭୂତାଣୁକୁ ନେଇ ଆରମ୍ଭରୁ ଗବେଷଣା ଚାଲିଛି। ଅନେକ ସମୟରେ ଗବେଷକମାନେ ଏନେଇ ତଥ୍ୟ ଓ ସୂଚନା ଦେଉଛନ୍ତି। ଇତି ମଧ୍ୟରେ ସାମନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ। ସୂର୍ଯ୍ୟ କିରଣ କମାଉଛି କରୋନା ମୃତ୍ୟୁ ହାର। ଆମେରକୀୟ ଗବେଷକମାନେ ଏଭଳି ତଥ୍ୟ ରଖିଛନ୍ତି।

ସୂର୍ଯ୍ୟ କିରଣରୁ ନିର୍ଗତ ଶକ୍ତି ଅନେକ ରୋଗରୁ ରକ୍ଷା କରିଥାଏ ବୋଲି ଅନେକ ଗବେଷକଙ୍କ ମତ। ବିଶେଷ କରି ସୂର୍ଯ୍ୟଙ୍କ ଠାରୁ ଆସୁଥିବା ଅତି ବାଇଗଣୀ ରଶ୍ମି (ୟୁଭିଏ) ମଣିଷ ଶରୀର ପାଇଁ ସ୍ୱାସ୍ଥ୍ୟକର ହୋଇଥାଏ। ଫଳରେ କରୋନାର ମୃତ୍ୟୁହାରକୁ କମ୍ କରିବାରେ ସହାୟକ ହୋଇଥାଏ ବୋଲି ନିକଟରେ ହୋଇଥିବା ଗବେଷଣା ଜଣାପଡ଼ିଛି।

ୟୁନିଭରସିଟି ଅଫ୍ ଇଡିନ୍‌ବର୍ଗର ଗବେଷକମାନେ କୋଭିଡ୍‌-୧୯ ମୃତ୍ୟୁ ହାର ଉପରେ ଗବେଷଣା କରିଛନ୍ତି। ଆମେରିକାରେ  ୨୦୨୦ ମସିହା ଜାନୁଆରୀରୁ ଏପ୍ରିଲ ପର୍ଯ୍ୟନ୍ତ ୪ ମାସର କୋଭିଡ୍‌ ଜନିତ ମୃତ୍ୟୁର ତଥ୍ୟ ତୁଳନା କରିଥିଲେ। ସେମାନେ ଜାଣିବାକୁ ପାଇଥିଲେ ଯେ ଗରମ ହେଉଥିବା ସ୍ଥାନରେ କରୋନା ଡେଥ୍‌ ଗ୍ରାଫ୍ ତଥା ମୃତ୍ୟୁହାର ଅପେକ୍ଷାକୃତ କମ୍ ରହିଛି। ଏହି ଷ୍ଟଡିରୁ ଆହୁରି ଜଣାପଡ଼ିଛି ଯେ ସୂର୍ଯ୍ୟଙ୍କ ଅତ୍ୟଧିକ ୟୁଭି ରଶ୍ମି ପଡୁଥିବା(୯୫ ପ୍ରତିଶତ) ସ୍ଥାନମାନଙ୍କରେ କରୋନା ଦାଉରୁ ମୃତ୍ୟୁ ଆଶଙ୍କା ବହୁତ କମ୍ ରହୁଛି। ଏହାର ଅର୍ଥ ହେଲା- ୟୁଭିଏ ସ୍ତର ଯେଉଁଠି ଅଧିକ ସେସବୁ ସ୍ଥାନରେ କରୋନା ମୃତ୍ୟୁହାର ସବୁଠୁ କମ୍। ଏହି ଗବେଷଣା ଇଂଲଣ୍ଡ ଓ ଇଟାଲୀରେ କରାଯିବା ପରେ ସେହି ସମାନ ରିପୋର୍ଟ ଆସିଥିଲା।

ଏହି ଷ୍ଟଡିରେ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନର ଲୋକସଂଖ୍ୟା, ବୟସ, ସ୍ଥାନୀୟ ସଂକ୍ରମଣ, ଜାତୀୟତା, ଆର୍ଥିକ ଷ୍ଟାଟସ୍‌କୁ ପ୍ରାଧାନ୍ୟ ଦିଆଯାଇଥିଲା। ସକାଳ ସୂର୍ଯ୍ୟକିରଣରେ ଶରୀରକୁ ମିଳୁଥିବା ଭିଟାମିନ୍‌ ଡି ଦ୍ୱାରା ମୃତ୍ୟୁ ଆଶଙ୍କା କମ୍ ରହିଥାଏ, ତାହା କହିବା ଠିକ୍ ନୁହେଁ। ଯେଉଁ ସ୍ଥାନରେ ୟୁଭିବିର ସ୍ତର କମ୍ ରହିଛି ସେହି ସ୍ଥାନକୁ ନେଇ ଏହା ଷ୍ଟଡି କରାଯାଇଥିଲା, ଯାହା ବ୍ରିଟିଶ୍ ଜର୍ଣ୍ଣାଲ ଅଫ୍ ଡର୍ମାଟୋଲୋଜିରେ ପ୍ରକାଶିତ ହୋଇଥିଲା।

 

You might also like