ଦେଶର ପ୍ରଥମ ଏଡ୍‌ସ ରୋଗୀ, ଯାହାଙ୍କ ପାଇଁ ବଦଳି ଯାଇଥିଲା ଆଇନ୍‌

ନୂଆଦିଲ୍ଲୀ: ୧୯୮୮ ମସିହାର କଥା। ସେଦିନ ଥିଲା ଭେଲେଣ୍ଟାଇନସ ଡେ।  ଭଲ ପାଇବାର ଦିନ ଟିଏ। ହାଠାତ୍ ଥାନାକୁ ଯିବା ପାଇଁ ପୁଲିସର ଡାକରା ଆସିଲା। ଗୋଆର ଡୋମିନିକ ଡିସୌଜା ଭାବିଲେ କେହି ଜଣେ ବନ୍ଧୁ ତାଙ୍କର କୌଣସି ସମସ୍ୟାରେ ପଡ଼ିଥିବେ। ସେ ଖୁବ୍‌ଶୀଘ୍ର ଜଳଖିଆ ସାରି ବାହାରି ପଡ଼ିଲେ ଥାନାକୁ। ସେଠାରେ ପହଞ୍ଚିବା ପରେ କିଛି ବୁଝିବା ପୂର୍ବରୁ ହଠାତ୍ ତାଙ୍କ ହାତରେ ହ୍ୟାଣ୍ଡକଫ୍ ପକାଇ ଦେଲେ ଥାନାବାବୁ। ପରେ ତାଙ୍କୁ ଥାନାରୁ ମେଡିକାଲ୍ ନିଆଗଲା। ଆଉ ଯକ୍ଷ୍ମା ୱାର୍ଡରେ ଭର୍ତ୍ତି କରି ଦେଇ ତାଙ୍କ ସାମ୍ନାରେ ଛିଡ଼ା କରି ଦିଆଗଲା ପ୍ରଶ୍ନର ପାହାଡ଼। ଜୀବନର ଗୋଟି ଗୋଟି ଗୋପନ କଥାକୁ ଖୋଲି ଦେବାକୁ ବାଧ୍ୟ କରାଗଲା ଡୋମିନିକଙ୍କୁ।

କେବେ କାହାସହ ସେ ସ୍ଥାପନ କରିଥିଲେ ଯୌନ ସଂପର୍କ। କାହା ସହ ବିତାଇଥିଲେ ଅନ୍ତରଙ୍ଗ ମୁହୂର୍ତ୍ତ। ଏମିତି ଅନେକ ପ୍ରଶ୍ନର ଉତ୍ତର ତାଙ୍କୁ ଦେବାକୁ ପଡ଼ିଥିଲା। ହେଲେ ସେ ବୁଝି ପାରୁନଥିଲେ ତାଙ୍କ ଭୁଲ୍ କେଉଁଠି। କାହିଁକି ତାଙ୍କୁ ପୁଲିସ୍ ଜେରା କରୁଛି। ଶେଷରେ ତାଙ୍କ ନାଁ ଏକ ଫାଇଲ୍‌ରେ ଲେଖି ଦିଆଗଲା। ତାଙ୍କୁ ଯେ ଏଚ୍ଆଇଭି ପଜିଟିଭ୍ ଭୂତାଣୁ ଗ୍ରାସ କରିଥିଲା!

ଗୋଆର ଜନ ସ୍ୱାସ୍ଥ୍ୟ ଆକ୍ଟ (ପବ୍ଲିକ ହେଲ୍‌ଥ ଆକ୍ଟ) ଅନୁଯାୟୀ ଅପରାଧ ନ କରିବି ସେ ପାଲଟିଗଲେ ଅପରାଧୀ। ସେତେବେଳର ନିୟମ ଆନୁଯାୟୀ ଏଚ୍ଆଇଭି ରୋଗୀଙ୍କୁ ଆଲଗା ରଖାଯାଉଥିଲା। ମୋଟାମୋଟି କହିବାକୁ ଗଲେ, ଏକ ନିର୍ବାସିତ ଜୀବନ ବଞ୍ଚିବାକୁ ତାଙ୍କୁ ବାଧ୍ୟ କରାଯାଉଥିଲା।

ଗୋଆର ଏହି ସରକାରୀ ବ୍ୟବସ୍ଥା ବିରୋଧରେ ଏବଂ ମୌଳିକ ଅଧିକାର ପାଇଁ ଡୋମିନିକଙ୍କ ମା’ ଆଇନର ଆଶ୍ରୟ ନେଲେ। ସରକାରଙ୍କ ଏଭଳି ଅମାନବିକ ବ୍ୟବସ୍ଥାରୁ ତାଙ୍କୁ ବଞ୍ଚାଇବାକୁ ସେ ପ୍ରାଣପ୍ରଣେ ଚେଷ୍ଟା କଲେ। କିନ୍ତୁ ଏହାରି ଭିତରେ ତାଙ୍କ ପୁଅ ଡୋମିନିକ୍‌ କିନ୍ତୁ ଚାଲି ଯାଇଥିଲା ଜେଲର କାଳକୋଠରୀ ଭିତରକୁ। ଏକ ଅସହାୟ ମାଆର କୁବ୍ୟବସ୍ଥା ବିରୋଧୀ ଯୁଦ୍ଧକୁ ସମର୍ଥନ ଜଣାଇଥିଲେ ବନ୍ଧୁ ପରିଜନ।

ଶୋଭାଯାତ୍ରା, ରୋଡ୍‌ ଶୋ’ କରି ଡୋମିନିକଙ୍କ ଦୁର୍ଦ୍ଦଶାକୁ ଲୋକଙ୍କ ସାମ୍ନାକୁ ଆଣିଥିଲେ ତାଙ୍କ ପରିବାର ବର୍ଗ ଓ ବନ୍ଧୁମାନେ। ତାଙ୍କ ପ୍ରତି ହୋଇଥିବା ଅନ୍ୟାୟ ପାଇଁ ଚାରିଆଡ଼େ ଉତ୍ତୋଳନ ହେଲା ବିଦ୍ରୋହର ସ୍ୱର। ୟା ଭିତରେ ସରକାର ଡୋମିନିକଙ୍କୁ ୬୪ଦିନ ଧରି ଏକଘରକିଆ କରି ରଖିଦେଲେ। ନିର୍ବାସନ ଯୋଗୁ ଚାକିରି ହରାଇଲେ ସେ। ପରିଶେଷରେ ଡୋମିନିକଙ୍କ ସଂଘର୍ଷର ଅନ୍ତ ଘଟିଲା। ଜନତାଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇଲେ ସରକାର। ଜେଲରୁ ମୁକୁଳିଲେ ଡୋମିନିକ।

ଜେଲ୍‌ରୁ ବାହାରି ଚୁପ୍ ବସିନଥିଲେ ଡୋମିନିକ୍। ତାଙ୍କ ପ୍ରତି ହୋଇଥିବା ଅନ୍ୟାୟକୁ ବିରୋଧ କରିବାକୁ ଯାଇ ଆରମ୍ଭ କରିଥିଲେ ଅଭିଯାନ। ସରକାରଙ୍କ ଏପରି ଅନ୍ଧ ନିୟମ ଓ ଅବ୍ୟବସ୍ଥା ବିରୋଧରେ ଆରମ୍ଭ କରିଥିଲେ ଲଢ଼େଇ। ନିଜ ପ୍ରତି ହୋଇଥିବା ଅନ୍ୟାୟ ଯେପରି ଆଉ କାହା ସହ ନହେଉ ସେଥିପାଇଁ  ଚାରିଆଡ଼େ ଭାଷଣ ଦେଇ, ଶୋଭାଯାତ୍ରା କରି ଲୋକଙ୍କ ମନରେ ଏଡ୍‌ସ ପ୍ରତି ଥିବା ଧାରଣା ବଦଳାଇବାକୁ ଅଣ୍ଟା ଭିଡ଼ିଲେ ଡୋମିନିକ୍। ଏଚ୍‌ଆଇଭିରେ ପୀଡ଼ିତ ଲୋକଙ୍କୁ ଘୃଣା ଓ ଅପବାଦରୁ ରକ୍ଷା କରିବାକୁ ୧୯୯୨ରେ ସେ ଏଡ୍‌ସ ଉପରେ ହେଉଥିବା ଏକ ଅନ୍ତର୍ଜାତୀୟ ସମ୍ମିଳନୀରେ ଯୋଗ ଦେଲେ।  କିଛି ବନ୍ଧୁଙ୍କ ସହ ମିଶି ଏକ ସଙ୍ଗଠନ ଆରମ୍ଭ କଲେ। ତେବେ ଏହି ସଙ୍ଗଠନ ପଞ୍ଜୀକୃତ ହେବାର ଦୁଇ ମାସ ପରେ ୧୪ ମେ ୧୯୯୨ ମୁମ୍ବାଇର ବ୍ରିଚ୍‌କାଣ୍ଡି ମେଡିକାଲରେ ଡୋମିନିକଙ୍କ ମୃତ୍ୟୁ ହୋଇଥିଲା।

କିଛି ବର୍ଷ ପରେ ସରକାର ସଚେତନ ହେଲେ। ଧୀରେ ଧୀରେ ଏଡ୍‌ସ ପ୍ରତି ଲୋକଙ୍କ ଧାରଣା ବଦଳିଲା।  ବହୁ ପ୍ରତୀକ୍ଷାର ଅନ୍ତ ପରେ ଏ ସମ୍ପର୍କିତ ଏକ ବିଲ୍ ୨୦୧୭  ଏପ୍ରିଲ ମାସରେ ସଂସଦରେ ପାରିତ ହୋଇଥିଲା। ଯେଉଁଥିରେ ଏଭଳି ଘୃଣ୍ୟ ଅନ୍ଧବିଶ୍ୱାସ ବନ୍ଦ କରିବା ସହିତ ଏଚ୍‌ଆଇଭି ଆକ୍ରାନ୍ତ ବ୍ୟକ୍ତିଙ୍କ ପ୍ରତି ହେଉଥିବା ସମସ୍ତ ଅମାନବୀୟ କାର୍ଯ୍ୟକୁ ନିଷିଦ୍ଧ କରାଯାଇଛି।

You might also like