ଦେହଜୀବୀଙ୍କ ଦୁଃଖ କାହାଣୀ…କାମ ସରିବା ପରେ ଫିଙ୍ଗି ଦିଅନ୍ତି ନାରୀମାଂସ ଲୋଭୀ ରାକ୍ଷସ

ନୂଆଦିଲ୍ଲୀ: ଦେହଜୀବୀ ଶବ୍ଦ ଶୁଣିବା କ୍ଷଣି ଲୋକଙ୍କ ମନକୁ ଅନେକ କଥା ଆସିଥାଏ। ଆଉ ଶୁଣିବା ମାତ୍ରେ ଲୋକେ ଟୁପୁରୁଟାପୁରୁ ମଧ୍ୟ ଆରମ୍ଭ କରି ଦିଅନ୍ତି। ଏମାନେ ଏଭଳି ଘୃଣ୍ୟ କାମରେ ଲିପ୍ତ ରହୁଥିବାରୁ ଲୋକେ ସେମାନଙ୍କୁ ଖରାପ ନଜରରେ ମଧ୍ୟ ଦେଖିଥା’ନ୍ତି। ଏପରିକି କିଛି ଲୋକ ସେମାନଙ୍କ ପାଖ ମଧ୍ୟ ମାଡ଼ନ୍ତି ନାହିଁ। କିଛି ଲୋକ ଅଛନ୍ତି ଏମାନଙ୍କ ସହ ଏଭଳି ବ୍ୟବହାର କରନ୍ତି ଯେମିତି କି ସେମାନଙ୍କର ସମାଜରେ କିଛି ଅଧିକାର ନାହିଁ।

ପ୍ରକୃତରେ କହିବାକୁ ଗଲେ ଏମାନେ ବି ସାଧାରଣ ଲୋକଙ୍କ ଭଳି। ଆଉ ସତ କହିବାକୁ ଗଲେ କେହି କେବେ ନିଜ ଇଚ୍ଛାରେ ଏହି ଅନ୍ଧଗଳିର ଧନ୍ଦାକୁ ଆସିନଥା’ନ୍ତି। ଏଥିପାଇଁ ପରିସ୍ଥିତି ସେମାନଙ୍କୁ ବାଧ୍ୟ କରିଥାଏ। କିଏ ପରିବାର ପୋଷିବାକୁ ଏଠାକୁ ଆସିଥାନ୍ତି ତ କାହାକୁ ଏଠି ଫିଙ୍ଗି ଦିଆଯାଇଥାଏ।

ଦିଲ୍ଲୀର ଅନ୍ୟ ଇଲାକା ପରି ଜି.ବି. ରୋଡ୍‌ ଏମିତି ଏକ ଅଂଚଳ ଯାହା ଆଜି ସମସ୍ତଙ୍କ ଆଖିରେ ରେଡ୍‌ ଲାଇଟ୍ ଏରିଆ । ବିଭିନ୍ନ ଲୋଭ ଦେଖାଇ ଝିଅମାନଙ୍କୁ ଏଠାକୁ ଅଣାଯାଇଥାଏ। ବିଶେଷକରି ଚାକିରି ଲୋଭ ଦେଖାଇ ଦଲାଲମାନେ ସେମାନଙ୍କୁ ଆଣି ଶେଷରେ ଏଠି ବିକି ଦିଅନ୍ତି। ଅଳ୍ପ ବୟସର ଝିଅମାନଙ୍କୁ ମଧ୍ୟ ଏହି ଲାଇନ୍‌ରେ ଦେଖିବାକୁ ମିଳିଥାଏ।

red light area

ଦିଲ୍ଲୀ ଜି.ବି. ରୋଡ଼୍‌…ରାତି ୮ଟା ବାଜିଲେ ଏଠାକାର ମାହୋଲ ପୁରାପୂରି ବଦଳି ଯାଏ। ଏଠାରେ ଥିବା ଏକ କୋଠାକୁ ଲୋକଙ୍କ ଯାଆସ ଲାଗି ରୁହେ।

ଏମିତି କିଛି ଦେହଜୀବୀଙ୍କ ବିଷୟରେ ଆମେ ଏଠି ଆପଣଙ୍କୁ କହୁଛୁ ଯାହାଙ୍କ ବିଷୟରେ ଆପଣମାନେ ପଢ଼ିଲେ ହୃଦୟ ଫାଟିପଡ଼ିବ।

ପଶ୍ଚିମବଙ୍ଗର ୨୩ ବର୍ଷୀୟ ଜସ୍ମିନ୍‌ (ଛଦ୍ମନାମ) ଯିଏକି ଏଠାରେ ଦେହଜୀବୀ ଭାବେ କାମ କରନ୍ତି। ୩ ବର୍ଷ ପୂର୍ବେ ତାଙ୍କୁ ଚାକିରି କରାଇ ଦେବା ଆଳରେ ଦିଲ୍ଲୀ ଆଣିଥିଲା ଦଲାଲ। ପରେ ତାଙ୍କୁ ଏଠି ବିକି ଦେଇ ଉଭାନ୍‌ ହୋଇଯାଇଥିଲା। କିଛି ଚିନ୍ତା କରିବା ପୂର୍ବରୁ ଜସ୍ମିନ୍‌ଙ୍କୁ ଝୁଣି ଦେଇଥିଲେ ଅନ୍ଧଗଳିର ରାକ୍ଷସମାନେ। ଆଉ ତା’ ପରେ ସେ ସେଇଠୁ ବାହାରିବାକୁ ଇଛା ବି କରିନି। ବାପ ମା’ ପାଇଁ ଆଖିରୁ ଲୁହ ଝରୁଥିଲେ ବି ତା ଓଠ ସେତକ ପିଇଯାଉଛି। କାଳେ ଘରକୁ ଗଲେ ସେ ବି ଅଗ୍ରାହ୍ୟ ହୋଇଯିବ।

ସେହିପରି ଆଉ ଜଣେ ଯୁବତୀ ରିଙ୍କିତାଙ୍କ କହିବା ଅନୁଯାୟୀ ଏମିତି ଲାଗୁଛି ସହର ଭିତରେ ଆଉ ଏକ ଅନ୍ଧାରୀ ସହର ଅଛି। ଆଉ ସେ ସାଜିଛି ସେଇ ଅନ୍ଧାରୀ ମୂଲକର ସଉଦା। ତା’ର ପରିସ୍ଥିତି ଏମିତି ହୋଇଯାଇଛି ଯେ, ସେ ଅଲଗା କିଛି କରିବାର ଅବକାଶ ନାହିଁ । ବରଂ ତାଙ୍କୁ କୋଠି ପରେ କୋଠି ବଦଳାଇବାକୁ ପଡୁଛି। ବର୍ଷକ ଭିତରେ ସେ ୩ଟି କୋଠି ବଦଳାଇ ସାରିଲେଣି। ଯେଉଁଠି ଅଧିକ ପଇସା ମିଳୁଛି ସେଠି ଯିବାକୁ ପଡ଼ୁଛି। ତାଙ୍କ ର ବି ଝିଅଟିଏ ଅଛି । ସେ ଚାହାନ୍ତି ନାହିଁ ଯେ, ତାଙ୍କ ଝିଅ ଜାଣୁ ସେ ଏମିତି ଏକ ଧନ୍ଦା କରୁଛି ବୋଲି । ମୋ ଜୀବନ ତ ନଷ୍ଟ ହୋଇଗଲାଣି । ଅନ୍ତତଃ ପକ୍ଷେ ଈଶ୍ୱର ତାକୁ ଭଲରେ ରଖନ୍ତୁ।

ଏ ସମାଜ ଓ ବିଧି ବ୍ୟବସ୍ଥାକୁ ସେମାନେ ପ୍ରଶ୍ନ କରି ଚାଲିଛନ୍ତି । ଏମାନଙ୍କ ପାଇଁ ସରକାର କିଛି ବି ହେଲେ ବ୍ୟବସ୍ଥା କରି ନାହାନ୍ତି। ଏମାନଙ୍କ ପାଖରେ ନା ଅଛି ରାସନ କାର୍ଡ, ନା ଭୋଟର କାର୍ଡ, ନା ଆଧାର କାର୍ଡ। ଦୁର୍ଭାଗ୍ୟର କଥା ହେଉଛି ଏମାନେ ଆଜି ପର୍ଯ୍ୟନ୍ତ କାହାର  ଭୋଟ୍‌ବ୍ୟାଙ୍କ ହୋଇପାରି ନାହାନ୍ତି । ଭୋଟ୍‌ କ’ଣ ସେମାନେ ଜାଣିବାକୁ ସୁଯୋଗ ମଧ୍ୟ ନାହିଁ। ଯାହାର ଉତ୍ତର ମିଳିବାକୁ ବୋଧହୁଏ ଆଉ କିଛି ଶତାବ୍ଦୀ ଚାଲିଯିବ।

You might also like